***ଝୋପଡିପଟି ଓ ରାଜନୀତି***

0 69

ବର୍ତ୍ତମାନ ସହରର ଗଳିକନ୍ଦିରେ ଯେଉଁଠି ସରକାରୀ ଜାଗା ଖାଲି ପଡିଛି, ସେଠାରେ ଝୋପଡିପଟି ଦେଖିବାକୁ ମିଳେ । ଏହି ଲୋକମାନେ ବିଶେଷ କରି କୁଲି ମଜୁରିଆ ଶ୍ରେଣୀର ଶ୍ରମିକ। ଖଟିଖିଆ ମେହନତି ମଣିଷ। ସହରରେ ବହୁ ସଂଖ୍ୟାରେ ବାବୁ ଭାୟା ଲୋକ। କିଛି ନିସ୍ବ ଦରିଦ୍ର ଲୋକ ଧୀରେ ଧୀରେ ଗାଁ ଛାଡି
କୁଲି ମଜୁରୀ କରିବା ପାଇଁ ଯେକୌଣସି ଠିକାଦାରଙ୍କ ମାଧ୍ୟମରେ ସହରରେ ବସବାସ କରନ୍ତି। ସହରରେ ଯେତେ ନଭଶ୍ଚୁମ୍ବୀ ଅଟାଳିକାମାନ ଗଢି ଉଠିଛି, ଏସବୁ ଗାଁ ରୁ କର୍ମ ଅନ୍ବେଷଣରେ ଆସିଥିବା ନିସ୍ବ ଦରିଦ୍ର ସର୍ବହରା ଖଟିଖିଆ ମଣିଷମାନଙ୍କ ଅବଦାନ।କିଏ କିଏ କାଳକ୍ରମେ ହୋଟେଲରେ ବାସନ ମାଜେ, ଅଇଁଠା ସଫାକରେ,କଟାକଟା,ବେଠି ବିହାରୀ କରେ । ଆଉ କେହି କେହି ଛୋଟ ଛୋଟି ବେପାର କରି ଚଳନ୍ତି। ଯଥା:ପରିବା ଦୋକାନ,ଚା’ ଦୋକାନ,ସେଲୁନ,ପାନ ଦୋକାନ ଇତ୍ୟାଦି। ଆଉ କିଛି ଅଟୋ ଚଳାଇ ଗୁଜୁରାଣ ମେଣ୍ଟାନ୍ତି । କେହି କେହି ସଫେଇ କର୍ମଚାରୀ ଭାବେ ସହରକୁ ପରିସ୍କାର ପରିଛନ୍ନ କାର୍ଯ୍ଯରେ ଦୈନିକ ଲିପ୍ତ ରହନ୍ତି।ଆଉ କିଛି ଯୁବକ ଯୁବତୀ ବଡ଼ ବଡ଼ ଦୋକାନରେ ମାସିକ ଦରମାରେ କାର୍ଯ୍ୟ କରନ୍ତି। ଏସବୁ ମେହନତି ମଣିଷଙ୍କ ପାଇଁ ସହର ଚଳଚଞ୍ଚଳ। ଯିଏ ସହରରେ ଚଳିଲାଣି,ସେ ନିଜ ଭିଟାମାଟିକୁ ଫେରିବାକୁ ଇଛା କରେ ନାହିଁ। କେବେ କେମିତି ନିହାତି ଆବଶ୍ୟକ ସ୍ଥଳେ ଗାଁ ରେ ଦିନେ ଦୁଇ ଦିନ ପାଇଁ ପାଦ ପଡେ। ପୁଣି ତରତର ହୋଇ ସହରକୁ ଫେରି ଆସେ । ଗାଁ ଟି ତାକୁ ମୋଟେ ଭଲ ଲାଗେ ନା । ତାକୁ ଦଣ୍ତେ ରହିବାକୁ ଅଣନିଃଶ୍ବାସୀ ଲାଗେ। ଗାଁ ରେ କ’ଣ ଅଛି? କାମ ଧାମ କିଛି ନାହିଁ। ଗାଁ’ରେ କିଛି ଲୋକଙ୍କର ଚାଷ ଜମି ଅଛି। ସେମାନେ ସାହୁକାର