ଦନ୍ତାହାତୀ ମୃତ୍ୟୁ ଘଟଣାରେ ଶିକାରୀ ଗିରଫ; ଫସଲ ନଷ୍ଟ ଯୋଗୁଁ ଗୁଳି କରି ହତ୍ୟା ।

0 463

ଭଞ୍ଜନଗର, ୦୩/୧୧(ପିପିଟି ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବିରିକୋଟ ନିକଟସ୍ଥ ବଣିଆ ପାଲି ନିକଟ ଜଙ୍ଗଲରେ ଗତ ୧ତାରିଖ ଦିନ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା।ଏହି ଘଟଣାର ତଦନ୍ତ ସମୟରେ ଗୁଳିମାଡ଼ରେ ହାତୀ ଟିର ମୃତ୍ୟ ହୋଇଥିବା ବେଳେ ତାର ବୟସ ପ୍ରାୟ ୧୫ବର୍ଷ ହେବ ବୋଲି ଜଣା ପଡିଥିଲା।ଆଜି ଏହି ଘଟଣାର ପର୍ଦ୍ଦାଫାଶ କରିଛି ବନବିଭାଗ।ଏଥିରେ ସମ୍ପୃକ୍ତ ଜଣେ ଶିକାରୀ କୁ ଗିରଫ କରାଯାଇଛି ଏବଂ ତାଠାରୁ ୨ଟି ଦେଶୀ ବନ୍ଧୁକ,ଗୋଟିଏ ଅଚଳ ବନ୍ଧୁକ, କିଛି ଗୁଳି ଏବଂ ଅନ୍ୟାନ୍ୟ ଶିକାର ସମ୍ବନ୍ଧୀୟ ସାମଗ୍ରୀ ଜବତ କରାଯାଇଛି। ବଣିଆ ପାଲି ଗ୍ରାମର ଉମାକାନ୍ତ ପ୍ରଧାନ ଓରଫ ନଣ୍ଡା ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମୟରେ ଛୋଟମୋଟ ଶିକାର କରୁଥିବା ଜାଣିପାରି ତା ଉପରେ ବନବିଭାଗର ସନ୍ଦେହ ହୋଇଥିଲା।ତାକୁ ଅଟକ ରଖି ପଚରାଉଚରା କରିବାରୁ ନଣ୍ଡା ନିଜ ଦୋଷ ସ୍ୱୀକାର କରିଥିଲା।ଉକ୍ତଦିନ ବାଇବାଲି ଅଞ୍ଚଳରେ ହାତୀ ଚଳପ୍ରଚଳ ହେଉଥିବା ବେଳେ ୨ଟି ହାତୀ ବଣିଆ ପାଲି ଆସି ଜମିରେ ଫସଲ ନଷ୍ଟ କରୁଥିବା ବେଳେ ହାତୀ ଘଉଡାଇବା ପାଇଁ ନଣ୍ଡା ସେଠାକୁ ଯାଇଥିଲା।ପ୍ରଥମେ ବାଣ ଫୁଟାଇବାରୁ ହାତୀଟି ନଣ୍ଡା ଆଡ଼କୁ ମାଡ଼ି ଆସିବା ଦେଖି ସେ ଗୁଳି ମାଡ଼ କରିଥିଲା। ଗୋଟିଏ ଗୁଳି ହାତୀର ଆଗଗୋଡ଼ରେ ବାଜିବାରୁ ଗୁରୁତର ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା।ଉକ୍ତ ବନ୍ଧୁକ କୁ ନେଇ ନଣ୍ଡା ଗ୍ରାମ ଠାରୁ କିଛି ଦୂରରେ ଥିବା ଜଙ୍ଗଲରେ ଲୁଚାଇ ରଖିଥିଲା।ବନ ବିଭାଗ ଉକ୍ତ ବନ୍ଧୁକ ସହ ଅନ୍ୟ ୨ଟି ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ସେଠାରୁ ଜବତ କରିଥିବା ଡିଏଫଓ ହିମାଂଶୁ ଶେଖର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ନଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏଥିରେ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ,ଏସିଏଫ ବିବେକ ଦାସ, ବିମଳ ପ୍ରଧାନ, ଫରେଷ୍ଟର ଟୁନା ମଲିକ, ବବୁଲ ସେଠୀ, ଅନୁପ ବିଷୋୟୀ,ରାଜେନ୍ଦ୍ର ଦଳେଇ, ଗାର୍ଡ ବିଶ୍ୱଜିତ ହୋତା,ପ୍ରଦ୍ୟୁମ୍ନ ବିଷୋୟୀ, ସୁଶାନ୍ତ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.