ଆମେ ସହର ବଜାର ସବୁଠି ଡଷ୍ଟବିନ୍ ରଖାଯାଇଥିବା ଦେଖୁ। ସେଥିରେ ଘରର ସମସ୍ତ ବର୍ଜ୍ୟବସ୍ତୁ ଫୋପାଡୁ। ଆଉ ସେହି ବର୍ଜ୍ଯ ବସ୍ତୁକୁ ଡଷ୍ଟବିନ୍ ରୁ ସଂଗୃହିତ କରି ସଫେଇ କର୍ମଚାରୀମାନେ ସକାଳେ ଆସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜମା କରନ୍ତି। ଏଣୁ ସହରଟା ପରିଷ୍କାର ପରିଚ୍ଛନ୍ନ ହୋଇଥାଏ। ଯଦି ଏଥିରେ ବ୍ୟତିକ୍ରମ ଘଟେ ତେବେ ସହରଟି ଆବର୍ଜନାରେ ପରିପୂର୍ଣ୍ଣ ହୋଇ ଦୁର୍ଗନ୍ଧ ଉତ୍ପନ୍ନ ହେବ। ପରିବେଶ ଅସ୍ବାସ୍ଥ୍ୟକର
ହୋଇପଡିବ। କାଳକ୍ରମେ ଲୋକମାନେ ରୋଗାକ୍ରାନ୍ତ ହେବା ର
ଯଥେଷ୍ଟ ସମ୍ଭାବନା ରହିଥାଏ। ଏଣୁ ସୁସ୍ଥ ଜୀବନ ଯାପନ ପାଇଁ ପରିବେଶକୁ ସ୍ବଛ ରଖିବା ପାଇଁ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ କୁହାଯାଛି- ସ୍ବାସ୍ଥ୍ୟ ହିଁ ସଂପଦ । ଯିଏ ଯେତେ ସୁସ୍ଥ ରହିବ,ସେ ସେତିକି ଦୀର୍ଘଜୀବୀ ହେବ।
ତେବେ ଏହା ହେଉଛି,ଆମ ପରିବେଶ କଥା। ତେବେ ଆମ
ମନରେ ବି ସେମିତି ବର୍ଜ୍ୟବସ୍ତୁ ଭଳି କଳଙ୍କିତ ଚିନ୍ତାଧାରା ରହିଛି। ଯାହାର ଫଳ ସ୍ବରୂପ ସମାଜକୁ ପ୍ରଭାବିତ କରୁଛି। ଜଣେ ବ୍ୟକ୍ତି ଯଦି ପଡୋଶୀ ଭାବେ ମଦ୍ୟପ ଥିବ, ମଦ୍ୟପ କରି
ଅଯଥାରେ କଳହ ସୃଷ୍ଟି କରୁଥିବା, ଆମକୁ ବହୁତ୍ ଅସହ୍ୟ ମନେ ହୁଏ। ଯଦି ପଡୋଶୀ ଜଣକ ଲମ୍ପଟ ହୋଇଥାଏ,ମା’ ଭଉଣୀ ସୁରକ୍ଷିତ ହୋଇ ନଥାନ୍ତି। ଯଦି ପଡୋଶୀ ଜଣକ
ଚୋର ଡକାୟତ ହୋଇ ଥିବ,ଆମ ଧନ ସଂପତ୍ତି ମଧ୍ୟ ଅସୁରକ୍ଷିତ ହୋଇ ପାରେ। ଏଣୁ ଆମେ ସର୍ବଦା ଚିନ୍ତା କରୁ ଆମ ପଡୋଶୀ ଯେମିତି ଉତ୍ତମ ପ୍ରକୃତିର ହେଉ। ଏଣୁ ମଣିଷ ସର୍ବଦା
ଅପରାଧ ଶୂନ୍ୟ ଜୀବନ ନିର୍ବାହ କରିବାକୁ ଶ୍ରେୟସ୍କର ମଣେ ।
