ଭାରତ ସ୍ବାଧୀନ ହେବାର ୭୮ ବର୍ଷ ବିତିଯାଇଥିଲେ ମଧ୍ୟ ଦଳିତଙ୍କ ଶୈକ୍ଷିକ, ସାମାଜିକ ଓ ଅର୍ଥନୈତିକ ସମସ୍ଯାରେ
ସନ୍ତୋଷ ଜନକ ପରିବର୍ତ୍ତନ ହୋଇ ନାହିଁ। ବର୍ତ୍ତମାନ ସହରାଞ୍ଚଳ
ଅପେକ୍ଷା ଗ୍ରାମାଞ୍ଚଳରେ ବସବାସ କରି ଆସୁଥିବା ଦଳିତଙ୍କ
ବିକାଶ ପୂର୍ବ ପରି ସ୍ଥିତିରେ ରହିଛି। ସମ୍ବିଧାନ ପ୍ରଣୟନ ହେଲା ପରେ ୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତରେ କାର୍ଯ୍ୟକାରୀ ହେଲା । ଭାରତୀୟ ସମ୍ବିଧାନରେ ସବୁ ନାଗରିକ ଜାତି, ଧର୍ମ, ବର୍ଣ୍ଣ,ଲିଙ୍ଗ ନିର୍ବିଶେଷରେ ସଭିଏଁ ସମାନ ବୋଲି
ଆଇନ ପ୍ରଣୟନ କରାଗଲା। କିନ୍ତୁ ଆଜି ମଧ୍ୟ ଦଳିତମାନେ ସାମାଜିକ ବୈଷମ୍ୟ ଶିକାର ହେଉଛନ୍ତି। ସର୍ବତ୍ର ଉଚ୍ଚ ନୀଚ ଭେଦ ଭାବରେ ଜାତି ପ୍ରଥା ବଳବତ୍ତର ରହିଛି। ବିଶେଷ କରି
ଗାଁ ଗହଳିରେ ଆଜି ମଧ୍ୟ ଦଳିତମାନେ ଅସ୍ପୃଶ୍ୟତାର ଘୃଣ୍ୟ ଜାତି
ପ୍ରଥାର ଜାଲରୁ ମୁକ୍ତି ହୋଇ ନାହାଁନ୍ତି। ମନ୍ଦିର ଦ୍ବାରା ସେମାନଙ୍କ
ପାଇଁ ଚିରଦିନ ବନ୍ଦ ରହିଛି। ଦଳିତଙ୍କ ଯେଉଁ କୌଳିକ ବୃତ୍ତି ଜେଜେବାପା ଅମଳରୁ କରି ଆସୁଛନ୍ତି, ସେହି ଗୋଲକ ଧନ୍ଦାରେ ଆବଦ୍ଧ। ଯେଉଁମାନେ ଧୋବା ସଂପ୍ରଦାୟର ଲୋକ , ସେମାନଙ୍କ କୌଳିକ ବୃଳତ୍ତି ଲୁଗା କାଚିବା, ସେଥିରୁ ପରିତ୍ରାଣ ନାହିଁ। ଯିଏ
ଅନ୍ଯ ବୃତ୍ତି କରି ଜୀବିକାର୍ଜନ କରିବା କୁ ମନ ବଳାଇଲେ, ଉଚ୍ଚ ବର୍ଣ୍ଣର ଲୋକମାନେ ଲୁଗା ଧୋଇବାକୁ ବାଧ୍ଯ କରନ୍ତି। ଯଦି କିଏ
ସ୍ବାଭିମାନରେ ଜୀଇଁବା ପାଇଁ ଚାହେଁ,ସେ ନିର୍ଯାତନାର ଶିକାର ହେବାକୁ ପଡେ। ଗାଁ ରୁ ବାସନ୍ଦ କରାଯାଏ । ନତୁବା ଶାରିରୀକ
ନିର୍ଯାତନା ଭୋଗିବାକୁ ବାଧ୍ଯ ହୁଏ। ଅନ୍ୟାନ୍ୟ ସଂପ୍ରଦାୟ ମଧ୍ୟ ନିଜର କୌଳିକ ବୃତ୍ତିରୁ ବିଚ୍ୟୁତ ହୋଇ ପାରେ ନାହିଁ।
ତେବେ ଧୋବାମାନେ ଧୋବା ତୁଠରୁ ଲୁଗା ସଫାକରି ଆସିଲା ବେଳେ ସ୍ପୃଶ୍ଯ ଏବଂ ଅନ୍ଯ ସମୟରେ ଅସ୍ପୃଶ୍ୟ ଭାବେ ଗଣ୍ୟ। ତେଣୁ ଧୋବା ମାନେ ସଂପୂର୍ଣ୍ଣ ସ୍ପୃଶ୍ଯ ନୁହେଁ କି ସଂପୂର୍ଣ୍ଣ ଅସ୍ପୃଶ୍ୟ ନୁହଁନ୍ତି। ବର୍ତ୍ତମାନ ଏହି ସଂପ୍ରଦାୟର ଲୋକମାନେ ସମ୍ବିଧାନ ର ସମସ୍ତ ପ୍ରକାରର ସଂରକ୍ଷଣ ନେଇ ପ୍ରତିଷ୍ଠିତ ହୋଇ ପାରିଛନ୍ତି।
କିନ୍ତୁ ଅନୁସୂଚୀତ ଜାତିର ଅନେକ ଉପଜାତି ରହିଛନ୍ତି, ସେମାନଙ୍କ ବିକାଶ ଆଜି ମଧ୍ୟ ଅନ୍ଧାକାର ଛନ୍ନ ।
ଗାଁ ଗହଳିରେ ଅନ୍ୟ ଏକ ସଂପ୍ରଦାୟ ହେଲା, ହାଡି ସଂପ୍ରଦାୟ। ଏହି ସଂପ୍ରଦାୟର ଲୋକମାନେ ଗଡ ଜାତ ରାଜାରାଜୁଡ଼ା ସମୟରୁ ଓଡ଼ିଶାରେ ବସବାସ କରି ଆସୁଛନ୍ତି। ବିଶେଷ କରି ଏମାନେ ବାଦ୍ଯକାର। ଏମାନଙ୍କ ପ୍ରକୃତି ବୃତ୍ତି ବାଦ୍ୟ ବଜାଇବା । ଏମାନେ ରାଜାରାଜୁଡ଼ା ସମୟରୁ ବାଦ୍ଯ ବଜାନ୍ତି। ଯୁଦ୍ଧ ଅଭ୍ୟାସ ବେଳେ ବୀର ବାଦ୍ଯ,ପାଇକ ଆଖଡ଼ା ଠାରୁ ଆରମ୍ଭ କରି ପୂନେଇ ପରବରେ ବାଦ୍ଯ ବଜାନ୍ତି। ବିବାହ ବ୍ରତ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟରେ ହାଡ଼ି ମାନେ ଏହି କୌଳିକ ପ୍ରବୃତ୍ତିରେ ସଂଶ୍ଳିଷ୍ଟ। ଚାଙ୍ଗୁ ଓ ଢୋଲ ହେଉଛି ପାରମ୍ପରିକ ବାଦ୍ଯ।
ଓଡ଼ିଶାର ପୁରପଲ୍ଲୀରେ ଦଣ୍ଡ ନୃତ୍ୟରେ ଢୋଲ ବାଦ୍ଯ ବାଦନ ହୁଏ। ଏହାକୁ ହାଡ଼ି ମାନେ ବାଦନ କରନ୍ତି। ଯେଉଁମାନେ ବାଦ୍ୟ