ବା ବଡ଼ ଲୋକି ପଣିଆ ଦେଖାଇ, ଗାଁ ରେ ହୁକୁମ ଜାହିର କରନ୍ତି। ଅତ୍ୟାଚାର, ଅନ୍ଯାୟ,ସବୁ କିଛି କରନ୍ତି। ଏଠାରେ ଦେଶର କୌଣସି ଆଇନ କାନୁନ ଲାଗୁ ହୁଏ ନି। ଗାଁ ସାହୁକାର, ଗାଁ ମୁଖିଆ । ସେ ହିଁ ଆଇନ,ସେ ହିଁ କାନୁନ। ତାଙ୍କ ବିରୁଦ୍ଧ ସ୍ବରୋତ୍ତଳନ କରିବା କ୍ଷମତା କାହାର ନାହିଁ। ଆଜି ବି ଯେଉଁମାନେ ଅସହାୟ ନିଃସହାୟ ହୋଇ ଗାଁରେ ପଡି ରହିଛନ୍ତି, ସେହି ନିରିହ ସରଳ ମଣିଷମାନେ, ଗାଁ ସାହୁକାରଙ୍କ ଦ୍ବାରା ଶୋଷଣ,କଷଣର ଶିକାର ହୁଅନ୍ତି। ଆଜି ବି ଗାଁ ରେ ତାଙ୍କ କୃର ଶାସନ ଚାଲିଛି। ଜାତି ଭେଦ, ବର୍ଣ୍ଣ ଭେଦ , ମେଞ୍ଚା ମେଞ୍ଚା ଅନ୍ଧବିଶ୍ୱାସ ଭରି ରହିଛି। ପାରମ୍ପରିକ କୌଳିକ ବୃତ୍ତିରେ ଗାଁ ଲୋକମାନେ ଆବଦ୍ଧ। ବର୍ତ୍ତମାନ ସମୟ ଆସି ବୈଜ୍ଞାନିକ ଯୁଗରେ ପଦାର୍ପଣ କରିଥିଲେ ମଧ୍ୟ ଗାଁରେ ସକୀର୍ଣ୍ଣତା,ପରଶ୍ରୀକାତ୍ତରତା, ଘୃଣା ମନୋଭାବ ଆଜି ବି ଅକ୍ଷୁର୍ଣ୍ଣ ରହିଛି। ଗାଁ ଲୋକମାନେ କେବେ ପରିବର୍ତ୍ତନ ହେବେ ନାହଁ। ସେହି ପ୍ରାଚୀନ ପରମ୍ପରାକୁ କୁଣ୍ଢେଇ ଧରିଛନ୍ତି। ଗାଁ ରେ ଯିଏ ରହିବ,ସେ ଗାଉଁଳୀ ଜୀବନ ଜୀଇଁ ବଞ୍ଚିବା କୁ ହେବ । ଆଜି ବି ଗାଁ ରେ ବ୍ରାହ୍ମଣମାନଙ୍କ ଦୌରାତ୍ମ ଚାଲିଛି । ଦଳିତମାନଙ୍କ ଛାୟା ପତିତ ହେଲେ ଅପବିତ୍ର ବୋଲି ବିବେଚନା କରାଯାଉଛି।ଏ ସବୁ ସହରରେ ବିରଳ। ସ୍ବାଧିନ ବୃତ୍ତି, ସ୍ବାଧିନ ଚିନ୍ତନ, ମୁକ୍ତ ଜୀବନ ଯାପନ ସହରରେ ଉପଲବ୍ଧ। ଏଠାରେ ସାମ୍ବିଧାନିକ ଆଇନ କାନୁନ ରହିଛି। କୌଣସି ସାହୁକାର, ଜମିଦାରଙ୍କ ଆଦେଶ ନିର୍ଦ୍ଦେଶ ଚାଲେ ନାହିଁ। ସହରରେ କିଛି ନା କିଛି କାମ ମିଳିଯିବ।ଘାସ କଟା ଠାରୁ ଘୋଡ଼ା ଚଢିବା ପର୍ଯ୍ୟନ୍ତ।ଏଣୁ ଗାଁ ରେ ଭୋକ ଉପାସରେ ପଡି ମରିବା ଅପେକ୍ଷା ସହରରେ କୁଲି ବୃତ୍ତି କରି ଚଳିଲେ ପେଟ ଆପୋଷ ରହିବ ନାହିଁ। ଯେଉଁମାନେ ଟିକେ ଚତୁର, ସେମାନେ ଗାଁ ଛାଡି ସହରରେ ଜୀବନ ଯାପନ କରନ୍ତି।
ଝୋପଡିପଟିରେ ଖଟିଖିଆ ମଜୁରିଆ ଗରିବ ଶ୍ରେଣୀର ଲୋକମାନଙ୍କ ନିବାସ । ସେଠିକା ଲୋକମାନଙ୍କ ସ୍ବର କେବଳ କମ୍ଯୁନିଷ୍ଟି ଦଳମାନେ ଉଠାନ୍ତି। ସଂଗଠିତ,ଅଣ ସଂଗଠିତ ଶ୍ରମିକ ବିଭିନ୍ନ ସମସ୍ୟା,ମଜୁରୀ ବୃଦ୍ଧି, ଝୋପଡି ପଡ଼ାରେ ଘର ପଟା ପ୍ରଦାନ, ପାନୀୟ ଜଳ,ଆଲୋକିକରଣ, ରାସ୍ତା ନିର୍ମାଣ,ଡ୍ରେନ ନିର୍ମାଣ, ମାଗଣା ଚାଉଳ, ମାଗଣା ସ୍ବାସ୍ଥ୍ୟ ସମସ୍ୟା ଆଦି ସରକାର ନିକଟରେ ଦାବି ଉପସ୍ଥାପନ ହୁଏ।ଲାଲ ପତାକା ଧରି ରାଜ ରାସ୍ତାକୁ କୁଲି ମଜୁରିଆ ମଣିଷ ମାନେ ଶୋଭାଯାତ୍ରା, ବିକ୍ଷୋଭ କରନ୍ତି। ଏମିତି ଚାଲେ ଜନ ଗର୍ଜନ।
ନିର୍ବାଚନ ସମୟରେ ବିଭିନ୍ନ ଦଳର ସମାବେଶରେ ଏହି ଝୋପଡିପଟିର ମଣିଷମାନଙ୍କ ଖୋଜାପଡେ । ପ୍ରତ୍ୟେକ ସହରର ଗଳିକନ୍ଦିରେ ଥିବା ଝୋପଡି ବସ୍ତିରେ ଜଣେ ଜଣେ ଦଳିଲି କୁଜି ନତା ଥାଆନ୍ତି। ନିର୍ବାଚନ ସମୟରେ ସେମାନଙ୍କ ଭାଉ କାହିଁରେ କେତେ? ସେମାନଙ୍କୁ ଧରିଲେ ବିଭିନ୍ନ ଦଳର ସଭା, ଶୋଭାଯାତ୍ରା ସଫଳ ହୁଏ। ଦଲାଲଙ୍କ ସହାୟତା ବସ୍ତିବାସିନ୍ଦାଙ୍କୁ ନେଇ ନେତାମାନେ ବଡ ବଡ ଭାଷଣ ମାରନ୍ତି।କିଏ କାହା ବିରୁଦ୍ଧରେ ଗପେ,ନିଜର ଢୋଲ କିଏ କେତେ ପିଟେ ,ଯାଏ ଆସେ ନାହିଁ।ସଭା ସ୍ଥଳରେ ଡାଲମା ଭାତ ପେଟେ ମିଳିଲେ ହେଲା ।ଆଉ ଘରକୁ ଫେରିଲା ବେଳେ ଦିନକ ମଜୁରି ମିଳିଲେ ଗଲା ‌। ଦୁନିଆ ପ୍ରଳୟ ହେଲେ ସେମାନଙ୍କର ଫରକ ପଡେ ନଇଁ ।ଭୋଟ ସମୟରେ ଏହି କୁଲି ମଜୁରିଆ ଙ୍କ ଭୋଟକୁ କ୍ରୟ କରା ଯାଏ ।ଏମାନେ ହିଁ ପ୍ରକୃତ ମତଦାତା।ଖରା, ବର୍ଷା, ଶୀତ ରେ ଏମାନେ ଘଣ୍ଟା ଘଣ୍ଟା ଧରି ଠେଲାପେଲା ହୋଇ ଭୋଟ ଦିଅନ୍ତି।ଭୋଟ କେନ୍ଦ୍ରରେ ଏମାନଙ୍କ ଭିଡ଼ ବେଶି।