ଯଦି କଦର୍ଯ୍ୟ ଓ କଦାକାର ପରିବେଶରେ ନିବାସ କରେ ମନରେ ଅଶାନ୍ତି ଉଦ୍ରେକ କରିଥାଏ । ଏହା ହିଁ ନର୍କ, ଯେଉଁଠି ଧନ,ଜୀବନ, ସମ୍ମାନ ସୁରକ୍ଷା ନଥିବ। ତାହା ହିଁ ସ୍ବର୍ଗ ଯେଉଁଠି ଚରିତ୍ରବାନ ଲୋକମାନେ ବସବାସ କରୁଥିବେ। କେବଳ ଯେ ପରିବାରରେ ସୁଖ ଶାନ୍ତି ବଜାୟ ରହିଲେ , ସ୍ୱର୍ଗୀୟ ଆନନ୍ଦ ଅନୁଭବ ହେବ ତାହା ନୁହେଁ, ଆମେ ଯେଉଁଠି ଘର ଟିଏ ନିର୍ମାଣ କରି ରହିଛୁ,ସେଠିକାର ପଡୋଶୀମାନେ ମଧ୍ୟ ଉତ୍ତମ ଗୁଣ ସମ୍ପନ୍ନ ହେବା ବାଞ୍ଛନୀୟ। ନତୁବା ଗଣ୍ଡ ଗୋଳ , ରକ୍ତପାତ ସଦା ସର୍ବଦା ଲାଗି ରହିବ। ଥାନା କୋର୍ଟକଚେରୀ ଧାଇଁ ଧାଇଁ ଅର୍ଥ ଶ୍ରାଦ୍ଧ ହେବ। ଧନ ଜୀବନ ସଂକଟ ପରିସ୍ଥିତି ଦେଇ ଗତି କରିବ।
ଏଣୁ ମଣିଷ ହିଁ ରାକ୍ଷସ ଆଉ ମଣିଷ ହିଁ ଦେବତା । ଦୁର୍ଜନ ପ୍ରକୃତି ଧାରୀ ମଣିଷକୁ ରାକ୍ଷସ ବୋଲି ବିବେଚନା କରାଯାଏ। ସୁଜନ ପ୍ରକୃତି ଧାରୀ ମଣିଷକୁ ଦେବତ୍ବ ବୋଲି ଗ୍ରହଣ କରାଯାଇଥାଏ। ଭଲ ଲୋକଙ୍କୁ ଲୋକେ ପ୍ରଶଂସା କରୁଥିବା ବେଳେ ମନ୍ଦ ଲୋକଙ୍କୁ ଲୋକେ ଘୃଣା କରିଥାନ୍ତି।
ଏ ତ ଗଲା ନିଜ ବାସ ସ୍ଥାନର ନିଛକ ସତ୍ୟ କଥା, ଏହା କୁ କେହି ଅସ୍ୱୀକାର କରି ପାରିବା ନାହିଁ। ବର୍ତ୍ତମାନ ଆସିବା ଆମ ଗଣତନ୍ତ୍ର ଶାସନର ସରକାରୀ ବ୍ୟବସ୍ଥା କଥା। ଆମର ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ ସରକାରୀ କଳ ଉପରେ ନିର୍ଭରଶୀଳ।
ମଣିଷ ଜନ୍ମ ହେବା ପାଇଁ ପ୍ରସୂତି ନିର୍ଭର କରେ ସରକାରୀ ଚିକିତ୍ସାଳୟରେ। ପାଠ ପଢିବା ପାଇଁ ନିର୍ଭର କରେ ସରକାରୀ ବିଦ୍ୟାଳୟରେ । ଗୃହ ନିର୍ମାଣ କରିବାକୁ ହେଲେ ଜମି କ୍ରୟ
ଲାଗି ରେଜିଷ୍ଟ୍ରେସନ କରିଥାଏ ତହସିଲ କାର୍ଯ୍ୟାଳରେ । ଚାକିରୀ
