ଭଞ୍ଜନଗର, ୦୮/୦୪(ପିପିଟି):ପାଖେଇ ଆସୁଛି ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା।ଏପ୍ରିଲ ୨୬ତାରିଖରୁ ମେ ମାସ ୨୦ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨୫ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବ।ତେଣୁ ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ସହରର ରାସ୍ତାଘାଟ, କାନ୍ଥବାଡ଼ ସବୁ ମରାମତି ହେବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଚାଲିଛି।ଚିତ୍ରଶିଳ୍ପୀ ମାନେ ରାସ୍ତାର ଉଭୟ ପାର୍ଶ୍ଵ କାନ୍ଥରେ ବିଭିନ୍ନ ରଙ୍ଗବେରଙ୍ଗର ସୁନ୍ଦର ସୁନ୍ଦର ଛବି ଆଙ୍କିବାରେ ଲାଗିପଡିଛନ୍ତି।
ଯାତ୍ରାକୁ ଅଧିକ ଶରସ ସୁନ୍ଦର କରିବାକୁ ନେଇ ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଯାତ୍ରା ଇତିହାସରେ ପ୍ରଥମ ଥର ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତିଭାସନ ଭି ଯୋଗ ଦେଇଥିଲେ।ଏଥିସହ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ପୋୖରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଏସଡ଼ିପିଓ ଡକ୍ଟର ଦୀପକ କୁମାର ମିଶ୍ର, ବିଡ଼ିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଆଇଆଇସି ଜୀବନାନନ୍ଦ ଜେନା,ଏସଡ଼ିଆଇପିଓ ସନ୍ତୋଷ କୁମାର ନାୟକଙ୍କ ସମେତ ଯାତ୍ରା କମିଟି କର୍ମକର୍ତ୍ତା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଆସନ୍ତା ମାସ ୧୦ତାରିଖ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାତ୍ରାରେ ଯୋଗ ଦେଇ ମାଆ ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।ତେଣୁ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା,ପାର୍କିଙ୍ଗ, ପାନୀୟ ଜଳଯୋଗାଣ, ଶୌଚାଳୟ, ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ବିଭାଗର ସୁପରିଚାଳନା, ଆତସବାଜିକୁ ନେଇ ସତର୍କତା ଅବଲମ୍ବନ,ସାଂସ୍କୃତିକ କାର୍ଯ୍ୟକ୍ରମ,ମୀନା ବଜାର, ଶୃଙ୍ଖଳିତ ଦର୍ଶନ ଉପରେ ସବିଶେଷ ଆଲୋଚନା ହୋଇଥିଲା।
ରିପୋର୍ଟ -(ଜେ.କେ ପଟ୍ଟନାୟକ)