ଡ଼ହ ଜଳଭଣ୍ଡାରରୁ ବନ୍ୟାଜଳ ଛାଡିବା ପାଇଁ ସତର୍କ ସୂଚନା ।

0 305

ଭଞ୍ଜନଗର, ୧୮/୯(ପିପିଟି):ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଡ଼ହ ଜଳସେଚନ ଉପ ବିଭାଜନ, ଭଞ୍ଜନଗର ତରଫରୁ ସତର୍କ ସୂଚନା ଜାରି କରାଯାଇଛି।ଗତ ୬ଦିନ ହେଲା ଲଘୁଚାପଜନିତ ପ୍ରବଳ ବର୍ଷାରେ ଡ଼ହ ଜଳଭଣ୍ଡାର ବର୍ତ୍ତମାନ ପ୍ରାୟ ନବେ ପ୍ରତିଶତ ଜଳପୂର୍ଣ୍ଣ ହୋଇ ଯାଇଛି। ଆଗକୁ ଡ଼ହ ନଦୀର ଉପର ମୁଣ୍ଡରେ ବର୍ଷା ଆଶଙ୍କା ଥ‌ିବାରୁ ଜଳଭଣ୍ଡାରର ସୁରକ୍ଷା ନିମନ୍ତେ ଅତ୍ୟଧିକ ଜଳକୁ ଯେ କୌଣସି ସମୟରେ ଜଳଭଣ୍ଡାର ସିଲୱେ ମାଧ୍ୟମରେ ସତର୍କ ଘଣ୍ଟି ବଜାଇ ଡ଼ହନଦୀ ମଧ୍ୟକୁ ଜଳ ନିଷ୍କାସନ କରାଯାଇ ପାରେ।ଯେହେତୁ ଡ଼ହନଦୀ ଲୋହରାଖଣ୍ଡି ନଦୀରେ ମିଶି ଥିବୀରୁ ଲୋହରାଖଣ୍ଡି ଅବବାହିକାରେ ବାସ କରୁଥ‌ିବା ସମସ୍ତ ନଈ କୁଳିଆ ଗ୍ରାମବାସୀ ତଥା ସର୍ବସାଧାରଣ ଏହି ସମୟରେ ନଦୀ ଓ ନାଳ ଗର୍ଭକୁ ଯିବା ସମୟରେ ସାବଧାନତା ଅବଲମ୍ଵନ କରିବେ ଏବଂ ଗୃହପାଳିତ ପଶୁଙ୍କୁ ନଈ ଭିତରକୁ ଛାଡିବେ ନାହିଁ । ଏହି କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରି ନିଜର ଧନ ଓ ଜୀବନର ସୁରକ୍ଷା ନିମନ୍ତେ ସଚେତନ କରାଯାଇଛି।ଏହାର ପ୍ରଭାବରେ ଗୁରା ବାଡ଼ି, ନନ୍ଦିନୀପଲ୍ଲି, ଡୁମାକୁମ୍ପା, ଯୋଗୀମାରୀ, ବଡକୋଦାଣ୍ଡା, ଚୂନପଲ୍ଲୀ, ବାଉଁଶଲୁଣ୍ଡି, ବାହାଡାପଦର, ରାଜକୁଣ୍ଡୁ ଗ୍ରାମବାସୀଙ୍କ ସୁରକ୍ଷା ନିମନ୍ତେ ଗ୍ରାମର କୋଠ ଘର ଓ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ମଧ୍ୟ ସତର୍କ ସୂଚନା ଦିଆଯାଇଛି।ଏଥିସହ ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ମଧ୍ୟ ଅବଗତ କରାଯାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପଞ୍ଚୁ ବେହେରା କହିଛନ୍ତି।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.