ଯାଜପୁର,୦୬/୦୬(ପିପିଟି): ପୂର୍ବ ଘୋଷଣା ମୁତାବକ ଆଜି ସୁକିନ୍ଦା ବିଜୁ ଜନତା ଦଳ ପକ୍ଷରୁ ସୁକିନ୍ଦାରେ ବଢ଼ି ଚାଲିଥିବା ଗୁଣ୍ଡାରାଜ ଓ ଆତଙ୍କ ରାଜ ବିରୁଦ୍ଧରେ କଳା ଦିବସ ପାଳିତ ହୋଇ ଯାଇଛି।ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ହଜାର ହଜାର କର୍ମୀ ଓ ସମର୍ଥକ ଏହି କଳା ଦିବସ ପାଳନରେ ସାମିଲ ହୋଇଥିଲେ ।ପୂର୍ବାହ୍ନ ରେ ଡ଼ୁବୁରୀ ଛକ ସ୍ଥିତ କପିଳେଶ୍ୱର ମନ୍ଦିର ନିକଟ ପଡିଆରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିବାଦ ସଭାରେ ଯାଜପୁର ର ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ଜାତୀୟ ପ୍ରବକ୍ତା ଶର୍ମିଷ୍ଠା ସେଠୀ,ଜିଲ୍ଲା ସଭାପତି ସରୋଜ ମହାପାତ୍ର,ସୁକିନ୍ଦା ଓ ଦାନଗଦି ବ୍ଲକ ସଭାପତି,ଉଭୟ ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ,ଜିଲ୍ଲା ପରିଷଦ ସଭ୍ୟ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇ ବିଜେପି ସରକାର ର ଗୁଣ୍ଡା ରାଜ ଓ ମାଫିଆରାଜ୍ ବିରୁଦ୍ଧରେ ପ୍ରବଳ ବର୍ଷିବା ସହିତ ଆଇନ ଶୃଙ୍ଖଳା ଦାୟିତ୍ଵରେ ଥିବା ପୋଲିସ ପ୍ରଶାସନକୁ ସତର୍କ କରାଇ ଦେଇଥିଲେ। ସଭା ପରେ ସମସ୍ତ ନେତୃବୃନ୍ଦ ପ୍ରୀତି ରଞ୍ଜନ ଘଡେ଼ଇଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଯାଇ ଏସପି ଙ୍କ ଉଦ୍ଦେଶ୍ୟରେ କଳିଙ୍ଗ ନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଶାସକ ଦଳର ଗୁଣ୍ଡା ରାଜ ,ମାଫିଆ ରାଜ ବିରୁଦ୍ଧ ରେ ପ୍ରଶାସନ ଆଇନ ଗତ ପଦକ୍ଷେପ ନ ନିଏ ଏବଂ ଅରାଜକତା ସୃଷ୍ଟି କରୁଥିବା ଆସାମୀ ମାନଙ୍କୁ ଗିରଫ ନ କରେ ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ ।