ମାଲକାନଗିରି,୦୮/୦୯(ପିପିଟି):ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଓଡିଆ ଭାଷା କଦର୍ଥ କଦାକାର ଆଡକୁ ଗତି କରୁଛି । ବେସରକାରୀ ଦୋକାନ ଗୁଡିକରେ ଯେଉଁ ଫଳକ ଲାଗାଯାଉଛି ସେହି ଫଳକଗୁଡିକରେ ଯାହା କିଛି ଓଡିଆ ଶବ୍ଦରେ ଲେଖାଯାଉଛି,ସେଥିରେ ଅନେକ ତୃଟି ପରିଲିକ୍ଷିତ ହେଉଛି । ଯାହାକି ଚିନ୍ତାଜନକ । ଯଦି ସରକାରୀ ସ୍ତରରେ ଓଡିଆ ଭାଷାକୁ ବିକୃତ ଭାବେ ଲେଖାଯିବ ସବୁ ଠାରୁ ଲଜ୍ଜାଜନକ ଘଟଣା କହିଲେ ଅତ୍ଯୁକ୍ତି ହେବ ନାହିଁ . ଉଦାହରଣ ସ୍ବରୂପ ମାଲକାନଗିରି ସଦର ମହକୁମାରେ ଥିବା ମାଲକାନଗିରି ତହସିଲ କାର୍ଯ୍ଯାଳୟର ସମ୍ମୁଖ ନାମ ଫଳକକୁ ଟିକେ ଦୃଷ୍ଟିଗୋଚର କଲେ ଜଣା ପଡୁଛି ଯେ ତହସିଲ ବଦଳରେ “ତହସଲ” ଲେଖା ହୋଇଛି । ହେଲେ ସଂଶୋଧନ କରିବାକୁ ମାଲକାନଗିରି ତହସିଲଦାରଙ୍କ ବୋଧେ ସମୟ ନାହିଁ । ତେଣୁ ଏହି ଅସଂଶୋଧିତ ଫଳକଟି ମାସ ମାସ ବ୍ଯାପି ଜନତାଙ୍କ ମନକୁ ବିଭ୍ରାନ୍ତ କରୁଛି । ଏଣୁ “ତହସଲ” ବଦଳରେ ତହସିଲ ଲେଖି ତୁରନ୍ତ ସଂଶୋଧନ କରାଗଲେ ଓଡିଆ ଭାଷାର ସମ୍ମାନ ଅକ୍ଷୁର୍ଣ୍ଣ ରହନ୍ତା ବୋଲି ଆଶା ପ୍ରକଟ କରାଯାଉଛି । ପ୍ରକାଶ ଥାଉ କି ମାଲକାନଗିରି ତାଲୁକଟି ୧୯୪୨ ମସିହାରେ ଅର୍ଥାତ ଇଂରେଜମାନଙ୍କ ଶାସନ କାଳରେ ପ୍ରତିଷ୍ଠା ଲାଭ କରିଥିଲା ।ଐତିହାସିକ ଦୃଷ୍ଟି କୋଣରୁ ବିଚାର କରାଗଲେ ଏହି ତାଲୁକଟି ବହୁଗୁରୁତ୍ବ ବହନ କରେ । ଇଂରେଜ ଶାସନ କାଳର କୀର୍ତ୍ତିରାଜି ଭାବେ ବିରାଜମାନ ଏହି ମାଲକାନଗିରି ତହସିଲ ସବୁ ବୁଦ୍ଧିଜୀବୀମାନଙ୍କ ଭାବାବେଗକୁ ଆକର୍ଷିତ କରିଥାଏ । ଯଦିଓ ଏହା ଏକ ତହସିଲ ଭାବେ କାର୍ଯ୍ଯ କରିଆସୁଛି ତାହା ନୁହଁ, ଏହା ଏକ ପ୍ରାଚୀନ ଐତିହାସିକ ସ୍ମାରକୀ ଭାବେ ଦଣ୍ଡାୟମାନ ଏଥିରେ ଦ୍ବିମତ ନାହିଁ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post