ଯାଜପୁର,୨୩/୦୯(ପିପିଟି) :ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ରାଜନେତା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ବୋହୁ ତଥା ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଯୁବନେତା ତଥା ପୂର୍ବତନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଧର୍ମପତ୍ନୀ ଝିଲିକ । ଘଡାଇ ପରିବାରର ବୋହୁ ହେବା ସହିତ ଚଳଚ୍ଚିତ୍ରରେ ଅଭିନୟ କରି ବେଶ ସୁଖ୍ୟାତି ଅର୍ଜନ କରିଛନ୍ତି ଝିଲିକ । ତାଙ୍କୁ ନେଇ ଏବେ ଯାଜପୁର ନିର୍ବାଚନ ମଣ୍ଡଳୀରେ ଢେର ଚର୍ଚ୍ଚା । ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ଜନ୍ମ ସ୍ଥାନ ଯାଜପୁର ନିକଟ ଆନ୍ଦୋଳା ଠାରେ । ଶ୍ରୀ ଘଡାଇ ଯାଜପୁରରେ ପିଲାଦିନ କାଟିବା ସହିତ ଶିକ୍ଷା ଗ୍ରହଣ କରିଛନ୍ତି । ଯାଜପୁର ତାଙ୍କ ଜନ୍ମ ସ୍ଥାନ ହୋଇଥିଲା ବେଳେ ତାଙ୍କ କର୍ମ ଭୂମି ସୁକିନ୍ଦାରେ । ସେଠାରୁ ମଧ୍ୟ ତାଙ୍କ ସୁପୁତ୍ର ଇଂ ପ୍ରୀତିରଞ୍ଜନ ଘଡାଇ ଲଗାତାର ଦୁଇଥର ବିଧାୟକ ନିର୍ବାଚିତ ହେବା ସହିତ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ହେଲେ ଗତ ନିର୍ବାଚନରେ ସେ ପରାଜିତ ହୋଇଛନ୍ତି । ପରାଜୟ ପରେ ମଧ୍ୟ ସେ ସୁକିନ୍ଦାରେ ନିଜ ସାଙ୍ଗଠନିକ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି । ପରାଜୟ ପରେ କିନ୍ତୁ ତାଙ୍କ ଲୋକପ୍ରିୟତା ବଢି ଚାଲିଛି । ଗତ ନିର୍ବାଚନରେ ଝିଲିକ କୋରେଇରୁ ପ୍ରାର୍ଥୀ ହେବା ନେଇ ବେଶ ଚର୍ଚ୍ଚା ହୋଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ଦିବଙ୍ଗତ ନେତା ଅଶୋକ ଦାସଙ୍କ ଧର୍ମପତ୍ନୀ ତଥା ବବିଙ୍କ ମା ସଂଧ୍ୟା ରାଣୀ ଦାସଙ୍କୁ ବିଜେଡି ଟିକେଟ ଦେଇଥିଲା । ହେଲେ ସବୁ ଉଦ୍ୟମ ପରେ ବି ସଂଧ୍ୟାରାଣୀ ପରାଜିତ ହୋଇଥିଲେ । ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ତାଙ୍କୁ ପରାଜିତ କରିଥିଲେ । ଅନ୍ୟପକ୍ଷରେ ବବି ନିଜ ନିର୍ବାଚନ ମଣ୍ଡଳୀରେ ସୁଜାତା ସାହୁଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଥିଲେ । ନିଜେ ସମ୍ବଲପୁର ଯାଇ ସାଂସଦ ପ୍ରାର୍ଥୀ ହୋଇଥିଲେ । ବବି ସମ୍ବଲପୁରରେ ପରାଜିତ ହୋଇଥିଲା ବେଳେ ସ୍ୱଳ୍ପ ଵ୍ୟଵଧାନରେ ଯାଜପୁରରେ ଜିତିଥିଲେ ସୁଜାତା । ହେଲେ ତାଙ୍କୁ ନେଇ ଯାଜପୁର ଭୋଟର ଖୁସି ନାହାନ୍ତି । ଅନ୍ୟପକ୍ଷରେ ବବି ଯାଜପୁର ଅପେକ୍ଷା ୨୯ ନିର୍ବାଚନକୁ ନେଇ କୋରେଇ ଉପରେ ଅଧିକ ଫୋକସ କରୁଛନ୍ତି । ଯାହା ଯାଜପୁର ଭୋଟରଙ୍କ ପାଇଁ ଅସହ୍ୟ ହୋଇଛି । ଏପରି ସ୍ଥଳେ ଏବେ ଯାଜପୁର ଭୋଟର ବିଜେପି ମୁହାଁ ହୋଇଛନ୍ତି । ବବି ଯେ ଆଗକୁ ଯାଜପୁର ଛାଡୁଛନ୍ତି ଏ ନେଇ ନିଶ୍ଚିତ ହେଲେଣି ଭୋଟର । ଗତ ଭାଗବତ ଜନ୍ମ ଦିନ ପ୍ରଫୁଲ୍ଲଙ୍କ ପୁରା ପରିବାର ଆନ୍ଦୋଳା ଆସିଥିଲେ । ସେଠାରେ ପୂଜା ପାଠ ସହିତ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଗ୍ରାମବାସୀଙ୍କ ସହିତ ଯାଜପୁରର ବହୁ ବରିଷ୍ଠ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ । ଏହି ସମୟରେ ବୋହୁ ଝିଲିକ ଗ୍ରାମବାସୀଙ୍କ ସହିତ ବେଶ ମିଳା ମିସା କରିଥିଲେ । ଛୁଆ ଠାରୁ ବଡ଼ ସମସ୍ତଙ୍କୁ ଭେଟି ବେଶ ଖୁସି ଗପ କରିଥିଲେ । ଏହି ଅବସରରେ କିଛି ବ୍ୟକ୍ତି ବିଶେଷ ତାଙ୍କୁ ଆଗାମୀ ଦିନରେ ଯାଜପୁରରେ ପ୍ରାର୍ଥୀ କରିବାକୁ ପ୍ରଫୁଲ୍ଲଙ୍କୁ ପ୍ରସ୍ତାବ ଦେଇଥିବା ଜଣା ଯାଇଛି । ପ୍ରସ୍ତାବ ଶୁଣି ପ୍ରଫୁଲ୍ଲ ହଁ କହି ନଥିଲେ ମଧ୍ୟ ନାଁ ବି କହି ନାହାଁନ୍ତି ବୋଲି ଆଲୋଚନା ହେଉଛି । ପ୍ରଫୁଲ୍ଲଙ୍କ ପରି ଧୁରୀଣ ରାଜନେତା ଆଗକୁ କି ନିଷ୍ପତ୍ତି ନେଉଛନ୍ତି ତାହା ତ ଭିନ୍ନ କଥା ହେଲେ ଯାଜପୁରରେ ଝିଲିକଙ୍କୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ଆଗକୁ କି ରୂପ ନେଉଛି ତାକୁ ଅପେକ୍ଷା ।
(ରିପୋର୍ଟ- ଅକ୍ଷୟ କୁମାର ରାଉତ)