ବଜାଇବା କୁ ବାରଣ କରନ୍ତି, ଉଚ୍ଚ ଜାତିର ଲୋକମାନେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଅନ୍ତି। ଗାଁ ରୁ ବିତାଡିତ କରନ୍ତି।ଘର ଦ୍ବାର ଜାଳି ଦିଅନ୍ତି। ସେହି ପରି ବାଉରୀ ବା ଖଦାଳମାନେ କେଉଁ ଆବହମାନ କାଳରୁ ଶବାରୀ କାନ୍ଧରେ ଧରି ବିବାହ ସମୟରେ ବର ବା କନ୍ୟାକୁ ଗନ୍ତବ୍ୟ ସ୍ଥଳ କୁ ନେଇ ଥାନ୍ତି। ଆଭିଜାତ୍ୟ ସଂପୂର୍ଣ ଲୋକମାନେ ଶବାରୀକୁ ବ୍ୟବହାର
କରିଥାନ୍ତି।ଏବେ ସେ ଶବାରୀ ପରମ୍ପରା ନାହିଁ। ବହୁଳ ଭାବେ ଯାନବାହାନ ର ବ୍ୟବହୃତ ଦେଖିବାକୁ ମିଳୁଛି। ବାଉରୀ ମାନଙ୍କ
କୌଳିକ ବୃତ୍ତି ଆଧୁନିକ ଯୁଗରେ ପୂର୍ଣ୍ଣ ଛେଦ ପକାଇବା ଫଳରେ ସେମାନେ ଏବେ ଦିନ ମଜୁରିଆ। ଗାଁ ଛାଡି ସହରାଭିମୁଖୀ ହେଲେଣି। ଗାଁ ରେ ଅନ୍ୟ ଏକ ଦଳିତ ସଂପ୍ରଦାୟ ହେଲେ କେଉଟ। କେଉଟମାନେ ବର୍ଷା ଦିନେ ନଦୀରେ ନାବ ଚାଳନା କରିବା ଓ ଜଳାଶୟରୁ ଜାଲ ପକାଇ ମାଛ ଧରିବା ତାଙ୍କର କୌଳିକ ବୃତ୍ତି। ଏହା ଛଡା କେଉଟୁଣୀମାନେ ଗାଁ ଗହଳିରେ ଢେଙ୍କିରେ ଧାନ ଓ ଚୁଡ଼ା କୁଟିବା ତାଙ୍କର ପ୍ରମୁଖ କାର୍ଯ୍ୟ ଥିଲା। ଏଥି ପାଇଁ ଗଉଣୀ ହିସାବରେ ପାଉଣା ଦେବାକୁ ପଡୁଥିଲା। କେଉଟୁଣୀମାନେ ମୁଢ଼ି,ଲିଆ ମଧ୍ୟ ଭାଜୁଥିଲେ। ଏମାନେ ଗାଁ ଗହଳିରେ ଅସ୍ପୃଶ୍ୟ ଭାବେ ଗଣା ଯାଉ ନଥିଲେ। ଏମାନଙ୍କ ବୃତ୍ତି ଏବେ ମଧ୍ୟ ବଳବତ୍ତର ରହିଛି। କେବଳ କେଉଟମାନେ ହିଁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଅନ୍ୟାନ୍ୟ ଦଳିତମାନ ଠାରୁ ଆଗରେ ଅଛନ୍ତି। ସଂରକ୍ଷଣ ର ସମସ୍ତ ସୁବିଧା ଏହି ସଂପ୍ରଦାୟ ଲୋକମାନେ ଭରପୁର ଫାଇଦା ନେଇଛନ୍ତି।
ଏହା ବ୍ୟତିତ ସାପୁଆକେଳା ଅନ୍ଯ ଏକ ଦଳିତ ସଂପ୍ରଦାୟ ଲୋକମାନେ କାଁ ଭାଁ ଦେଖିବାକୁ ମିଳେ । ଏମାନଙ୍କ ମୁଖ୍ୟ ବୃତ୍ତି ହେଲା ସାପ ଧରିବା । ସାପକୁ ଧରି ଗାଁ ଗାଁ ବୁଲି ସାପ ଖେଳାଇ ଭିକ ମାଗିବା ସହ ଡେଉଁରିଆ ବିକିବା। ସର୍ପ ଦଂଶନ ହେଲେ ଚେର ମୂଳ ଦେଇ ଭଲ କରିବା। ଆଉ କିଛି କେଳା ପରିବାର ବାଉଁଶରେ ଚଢି କେଳା ନୃତ୍ୟ ପରିବେଷଣ କରି ମନୋରଞ୍ଜନ କରିବା। ଅବଶ୍ୟ କେଳାମାନେ ଆଉ ସାପ ଧରି ଭିକ୍ଷା ବୃତ୍ତି କରିବା , ନୃତ୍ୟ ପରିବେଷଣ କରିବା ଆଦି କୌଳିକ ବୃତ୍ତିରୁ ନିବୃତ୍ତ। ସେମାନେ ଏବେ ବିଭିନ୍ନ ଶ୍ରମଜୀବୀ ଭାବେ ଗ୍ରାମାଳ ପରିତ୍ୟାଗ କରି ସହରାଭିମୁଖୀ।ଅନ୍ଯ ଏକ ସଂପ୍ରଦାୟ ହେଲା ମୋଚି। ଏମାନେ ଗଡ ଜାତ ରାଜ୍ୟଗୁଡ଼ିକରେ ବସବାସ କରୁଥିଲେ। ଜୀବଜନ୍ତୁ ମଲେ ବାହାର କରୁଥିଲେ। ଏ ମୋଚି ଜାତିମାନେ ବିଶେଷ କରି ଗାଈଗୋରୁ ମଲେ ଚମଡା ଉତ୍ତାରୁ ଥିଲେ। ଏବଂ ଏହି ଚମଡାରୁ ଯୋତା, ଚମଡା ବ୍ଯାଗ ଆଦି ନିର୍ମାଣ କରୁଥିଲେ। ଚମଡାରୁ ବାଦ୍ୟଯନ୍ତ୍ର ଆବରଣ ତିଆରି ହେଉଥିଲା । ମର୍ଦ୍ଦଳ,ଚୁବି ତବଲା,ଚାଙ୍ଗୁ ଏବଂ ଢୋଲ ଆଦି ଗାଈ ଚମଡାରେ ବାଦ୍ଯ ନିର୍ମାଣ ହେଉଥିଲା । ଅଧିକାଂଶ ବାଦ୍ଯ କାରିଗରୀ ହାଡ଼ ସଂପ୍ରଦାୟ ଲୋକମାନେ ତିଆରି କରୁଥିଲେ। ଏବେ ମୋଚି ମାନେ ସହରାଭିମୁଖୀ। ସହରକୁ ଯାଇ ଚମଡା ଶିଳ୍ପରେ କାର୍ଯ୍ୟ ରତ । ନତୁବା ସହରରେ ଚପଲ ଦୋକାନୀରେ
ନିଯୁକ୍ତି ପ୍ରାପ୍ତ। ଆଉ ଏକ ସଂପ୍ରଦାୟ ହେଲା ଦଣ୍ଡାସି ଉପଜାତି। ଏମାନେ ଗାଁ ଚୌକିଦାର। ବ୍ରିଟିଶ ସମୟରେ ମଧ୍ୟ ଏମାନଙ୍କୁ ଗାଁ ଗହଳିରେ ଚୌକିଦାର ରୂପେ ରଖାଯାଇଥାଏ। ଗାଁରେ ଚୋରୀ ହାରୀ ହେଲେ,ଏମାନଙ୍କୁ ଉତ୍ତର ଦାୟୀ କରାଯାଉଥିଲା। ଯଦିଓ କୌଣସି ଚୋରୀ ସାମଗ୍ରୀ ନ ମିଳେ , ତେବେ ଏମାନଙ୍କୁ ଅକଥନୀୟ ନିର୍ଯାତନା ଭୋଗିବାକୁ ପଡୁଥିଲା। ଆମେ ପିଲା ଦିନେ ଶୁଣିଛୁ: – ହାତିଆ ଦଣ୍ଡାସୀ କଥା। ସେ ଥିଲା ଘୁମୁସର ଅଞ୍ଚଳର କୁଖ୍ୟାତ ଚୋର । ବଡ ଶକ୍ତିଶାଳୀ ଥିଲା। ରାତାରାତି ଚାଉଳ ,ମୁଗ ପୁଡୁଗକୁ ମଧ୍ୟ ପିଠିରେ ଧରି ଅନାୟସରେ ଚାଲି ଯାଉଥିଲା। ସେ ସମୟରେ ଜମିଦାରମାନେ ହାତୀଆ ଦଣ୍ଡାସୀକୁ ଡରୁଥିଲେ । ଏବଂ ତାକୁ ଧାନ ମାଣ୍ଡିଆ ମୁଗ ବିରି ଅମଳ ହେଲେ
