***ଟଙ୍କା ଥିଲାବାଲା***

0 143

ଟଙ୍କାଟା କରଇ କାହାକୁ ଭିକାରୀ
ଦାଣ୍ଡେ ଦାଣ୍ଡେ ଭିକ ମାଗେ….
ସେହି ଟଙ୍କା ପୁଳେ ଯା’ ପାଖେ ସାଇତା
ସବୁଠି ସମ୍ମାନ ଆଗେ….!!
ଟଙ୍କା ଥିଲା ବାନା ବଡ଼ ଅହଂକାରୀ
ହାତୀ କିଣିବାକୁ ମନ…
ମିଛଟାରେ ଖାଲି ଫଅଁ ଫଅଁ ହୁଏ
କରେ ସଦା ଗରଜନ….!!
ଗରିବ ବାବୁଡା ଜାକିଜୁକି ହୋଇ
ନିରମି ନରମି କହେ…..
ସତ ବଚନକୁ ମିଛ ଯେ ମଣନ୍ତି
କେତେ ଉପହାସ ସହେ……!!
ଟଙ୍କା ଥିଲାବାଲା ଡରେନା କାହାକୁ
ବୀର ଦର୍ପେ ବାଟ ଚାଲେ…..
ମହା ମୁର୍ଖ ହୋଇ ହୁଏ ଭଡ ଭଡ
ଇନ୍ଦ୍ର ଚନ୍ଦ୍ର ସବୁ ଭୁଲେ…..!!
ମୁଣ୍ଡରେ ସର୍ବଦା ପର ଘର ନାଶ
ପାଇଁ କରୁଥାଏ ଚିନ୍ତା….
ଝଗଡ଼ା କରିଲେ ଭାତ ତା’ ହଜମ
ନହେଲେ ଜଗତ – ପିତା….!!
ଗରିବ ମାଇପ ସବୁରି ଶାଳୀ ଯେ
ମିଳେ ନା ଇଜତ ତାକୁ….
ନିଦୋର୍ଷ ଗରିବ ଦୋଷ ମୁଣ୍ଡେଇଣ
ଦୋଷୀ ସଜାଅନ୍ତି ତାକୁ….!!
ଗରିବ ଲୋକଟା ଧର୍ମ ବାଟେ ଚାଲି
ଝୁଣ୍ଟୁ ଥାଏ ବାରମ୍ବାର……
ଶୋଷଣ କଷଣେ ଦିନ କାଟୁଥାଏ
ଝରୁଥାଏ ଅଶ୍ରୁ ଧାର….!!
ଗରିବର କଥା ନ ଶୁଣନ୍ତି କେହି
ସଭିଙ୍କ କର୍ଣ୍ଣରେ ତାଲା…..
ଟଙ୍କା ଥିଲା ବାଲା ସବୁଠି ବିଜୟୀ
ସଂସାର ଓଲଟା ହେଲା….?
ଗରିବ ଖାଉଛି ଶାଗ ପଖାଳ ଯେ
ଓଳିଏ ନ ଜଳେ ଚୁଲା….
ଚିରା ଲୁଗା ଖଣ୍ଡେ ନ ମିଳେ ତାହାକୁ
ଖଟି ଖଟି ଦିନ ଗଲା…..!!
ଧନିକ ରହୁଛି ରାଜ ଉଆସରେ
ଖାଉଛି ମଦ ମାଉଁସ…
ଷୋଳ ବୟସୀକୁ ଅଙ୍କରେ ବସାଇ
ରଚଇ ରସିକ ରାସ….!!
ଟଙ୍କା ଥିଲା ବାଲା ଆମ ନେତା ହୋଇ
ଆମକୁ ଶାସନ କରେ….
ଗଳେ ଫୁଲମାଳା ପକାନ୍ତି ସଭିଏଁ
ପାଦକୁ କେ ପୂଜାକରେ…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.