ଖଣ୍ଡେ ପାଇବାକୁ ନିର୍ଭର କରେ ବିଭିନ୍ନ ସରକାରୀ ବିଭାଗ ଉପରେ। ଏମିତି କି ଆମର ଯେତେ ଯେତେ ସରକାରୀ ବିଭାଗ ରହିଛି ଜନସ୍ବାସ୍ଥ୍ୟ, କୃଷି, ଜଙ୍ଗଲ, ବିଦ୍ୟୁତ, ଆଇଟିଡିଏ, ଡିଆରଡିଏ, ପଞ୍ଚାୟତ, ବ୍ଲକ, ଏନଏସି, ମୁନସିପାଲଟି , ସିଭିଲ ସପ୍ଲାଇ, ରେଭେନ୍ଯୁ, ଆରଡି,ପାଡବ୍ଲୁଡି, ମତ୍ସ୍ୟ,ଜଳ ସଂପଦ,
ଶିକ୍ଷା, ସ୍ବାସ୍ଥ୍ୟ ଇତ୍ୟାଦି ଇତ୍ୟାଦି ବିଭାଗ ଗୁଡିକ ଆମର ସେବାରେ ଆସିଥାନ୍ତି। ଏଥିପାଇଁ ସରକାର ସେମାନଙ୍କୁ ଦରମା ମାସିକ ପ୍ରଦାନ କରିଥାନ୍ତି।
ଜିଲ୍ଲାରେ ଏ ସବୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ଜଣେ ଜଣେ ଜିଲ୍ଲାପାଳ ନିଯୁକ୍ତି ହୋଇଥାନ୍ତି। ଆଉ ଆଇନ୍ ଶୃଙ୍ଖଳା ବୁଝିବା ପାଇଁ ଜଣେ ଜଣେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ
ନିଯୁକ୍ତି ହୋଇଥାନ୍ତି। ବିଭିନ୍ନ ବିଭାଗ ଲାଗି ଜଣେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ନିଯୁକ୍ତି ହୋଇଥାନ୍ତି। ଏମାନେ ଜନତାଙ୍କ ସେବା କରିବେ। ଏଥିପାଇଁ ଜନତାଙ୍କ ଟାକ୍ସିରେ ସେମାନଙ୍କୁ ଦରମା ପ୍ରଦାନ କରାଯାଏ।
ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ଗୋଟିଏ
ଗୋଟିଏ ସାଇନ୍ ବୋର୍ଡ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଲଗଯାଇ ସରକାରୀ କର୍ମଚାରୀମାନଙ୍କୁ ସଚେତନତା କରାଯାଇଥିଲା ଯେ ସାଧାରଣ ଲୋକଟିଏ ଯେତେବେଳେ କୌଣସି କାର୍ଯ୍ୟ ଲାଗି ସରକାରୀ କାର୍ଯ୍ୟାଳୟକୁ ଆସିବ ତାଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବ ଏବଂ ନିଃସ୍ଵାର୍ଥପର ସେବା କରିବ। ସାଧାରଣ ଲୋକମାନେ ଭାବୁଥିଲେ ଯେ ଯେତେ ସବୁ ସରକାରୀ କର୍ମଚାରୀମାନେ ନିଯୁକ୍ତି ପାଇଛନ୍ତି, ସେମାନେ ଆମର ସେବକ। ଏ ସବୁ ଅନୁଭବ ବର୍ତ୍ତମାନ ନାହିଁ। ଓଡ଼ିଶା ରେ
