ଭଞ୍ଜନଗର, ୨୩/୦୭(ପିପିଟି):ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଭାବେ ଦଣ୍ଡଯାତ୍ରା ଅନ୍ୟତମ।ହେଲେ ସମୟ ସହ ତାଳ ଦେଇ ବର୍ତ୍ତମାନ ଦଣ୍ଡଯାତ୍ରାରେ ଆଧୁନିକତାର ପ୍ରବେଶ ହୋଇଛି।ତେଣୁ ଯାତ୍ରା ସମୟରେ ମାଆ ଦଣ୍ଡକାଳୀଙ୍କର ସକାଳ ସମୟରେ ବରଣ, ମଧ୍ୟାହ୍ନରେ ଧୂଳି ଦଣ୍ଡ,ଅପରାହ୍ନ ରେ ପାଣି ଦଣ୍ଡ, ସନ୍ଧ୍ୟା ଆଳତୀ,ରାତ୍ରୀ ସମୟରେ ଅଗ୍ନିଦଣ୍ଡ ଆଦି ଦଣ୍ଡୁଆ, ମାନସିକଧାରୀ ଓ ଗ୍ରାମବାସୀମାନେ ଯଥା ରୀତିନୀତି ଅନୁସାରେ ନିଷ୍ଠାର ସହ ପାଳନ କରନ୍ତି।ହେଲେ କିଛି ବର୍ଷ ହେଲା ଅନେକ ଗ୍ରାମରେ ଦଣ୍ଡଯାତ୍ରାରେ ରାତ୍ରୀ ସମୟରେ ହେଉଥିବା ମନୋରଞ୍ଜନ କାର୍ଯ୍ୟକ୍ରମରେ ବ୍ୟତିକ୍ରମ ଘଟିଛି।ବର୍ତ୍ତମାନ ଆଧୁନିକତାର ଚାକଚକ୍ୟ ମଧ୍ୟରେ ଆକର୍ଷଣୀୟ ଷ୍ଟେଜ,ଉନ୍ନତ ମାନର ଲାଇଟ, ସାଉଣ୍ଡକୁ ନେଇ ସାମାଜିକ ନାଟକ,ନାରୀ ଅଭିନେତ୍ରୀ, ରେକର୍ଡ ଡ୍ୟାନ୍ସ ଓ ମେଲୋଡ଼ିକୁ ପ୍ରାଧାନ୍ୟ ଦିଆଯାଉଛି।ଏହାଦ୍ୱାରା ଅନୁଷ୍ଠାନ ଓ ମାନସିକଧାରୀଙ୍କର କ୍ଷତି ଦର୍ଶାଇ ୨୦୨୬ ବର୍ଷ ଗଞ୍ଜାମ ଦଣ୍ଡଯାତ୍ରା ମହାସଂଘ ବିଭିନ୍ନ ବ୍ଲକ ରେ ବୈଠକ କରି ସାମାଜିକ ନାଟକ ପରିବେଷଣକୁ ବ୍ୟାନ କରିଛି।ହେଲେ ଏହାକୁ ଅନେକ ଦଣ୍ଡ ଅନୁଷ୍ଠାନ ଗ୍ରହଣ କରିବାକୁ ରାଜି ନୁହଁନ୍ତି।କାରଣ ନିଜ ନିଜ ଗ୍ରାମରେ ଅନେକ ନୂତନ କଳାକାର ସୃଷ୍ଟି ହେବା ସହ ବର୍ତ୍ତମାନର ଯୁବଗୋଷ୍ଠୀ ଓ ଦର୍ଶକଙ୍କ ଚାହିଦା ଅନୁସାରେ ସାମାଜିକ ନାଟକ ପ୍ରଦର୍ଶନକୁ ସେମାନେ ଗୁରୁତ୍ୱ ଦେଉଛନ୍ତି।ତେଣୁ କେତେକ ଅନୁଷ୍ଠାନ ଏଥର ସମାଜିକ ନାଟକ ପରିବେଷଣ ନିଶ୍ଚିତ କରି ନିଜର ବ୍ୟାନର ପୋଷ୍ଟର ଛପାଇ ସୋସିଆଲ ମିଡ଼ିଆରେ ପ୍ରଚାର ଓ ପ୍ରସାର ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନେକ ଅନୁଷ୍ଠାନ ମହାସଂଘ ସହ ରହିବେ ନା ସାମାଜିକ ନାଟକ ପାଇଁ ଅଣ୍ଟା ଭିଡ଼ିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି।ହେଲେ ମାନସିକଧାରୀ ଏବଂ ଗ୍ରାମରେ ଓ ସାହିରେ ଚାନ୍ଦା ଆଦାୟ କରି ଦଣ୍ଡଯାତ୍ରା କରୁଥିବା ଅନେକ ସଙ୍ଗଠନ ବର୍ତ୍ତମାନ ଦ୍ବନ୍ଦ୍ୱରେ ରହିଛନ୍ତି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)