ହରଭଙ୍ଗା,୨୯/୦୫:ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଡେଣିଗଡ ନିକଟରେ ନିର୍ମାଣଧିନ ୪ନମ୍ବର ରେଳ ସୁଡଙ୍ଗ ଭୁଶୁଡିବା ସ୍ଥାନରୁ କିଛି ଦୂରରେ ଗତ ମଙ୍ଗଳବାର ଆଉ ଏକ ଗାତ ସୃଷ୍ଟି ହୋଇଥିଲା । ଉକ୍ତ ଗାତକୁ ପରିଦର୍ଶନ ପାଇଁ ବୁଧୁବାର ଅପରାହ୍ନ ୪ଟା ସମୟରେ ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ସି.ଇ.ଓ ଏ.ଜି ଶ୍ରୀନିବାସ, ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ସାମଲ, ଡେପୁଟି ଚିଫ ଇଂଜିନିୟର ଆର.ପି ଯାଦବଙ୍କ ସହିତ ଠିକାସଂସ୍ଥା କର୍ମଚାରୀ ଏବଂ ସୁଡଙ୍ଗ ନିର୍ମାଣ ପାଇଁ ଡିଜାଇନ, ଡ୍ରଇଂ କରିଥିବା ଅଧିକାରୀ ଗଣ ସେଠାରେ ପହଞ୍ଚିଥିଲେ ।ଭୁଶୁଡିପଡିଥିବା ସ୍ଥାନ ପରିଦର୍ଶନ କରିବା ସହିତ ଏହା ନିକଟରେ ସୃଷ୍ଟି ହୋଇଥିବା ଗାତକୁ ମଧ୍ୟ ପରିଦର୍ଶନ କରିଥିଲେ ।ଗାତଟି ରେଳ ସୁଡଙ୍ଗ ଜମି ଉପରେ ରହିଛି କି ନାହିଁ ସେ ଦିଗରେ ଅନୁଧ୍ୟାନ କରିଥିଲେ । ଏହା ସହିତ କେଉଁ କାରଣରୁ ଆଉ ଏକ ଗାତ ପାଖରେ ସୃଷ୍ଟି ହେଲା ତାକୁ ନେଇ ବିଚାରବିମର୍ଷ କରି ସେଠାରୁ ଫେରିଯାଇଥିଲେ । ଏହାକୁ ଯଥାଶୀଘ୍ର ମରାମତି କରାଯିବ ବୋଲି ଅଧିକାରୀ ମତବ୍ୟକ୍ତ କରିଥିଲେ।