ସାମର୍ଥ୍ୟ ଅନୁସାରେ ଇନାମ ଦେଉଥିଲେ। ତା ପାଇଁ ଭଞ୍ଜନଗର ର ଜେଲ୍ କାନ୍ଥ ଉଚ୍ଚତା ବୃଦ୍ଧି ହୋଇଥିଲା। ସେହି ପରି ରଘୁଆ ଦଣ୍ଡାସୀ ମଧ୍ୟ କୁଖ୍ୟାତ ଚୋର ଥିଲା। ଏମାନଙ୍କ କାହାଣୀ ଯଦିଚ
ରଚନାବଳୀରେ ନାହିଁ, ତଥାପି ଦସ୍ୟୁ ରତ୍ନାକର ଭଳି ଦୁହିଁଙ୍କ ନାଁ
ଜନମୁଖରେ ମୁଖରିତ। ଆଜି ମଧ୍ୟ ଗଞ୍ଜାମ ରେ ଗାଁ ଗହଳିରେ ଦଣ୍ଡାସୀମାନେ ଗାଁ ଚୌକିଦାର ଭାବେ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଶ୍ରମଜୀବୀ ଭାବେ ଅନ୍ୟାନ୍ୟ କାର୍ଯ୍ୟ ରେ ସଂପୃକ୍ତ। ଏମାନେ ମଧ୍ୟ ସଂପୂର୍ଣ୍ଣ ଅସ୍ପୃଶ୍ୟ ଭାବେ ଜୀବନ ଯାପନ କରନ୍ତି।
ପାଣ,ଡମ୍ବ,କଣ୍ଡରା,ଗୋଖା ଶହେରୁ ଊର୍ଦ୍ଧ୍ବ ଦଳିତ ବା ଅନୁସୂଚିତ ଜାତି ର ଲୋକମାନେ ଓଡିଶାର ଗାଁ ଗହଳିରେ ବସବାସ କରି ଆସୁଛନ୍ତି। ଆଜି ମଧ୍ୟ ଅନେକ ଦଳିତମାନେ ସାମାଜିକ, ଆର୍ଥିକ, ରାଜନୈତିକ ଓ ଶୈକ୍ଷିକ କ୍ଷେତ୍ରରେ ବହୁ ପଛରେ ଅଛନ୍ତି। ଯେଉଁମାନେ ଦଳିତମାନେ ସହରରେ ବସବାସ କରୁଛନ୍ତି, ସେମାନେ ନିଜ ନିଜର କୌଳିକ ବୃତ୍ତିକୁ ଛାଡି ନିଜ ସୁବିଧା ଅନୁଯାୟୀ ବୃତ୍ତି କୁ ଆପଣାଇଲେଣି । ସେମାନଙ୍କ ଦାୟଦମାନେ
ଅସ୍ପୃଶ୍ୟତାରୁ ବାହାର। ଗାଁ ଗହଳିରେ ଘଟୁଥିବା ଦଳିତମାନଙ୍କ ପ୍ରତି ହେଉଥିବା ଖାଫ୍ ପଞ୍ଚାୟତରୁ ବିମୁକ୍ତ। ସହରରେ ଜାତି ଭେଦ ଗ୍ରାମାଞ୍ଚଳ ଭଳି ଉତ୍କଟ ନୁହେଁ। ଜୀଇଁବାର ଜୀବନ ଶୈଳୀ
ସରଳ ଓ ସୁଗମ।
ଯେଉଁ ଦଳିତ ବର୍ଗର ଲୋକମାନେ ଆର୍ଥିକ ସ୍ବଛଳ, ସେମାନେ