ବିଜେପି ସରକାର ଆସିଲା ପରେ, ସେହି ସାଇନ୍ ବୋର୍ଡ ଉଠି ଗଲା। ଲୋକମାନେ ଆଉ ଜାଣିବ ପାରିଲେ ନାହିଁ,ଯେ ଏହି ସରକାରୀ କର୍ମଚାରୀମାନେ ଜନ ସାଧାରଣଙ୍କ ସେବକ ବୋଲି।
ଏବେ ସବୁଠି ହାକିମ ରାଜ। ବ୍ରିଟିଶ ରାଜ। ସରକାରୀ କର୍ମଚାରୀମାନଙ୍କ ଅଗଣତାନ୍ତ୍ରିକ ରାଜ। କୌଣସି ସରକାରୀ କାର୍ଯ୍ୟାଳୟକୁ ଗଲେ, ସରକାରୀ ଅଧିକାରୀ ଜଣକ ଚେୟାରରେ ବସିବା ପାଇଁ କହୁନଥବା ଜଣା ପଡ଼ିଛି। ସାଧାରଣ ଜନତାଙ୍କୁ ତୁଛ ଏବଂ ହେୟ ମନେ କରୁଛି। ବର୍ତ୍ତମାନ ଗଣତନ୍ତ୍ର ନାମକୁ
ମାତ୍ର। ଜନତାଙ୍କ ସେବା ପାଇଁ ସବୁଠି ଲାଞ୍ଚ ଆବଶ୍ୟକ। ଯେଉଁ ବିଭାଗକୁ ଗଲେ ପିସି କାରବାର। ସରକାରୀ କାର୍ଯ୍ୟାଳୟ ଗୁଡିକ ଏକ ପ୍ରକାର ବ୍ୟବସାୟ ଅନୁଷ୍ଠାନରେ ପରିଣତ ହେଲାଣି
। ବିନା ଉତ୍କୋଚରେ କୌଣସି କାର୍ଯ୍ୟାଳୟରେ ଛୋଟିଆ କାର୍ଯ୍ୟ ଟିଏ ମଧ୍ୟ ହୋଇ ପାରୁ ନାହିଁ। ନେତା ବଦଳି ଗଲେ। ନବୀନ ସରକାର ପରେ ମୋହନ ସରକାର ଆସିଲେ। ମାତ୍ର ସରକରୀ କର୍ମଚାରୀ ବଦଳିବାର ନାହିଁ। ପୂର୍ବରୁ ଯେଉଁ ମାନସିକତା ନେଇ
ଦୁର୍ନୀତି ଖୋର କର୍ମଚାରୀମାନେ କାର୍ଯ୍ୟ କରୁଥିଲେ, ଆଜି ମଧ୍ୟ ସେ ଚିନ୍ତାଧାରାରେ କାର୍ଯ୍ୟରତ । ଜନତା ପୂର୍ବ ପରି ମାନସିକ ଚାପରେ ଅଛନ୍ତି।
ବିଶେଷ କରି କେବିକେ ଜିଲ୍ଲାଗୁଡିକର ଉନ୍ନତି ପାଇଁ ପୂର୍ବତନ କେନ୍ଦ୍ର ସରକାର ଅନାହାର ମୃତ୍ୟୁ ରୋକିବା ଏବଂ ଆର୍ଥିକ ବିକାଶ ଲାଗି ଯେଉଁ ସବୁ ପଦକ୍ଷେପ ନେଇ ଅନୁଦାନ ଦେଇଥିଲେ, ଆଜି ସେହି ଯୋଜନା ନାହିଁ। ଏଣୁ ଏଠାରେ ଦାରିଦ୍ର୍ୟତା ଆଜି ମଧ୍ୟ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି। ଆଜି ମଧ୍ୟ ପଡୋଶୀ ରାଜ୍ୟଗୁଡିକୁ ଦାଦନ ଚାଲାଣ,ଦାଦନ ମୃତ୍ୟୁ ଲାଗି ରହିଛି। ଗାଁ କୁ ଭଲ ରାସ୍ତା ଟିଏ ନାହିଁ। ପାନୀୟ ଜଳ ସଂକଟ। ସ୍ବାସ୍ଥ୍ୟ ସୁବିଧା ଲାଗି କେଉଁଠି
