ଟ୍ରକ ଧକ୍କାରେ ସ୍କୁଟି ଚାଳକ ମୃତ : କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ ।

0 195

ସୁବର୍ଣ୍ଣପୁର ,୨୬/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସୋନପୁର – ବୀରମହାରାଜପୁର ମୁଖ୍ୟ ରାସ୍ତା ଭୁଦୋବର ନିକଟରେ ଆଜି ଭୋର ସକାଳୁ ଭୟଙ୍କର ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଏକ ଟ୍ରକ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍କୁଟି ଚାଳକଙ୍କୁ ପ୍ରାୟ ପାଞ୍ଚ ଶହ ମିଟର ପର୍ଯ୍ୟନ୍ତ ଟ୍ରକ୍ ଘୋଷାଡି ନେଇଥିଲା। ମୃତକ ହେଲେ କୁମାରକେଲି ଗାଁ ର ଶରତ ମହାପାତ୍ର (୫୩) ବୋଲି ଜଣାପଡିଛି।ସୁଚନାନୁସାରେ, ନିଜ ଘରୁ ସୋନପୁର ଆଡ଼କୁ ସ୍କୁଟି (ଓଡି୩୧ଏମ୧୪୫୭) ଯୋଗେ ଶରତ ଯାଉଥିବା ସମୟରେ ସୋନପୁର ଆଡୁ ଆସୁଥିବାବେଳେ ଏକ ଟ୍ରକ (ଓଡି୧୫ଏବି୪୪୨୬) ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିଟି ଛିଟିକି ପଡ଼ିଥିଲା। ହେଲେ ତାଙ୍କ ହାତଟି ଟ୍ରକ ବର୍ଣ୍ଣଟରେ ଲଟକି ଯାଇଥିଲା। ଟ୍ରକଟି ତାଙ୍କୁ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବାବେଳେ ଲୋକ ଅଟକାଇବାରୁ ଡ୍ରାଇଭର ଗାଡ଼ି ଛିଡ଼ା କରି ଫେରାର ମାରିଥିଲା । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ସୋନପୁର – ବୀରମହାରାଜପୁର ମୁଖ୍ୟ ରାସ୍ତା‌ ଅବରୋଧ କରିଥିଲେ। ପୁଲିସ ସହାୟତା ରେ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା। ସ୍ଥାନୀୟ ପୋଲିସ ଦୁର୍ଘଟଣା ଘଟେଇଥିବା ଟ୍ରକ କୁ ଜବତ କରିବା ସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏବଂ ପରେ ପରିବାରର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ବୀରମହାରାଜପୁର ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.