କେବେ ମଧ୍ୟ ପୁଞ୍ଜିପତି, ଶିଳ୍ପପତି, ସରକାରୀ ଚାକିରିଆମାନେ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିବେ ନାହିଁ।ଯିଏ ଯେତେ ଅନ୍ଧାରୀ ବିଜେ କରି ଖଟିଖିଆ ଗରିବ ମଣିଷକୁ ଟଙ୍କା ଦେଇ କ୍ରୟ କଲା, ସେହି ନେତା ନିର୍ବାଚନରେ ବିଜୟ ହେଲା । ଆଜି କାଲି ନେତା ଆଉ ଭୋଟରଙ୍କ ମଧ୍ୟର ନୀତି, ନୈତିକତା କି ଆଦର୍ଶ ନାହିଁ। ରାଜନୀତି ଏକ ଜୁଆଖେଳ ପାଲଟି କଲାଣି।ବାହୁ ବଳ,ଅର୍ଥ ବଳ ଉପରେ ରାଜନୀତି ଲଗାଯାଏ। ବର୍ତ୍ତମାନ କୌଣସି ନେତାଙ୍କ ଚରିତ୍ର ଠିକ୍ ନାହିଁ।ଅପରଧିକ ମାମଲାର ତାଲିକା ବହୁତ ଲମ୍ବା। ପୂର୍ବ ଭଳି ନେତାଙ୍କ ଆଦର୍ଶ ନାହିଁ। ବର୍ତ୍ତମାନ ର ନତା ଜଣେ ଜଣେ ଅଭିନେତା। ମିଥ୍ୟା କହିବାରେ ଧୁରନ୍ଧର।ଆଉ ଦେଶକୁ ଖୋଳ କରିବାରେ ପ୍ରବୀଣ। କୋଟି କୋଟି ଅର୍ଥ ନେତାଙ୍କ ଘରେ। ଦେଶକୁ ବନ୍ଧାପକାଇ ଦେଶ ଭକ୍ତ ର ଡିଣ୍ଡିମ ପିଟୁଥିବା ଏପରି ନେତାଙ୍କ ସଂଖ୍ୟା ସର୍ବାଧିକ।ଦିନକୁ ଦିନ ଦେଶ ରସାତଳ ଗାମୀ । ଦରଦାମ ବୃଦ୍ଧି, ବେକରୀ ସମସ୍ୟା, ଲୋକଙ୍କ ମେରୁ ଦଣ୍ଡ ଭାଙ୍ଗି ଯାଉଛି। ସରକାରୀ କଳ ଆଉ ନେତା ଉଭୟେ ମିଶ ରାଜ କୋଷକୁ ଲୁଣ୍ଠନ କରିବାରେ ବ୍ୟସ୍ତ। ପୁଞ୍ଜିପତିମାନେ ସମଗ୍ର ଦେଶର ରାଜନୀତିକୁ ନିର୍ବାଚନ ସମୟରେ ପାଣ୍ଠି ଯୋଗାନ୍ତି । ଆଉ ଯେଉଁ ଦଳ ଶାସନ ଗାଦିରେ ବସି ରାଜନୀତି କରେ, ସମସ୍ତ ଉଦ୍ୟୋଗ ତାଙ୍କୁ ଚୁକ୍ତି ଭିତ୍ତିକ ବିକ୍ରୟ କରି ଦେଶର ନାଗରିକମାନଙ୍କୁ ଶୋଷଣ କରେ ।ଦେଶର ନବେ ପ୍ରତିଶତ ଉଦ୍ୟୋଗ ବର୍ତ୍ତମାନ ଘରୋଇକରଣ।