ଚିକିତ୍ସାଳୟ ନାହିଁ। ଆଉ କେଉଁଠି ଚିକିତ୍ସାଳୟ ଥିଲେ, ଡାକ୍ତର ନାହିଁ। ଆର୍ଥିକ ବିକାଶ ଲାଗି କଳକାରଖାନା ନାହିଁ କି କୁଟୀର ଶିଳ୍ପ ବା କ୍ଷୁଦ୍ର ଶିଳ୍ପର ସ୍ଥାପନ ନାହିଁ। କେବଳ ଭୋଟ ବ୍ୟାଙ୍କ ସୁଦୃଢ ଲାଗି ଚାଲିଛି ମାନସିକ ୫ କେଜି ଚାଉଳ ମାଗଣାରେ ବଣ୍ଟନ। କେନ୍ଦ୍ର ସରକାରଙ୍କ ଏହା ହେଲା ଗରିବ ଅନାହାର ଜନତା ପାଇଁ ବଡ଼ ଉପହାର।
କେବିକେ ଜିଲ୍ଲାରେ ଆଠ ଗୋଟି ଜିଲ୍ଲା ରହିଛି । ସେଗୁଡିକ ହେଲା:- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି,ନୂଆପଡା, ବଲାଙ୍ଗିର ଓ ସୁବର୍ଣ୍ଣପୁର।
ଏସବୁ ଜିଲ୍ଲାଗୁଡିକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଓଡ଼ିଶାରେ ସୁପରିଚିତ। ଏହି ଜିଲ୍ଲାର ଉନ୍ନତି ଲାଗି ରାଜନୈତିକ ଦଳମାନେ କୁମାରୀ କାନ୍ଦଣା କରନ୍ତି। ନିର୍ବାଚନ ବେଳେ ବଡ଼ ବଡ଼ ଭାଷଣ ମାରନ୍ତି। କିନ୍ତୁ ନିର୍ବାଚନ ସରିଗଲା ପରେ ସବୁ ପ୍ରତିଶ୍ରୁତି ଭୁଲି ଯାଆନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ବର। ସବୁ ବିଭାଗର ମନ୍ତ୍ରୀ ଏବଂ ସଚିବ ସେଠାରେ। ଯେଉଁମାନେ ମନ୍ତ୍ରୀ ବା ସଚିବଙ୍କ ଆଦେଶକୁ ଅବମାନନା କରନ୍ତି। ସେମାନଙ୍କୁ ବଦଳି ହୁଏ କେବିକେ ଜିଲ୍ଲାକୁ । ଏହା କେଉଁ ଅମଳରୁ ପନିସମେଣ୍ଟ ଜିଲ୍ଲା ଭାବରେ କ୍ଷାତ ଥିଲା। ଆଜି ମଧ୍ୟ ସରକାରୀ ତାଲିକା ଭୁକ୍ତ ରହିଛି। ଏହି ଜିଲ୍ଲା ଗୁଡ଼ିକ ସବୁ ଦିଗରୁ ପଛୁଆ।
ଆଉ ଅଭିଶପ୍ତ ଅଞ୍ଚଳ। ଏଣୁ ଯେଉଁ ଯେଉଁ ଅଫିସରମାନେ ଏହି ସବୁ ଅଞ୍ଚଳକୁ ଆସନ୍ତି, ସେମାନେ ଗୋଟିଏ ଗୋଟିଏ ଦାଗି ଅଫିସର ବୋଲି ଓଡ଼ିଶାରେ ଚର୍ଚ୍ଚିତ। ଏମାନେ ପନିସମେଣ୍ଟରେ
ଆସିଥିବାରୁ ଜନତାଙ୍କ ସେବା କରିବା ବଦଳରେ ନିଜ ସେବାରେ
ଲାଗି ପଡନ୍ତି। ସରକାରୀ ଯୋଜନାର ଅର୍ଥକୁ ଅସାଧୁ ଉପାୟ ରେ ଲୁଣ୍ଠନ କରି କୋଟିପତି ହେବାର ଦୃଷ୍ଟାନ୍ତ ଅନେକ ରହିଛି।
