ଯାଜପୁର,୩୦/୦୧(ପିପିଟି) : ଦିନ ଦ୍ବିପହରରେ ଯାଜପୁର ଜିଲ୍ଲା ଜାରକା ଛକରେ ଠିକାଦାର ତଥା ବିଜେଡି ଯୁବ ସଂଗଠକ ଅକ୍ଷୟ ନାୟକଙ୍କୁ ଗାଡ଼ି ଭିତରୁ ଘୋଷାଡି ମାଡ ମରାଯିବା ଘଟଣାରେ ପୁଲିସ ୩ଜଣଙ୍କୁ ବାନ୍ଧିଛି । ସମ୍ପୃକ୍ତ ୩ଜଣ ଯୁବକଙ୍କୁ ଧର୍ମଶାଳା ପୁଲିସ ଗିରଫ କରି ଆଜି ଚଣ୍ଡିଖୋଲ କୋର୍ଟରେ ହାଜର କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଯାଜପୁର ରୋଡ଼ସ୍ଥିତ ରଗଡ଼ି ଜେଲକୁ ପଠାଇ ଦିଆଯାଇଛି ବୋଲି ଏସଆଇ ଜହର ଆବେଦିନ କହିଛନ୍ତି। ସୂଚନା ମୁତାବକ, ଗତ ୨୭ ତାରିଖରେ ଜାରକା ବଜାରରେ ସ୍ପଷ୍ଟ ଦିବାଲୋକରେ ଶ୍ରୀ ନାୟକଙ୍କୁ ୩ଜଣ ଅସାମାଜିକ ଯୁବକ ଗାଡ଼ିରୁ ଘୋସାଡି ତାଙ୍କ ମୁହଁକୁ ମୁଥ ମାରିବା ସହ ଲୁହା ଛଡରେ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆଜି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ମାନେ ହେଲେ ରାମପୁର ଗ୍ରାମର ଶରଣ ସାମଲଙ୍କ ପୁଅ ସୁନୀଲ କୁମାର ସାମଲ (୩୫), ବଳଭଦ୍ର ପ୍ରସାଦ ପାଟଣା ଗ୍ରାମର ସୁରେଶ ସାମଲଙ୍କ ପୁଅ ରୋହିତ ରଞ୍ଜନ ସାମଲ (୨୦) ଓ ଜାମୁବଣିଆ ଗ୍ରାମର ଦାମ ଗେଡିଙ୍କ ପୁଅ ପ୍ରଶାନ୍ତ ଗେଡି ବୋଲି ଜଣାପଡ଼ିଛି। ପ୍ରକାଶ ଥାଉକି,ଠିକାଦାର ଶ୍ରୀ ନାୟକ ଗତ ସୋମବାର ଦିନ ଶୁଦ୍ଧିକାର୍ଯ୍ୟ ପାଇଁ ଜାରକା ଗୋପବନ୍ଧୁ ଛକରେ ଥିବା ଏକ ବସ୍ତ୍ର ପ୍ରତିଷ୍ଠାନରୁ ବସ୍ତ୍ର କିଣି ଗାଡ଼ିରେ ରଖି ଘରକୁ ଯିବାକୁ ବାହାରୁ ଥିବା ସମୟରେ ୩ଜଣ ଅସାମାଜିକ ଯୁବକ ତାଙ୍କ ଗାଡିକୁ ଅଟକାଇ ଗାଡି ଭିତରୁ ଘୋଷାଡି ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ପରେ ଶ୍ରୀ ନାୟକ ଥାନାକୁ ଯାଇ ଅଭିଯୋଗ କରିଥିଲେ । ପୁଲିସ ୫୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଆଜି ୪ଦିନ ପରେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଧରିବାକୁ ସକ୍ଷମ ହୋଇଛି।ଧର୍ମଶାଳାରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ପୁଲିସ ଏ ଦିଗରେ ଗୁରୁତ୍ବ ସହକାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।