ସବୁଠି ସାଧାରଣ ଜନତା ମୁଦ୍ରାସ୍ପିତିର ଚାପରେ ଚାପଗ୍ରସ। ବର୍ତ୍ତମାନ କେଉଁ କେଉଁ ରାଜ୍ୟରେ ସ୍ଥିର ସରକାର କାୟା ବିସ୍ତାର କରିଛି।ଏହାର ଏକା ମାତ୍ର କାରଣ। ଅଧିକାଂଶ ଜନତାଙ୍କୁ ଆର୍ଥିକ ଦୁର୍ବଳ କରିବା, କିଛି ମାଗଣା ଯୋଜନା ପ୍ରଚଳନ କରି ଗରିବଙ୍କ ମନ ପ୍ରାଣଙ୍କୁ କବଳିତ କରିବାଆଉ ନିର୍ବାଚନ ସମୟରେ ଭୋଟରମାନଙ୍କୁ ଅର୍ଥ ବଳରେ ଭୋଟ କ୍ରୟ କରୁଥିବା । ଏହି କୌଶଳ ବିଭିନ୍ନ ରାଜ୍ୟରେ ଢେର୍ କାମ କରୁଛି। ଓଡ଼ିଶାରେ ବି ଏହି କୌଶଳ ପ୍ରୟୋଗ ଯୋଗୁଁ ଗୋଟିଏ ସ୍ଥିର ସରକାରର ଚେର ଏତେ ଦୃଢ଼ୀଭୂତ ହୋଇଛି ଯେ, ସେହି ବିଶାଳ ଦ୍ରୁମ କୁ ଓପାଡିବା ସହଜ ନୁହେଁ। ଯେଉଁ ମାନେ ବିଦ୍ରୋହ କରୁଛନ୍ତି, ସେମାନଙ୍କୁ ଦଳରୁ ବହିଷ୍କୃତ କଲେ ମଧ୍ୟ ଦଳର କ୍ଷୟକ୍ଷତି ହେବାର ନାହିଁ।
ଗଣତନ୍ତ୍ରରେ ସ୍ଥିର ବା ସ୍ଥାୟୀ ସରକାର ଗଣତନ୍ତ୍ର ପାଇଁ ବିପଦ।ଦଳର ମନମୁଖୀ ଶାସନ ସର୍ବଦା ଚାଲେ ।ଦଳକୁ ପରିବର୍ତ୍ତନ ଲାଗି ପାଞ୍ଚ ବର୍ଷକୁ ଥରେ ନିର୍ବାଚନ ହୁଏ। ଯଦି ସେହି ଦଳକୁ ଜନତା ପରିବର୍ତ୍ତନ ନକରି ବାରମ୍ବାର ଆସେ ରାଜ୍ୟର ପ୍ରଗତି କ’ଣ ହେବ । ଦୁର୍ନୀତି, ଭ୍ରଷ୍ଟାଚାର,ଅନ୍ଯାୟ, ଅନୀତି, ଧର୍ଷଣ, ଶୋଷଣ, ହତ୍ୟାକାଣ୍ଡ,ଚୋରୀ,ରାହାଯାନି ଅଧିକ ଚାଲେ ।
ଗୋଟିଏ ରାଜ୍ୟରେ ଗୋଟିଏ ଦଳ ବାରମ୍ବାର ବିଜୟ ହେବା ପଛରେ କିଛି ସଚେତନଶୀଳ ନାଗରିକମାନେ ଦାୟି । ସେମାନେ ଭୋଟ ଦେବାକୁ ଯାଆନ୍ତି ନାହିଁ।ଏଣୁ ପରିବର୍ତ୍ତନ ହୁଏ ନାହିଁ।ଗରିବ, ଖଟିଖିଆ ମଣିଷ ର ଭୋଟରେ ନେତା ବିଜୟୀ ହୁଏ। ଗାଁ ଗହଳ ଠାରୁ ସହର ସମସ୍ତ ଝୋପଡିପଟିରେ ଥିବା ଗରିବ ଓ ମେହନତି ଭୋଟରମାନେ ହିଁ ନେତା ବା ଦଳକୁ ବାରମ୍ବାର ବିଜୟର ଟୀକା ପିନ୍ଧାଇ ଥାନ୍ତି। ପାଞ୍ଚ ବର୍ଷକୁ ଥରେ ମଦ,ଭୋଜି,ହାତ ଗୁଞ୍ଜାରେ ଅଶିକ୍ଷିତ ମଣିଷଙ୍କ ଭୋଟ ହାତେଇବାକୁ ଯେଉଁ ଦଳ ଉଦ୍ୟମ ରତ ଦେଶ ବା ରାଜ୍ୟ ବିକାଶ କରିବାର ସଦିଚ୍ଛା ଠାରୁ ବହୁଦୂରେ ।