ଗାଁ ରେ ନିର୍ଯାତନା ଭୋଗି ରହିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ସହରୀ ଜୀବନ ଯାପନକୁ ଶ୍ରେଷ୍ଠ ବୋଲି ବିବେଚନା କରନ୍ତି। ଆଉ ଯେଉଁମାନେ ଆର୍ଥିକ ଦୁର୍ବଳ ଏବଂ ଅଶିକ୍ଷିତ, ସେମାନେ ଗାଁ ଭିଟାମାଟିର ରହି ଉଚ୍ଚ ବର୍ଣ୍ଣର ଲୋକମାନଙ୍କ ଦ୍ବାରା ଶୋଷିତ, ନିର୍ଯାତିତ ଏବଂ ସମସ୍ତ ସାମ୍ବିଧାନିକ ସୁଖ ସୁବିଧାରୁ ବଞ୍ଚିତ। ମହାତ୍ମାଗାନ୍ଧୀଙ୍କ ଅସ୍ପୃଶ୍ୟତା ନିବାରଣ, ତତ୍କାଳୀନ କଂଗ୍ରେସ ଦଳର ମୁଖ୍ଯ ସାମାଜିକ ସଂସ୍କାର ଥିଲା ବେଳେ ବର୍ତ୍ତମାନର କଂଗ୍ରେସ ସେହି ମୁଦ୍ଦାକୁ ନିର୍ବାଚନୀ ପ୍ରସଙ୍ଗ
ରୁ ଦୂରେଇ ରହିଛି। ମହାତ୍ମା ଗାନ୍ଧୀଙ୍କ ହରିଜନ ଯାତ୍ରା ଏବଂ ହରିଜନଙ୍କ ମନ୍ଦିର ପ୍ରବେଶ ଭଳି କ୍ରାନ୍ତିକାରୀ ଜନ ଆନ୍ଦୋଳନ ଆଜି ନିଷ୍ପ୍ରଭ। କଂଗ୍ରେସ ଦଳ ଯେଉଁ ମହାତ୍ମାଗାନ୍ଧୀଙ୍କୁ ନେଇ ଗର୍ବ କରୁଥିଲେ ବା ସେହି ଦଳର ପଥ ପ୍ରଦର୍ଶକ, ସେହି ନୀତି ବା ଆଦର୍ଶ ଆଉ ନାହିଁ। ଅନ୍ୟାନ୍ୟ ଦଳ ମଧ୍ୟ ଅସ୍ପୃଶ୍ୟତା ନିବାରଣ ଉପରେ ଗୁରୁତ୍ୱାରୋପ କରୁନଥିବାରୁ ଦଳିତଙ୍କ ଉତ୍ଥାନ ଆଜି ମଧ୍ୟ ତିମିର ତୃଷ୍ଣା….!! ଆଜି ଯଦି ଅନୁଧ୍ୟାନ କରାଯାଏ ଦଳିତ ନିର୍ଯାତନା ମାମଲା ଥାନରେ ବେଶି ଋଜୁ ହୋଇଛି। ପ୍ରତି ଦିନ ଦେଶରେ ପ୍ରତି ଦିନ ଦଳିତ ମାନଙ୍କୁ ଅତ୍ୟାଚାର କରାଯାଉଛି।
ଏଥି ପ୍ରତି କେନ୍ଦ୍ର ବା ରାଜ୍ୟ ସରକାର ଯେତିକି ଗୁରୁତ୍ବ ଦେବା କଥା, ସେତିକି ଦିଆ ଯାଉ ନାହିଁ।
ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ (ଏମ୍ଏ. ସମାଜ ବିଜ୍ଞାନ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