ଭିଜିଲାନ୍ସ ଜାଲରେ ଯେଉଁ ଅଧିକାରୀମାନେ ପଡ଼ିଛନ୍ତି। ସେମାନଙ୍କ ଆୟବର୍ହିଭୂତ ସମ୍ପତ୍ତି ଅମାପ। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା,ସୁନା ଅଳଙ୍କାର, କୋଠା ଆଉ ଜମି କ୍ରୟ, ବ୍ୟାଙ୍କ ବାଲାନାସକୁ ଆକଳନ କଲେ ଆଖି ଟେରା ହୋଇ ଯିବ।
ଗଣମାଧ୍ୟମରେ ଖବର ପ୍ରସାରିତ ହେଲା ପରେ ଜଣା ପଡ଼େ ଯେ ଯେଉଁ ଜିଲ୍ଲା ଏତେ ଦାରିଦ୍ରର କଷାଘାତରେ ଜର୍ଜରିତ, ସେହି ଜିଲ୍ଲାର ଯନ୍ତ୍ରୀ ଏବଂ ସରକାରୀ ଅଧିକାରୀମାନେ କୋଟି କୋଟି ଟଙ୍କାର ମାଲିକ। ରାଜ୍ଯ ସରକାର ଯେଉଁ ଅସାଧୁ ଦୁର୍ନୀତି ଖୋର ଅଫିସରମାନଙ୍କୁ ପନିସମେଣ୍ଟରେ କେବିକେ ଜିଲ୍ଲା ଗୁଡ଼ିକ ଡଷ୍ଟବିନ୍ ଭାବି ଫୋପାଡ଼ି ଦେଉଥିଲେ, ସେମାନେ
ଏଠାରେ ଆଉ କଣ ଭଲ କାମ କରିବେ କି ? ବରଂ କେବିକେ ଜିଲ୍ଲାଗୁଡିକୁ ଉନ୍ନୟନ ପାଇଁ ଯେଉଁ ସରକାରୀ ପାଣ୍ଠି ଆସୁଛି, ତାକୁ ଆତ୍ମସାତ କରିବାରେ ବ୍ୟସ୍ତ। ଜିଲ୍ଲାଗୁଡିକ ଯେଉଁ ଅବନତି କୁ ସେହି ଅବନତି। ସରକାରୀ କଳର ଭ୍ରଷ୍ଟାଚାର, ପ୍ରିୟା ପ୍ରୀତି ତୋଷଣ, ଠିକାଦାର ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା। ଆଉ ସ୍ଥାନୀୟ ନେତା ଅସାଧୁ ଅଫିସରଙ୍କ ଚକ୍ରବ୍ୟୁହରେ ନିରବ ଦ୍ରଷ୍ଟା। ଗଣ ମାଧ୍ୟମ ସ୍ଥାଣୁ। ଆଉ ଜିଲ୍ଲାପାଳମାନେ ମଧ୍ୟ ଏହି ଅର୍ଥ ଲାଳସା ରୁ ବାଦ୍ ପଡ଼ି ନାହାନ୍ତି। ଏଠି ବିକାଶ ଅପହଞ୍ଚ। ଆଉ ଗଣତନ୍ତ୍ର ମୂଲ୍ୟବୋଧର କେବଳ ସାମ୍ବିଧାନିକ ପୁସ୍ତକରେ ସୀମାବଦ୍ଧ ମାତ୍ର।
(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ,ଏମ.ଏ, ସମାଜ ବିଜ୍ଞାନ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋବାଇଲ ନମ୍ବର:୯୪୩୭୭୭୯୪୪୭