ବେଳେ ରାସ୍ତା ପ୍ରସସ୍ଥିକରଣ ନାଁ ରେ ହେଉ କି ସହରର ସୌନ୍ଦର୍ଯ୍ୟକରଣ ନାଁ ରେ ଝୋପଡିପଟିକୁ ଡୋଜର ଲଗାଇ ଭାଙ୍ଗି ଦିଆଯାଏ, ସେତେବେଳେ ବସ୍ତି ବାସିନ୍ଦାଙ୍କ ଛାତିରେ ଛନକା ପଶେ ।ଛୁଆ ପିଲାଙ୍କ ଥଇଥାନ ପାଇଁ ବସ୍ତିଲୋକମାନେ ନେତାଙ୍କ ଦ୍ବାରସ୍ଥ ହୋଇ କାନ୍ଦବୋବାଳି ଛାଡନ୍ତି, ତାଙ୍କର କଥାକୁ କେହି କର୍ଣ୍ଣପାତ କରନ୍ତି ନାହିଁ।ରାଜ ରାସ୍ତାରେ ଛୁଆ ପିଲାଙ୍କୁ ଧରି ଶୀତ କାକର,ଖରା, ବର୍ଷାରେ ଖୋଲା ଆକାଶ ତଳେ ପଡି ରହିନ୍ତି,ସହି ସମୟରେ କୌଣସି ନେତାଙ୍କ ଦର୍ଶନ ମିଳେ ନାହିଁ। ଫୁଟ୍ ପାଥରେ ଯେଉଁ ଅଫିସରଙ୍କୁ ପରିବା,ମାଛ,ମଟନ,ଚିକେନ ବିକ୍ରୟ କରି ଧାର ଉଦ୍ଧାର ନେଉଥିଲେ,ଚାହା କି କ୍ଷୀର ଯୋଗାଉଥଲା ସହି ବଡ ବାବୁମାନଙ୍କ ଦୟା କି ମାୟା ନାହିଁ। ଉଛେଦ ହିଁ ଉଛେଦ। ବିଦେଶରୁ ଯଦି କିଏ ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀ ଭାରତକୁ ଭ୍ରମଣରେ ଆସନ୍ତି, ତେବେ ଭାରତର ଦାରିଦ୍ର୍ୟତା କୁ ଲୁଚାଇବା ପାଇଁ ଝୋପଡି ପଟି ରାତାରାତି ଉଛେଦ କରାଯାଏ। ସତରେ ଯେଉଁମାନେ ଦେଶର ପ୍ରାକୃତ ମତଦାତା, ସେମାନଙ୍କ ଅବସ୍ଥା ଅକଥନୀୟ ସଦାସର୍ବଦା। ଯେଉଁ ମାନେ ଏ ସହରକୁ ଶ୍ରମଦାନ କରି ରାସ୍ତା ଘାଟ, ସ୍କୁଲ, କଲେଜ, ହସ୍ପିଟାଲ, ସଚିବାଳୟ ଆଦି ସରକାରୀ, ବେସରକାରୀ କୋଠା ଗଢିବାରେ ଲହୁ ଲୁହ ନିଗାଡି ଦେଇଛି, ସେହି ନିରିହ ମେହନତି ମଣିଷମାନଙ୍କ ଅବସ୍ଥ ସହରରେ ସବୁ ଠାରୁ ଦୁର୍ଦ୍ଦିନ, ଦୁର୍ଦ୍ଦଶା କହିବା ବାହୁଲ୍ୟ ମାତ୍ର। ଯାହାଙ୍କୁ ଅମୂଲ୍ୟ ଭୋଟରେ ଜଣେ ସାଧାରଣ ବ୍ୟକ୍ତି ନେତା ହେବାର ଗୌରବ ବିମଣ୍ଡିତ କରେ, ସେହି ଝୋପଡି ପଟି ମଣିଷମାନେ ସର୍ବଦା ଯାଯାବର। ସେମାନଙ୍କ ଭବିଷ୍ୟତ ଚିର ଅନ୍ଧକାର।)

(ଆଲେଖ୍ୟ -କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.