***ଝାଟି- ମାଟି-ଜୀବନ***

0 62

ଝାଟି ମାଟି ଆଉ ଗୋବର ଲିପାରେ
ଠିଆ ମୋ ଟିକି କୁଡିଆ…..
ନଡା ଛପରରେ ଘୋଡାଇ ଦେଇଛି
ପ୍ରିୟ ମୋ ବାସ ଚାଳିଆ….!!
ଏଇ କୁଡିଆକୁ ଆସିଛି ଘରଣୀ
ସଂସାର ଗଢିବା ପାଇଁ….
ମୁରୁଜ ପକାଏ ସୁପ୍ରଭାତେ ଉଠି
ଦାଣ୍ଡ ଦ୍ବାର ଶୋଭା ପାଇଁ…!!
ଗୋମୟେ ଲିପିଣ ଘରର ଚଟାଣ
ଗେରୁ ମାଟି ବୋଳି କାନ୍ଥେ…
ଝୋଟି ଆଙ୍କି ଚିତ୍ର କି ବିଚିତ୍ର ଦିଶଇ
ମାନସକୁ ଦଣ୍ଡେ ମନ୍ଥେ..!!
ଦାଣ୍ଡକୁ ସୁନ୍ଦର ତୁଳସୀ ଚଉରା
ପୂଜେ ମୋ ଘରଣୀ ନିତି….
ଏ ଘର ମଙ୍ଗଳ ମନାସି ଅନ୍ତରେ
ଗ୍ରହ ପୀଡ଼ା କରେ ଶାନ୍ତି….!!
ଓଷା ବାର ବ୍ରତ ପଳୁଥାଏ ସଦା
ପ୍ରଭୁ କୃପା ଲାଭ ଚିନ୍ତି…
ଏମିତି ଗୃହିଣୀ କା ଭାଗ୍ୟରେ ଅଛି
ମଣେ ମୁଁ ସ୍ବର୍ଗୀୟ ଶାନ୍ତି….!!
ଅର୍ଦ୍ଧାଙ୍ଗିନୀ ବୋଲି ଯାହାକୁ କହନ୍ତି
ଜୀବନ ମରଣ ସାଥି….
ସୁଖ ଦୁଃଖ ଅବା ବିପଦ ଆପଦେ
ନ ଛାଡେ ନିମିଷେ କତି….!!
ଅନ୍ତର ପବିତ୍ର ସରଳ ସୁଷମା
ସୁଗଣରେ ଖୁଣ ନାହିଁ….
ଆକାଶର ଜହ୍ନ ଥିଲେ ଯେତେ ଦୂରରେ
ଭଲ ପାଉଥାଏ କଇଁ…!!
ନଖକୁ ମାଉଁସ ସଂଯୋଗ ଯେପରି
ପତି ପତ୍ନୀ ଭାବ ସ୍ନେହ….
ଏ ଚାଳ କୁଡିଆ କିବା ରାଜବାଟି
ଇନ୍ଦ୍ର ଭବନ କି ମୋହ…!!
ଡଙ୍କେଇ ଯାଇଛି ଚାଳ କୁଡିଆକୁ
ଲାଉ କାକୁଡିର ଡଙ୍କ….
ସଜନା ଗଛରୁ ଫୁଲ ବରଷୁଛି
ଶାଗ ଖରଡାକୁ ରଙ୍କ…!!
ପଖାଳ କଂସାକୁ ବଡ଼ି ବାଇଗଣ
ଭେଣ୍ଡି,କଲରାର ଭଜା…
ଟଙ୍କ ତୋରାଣିରେ ତୃଷ୍ଣା ହରୁ ଥାଏ
ବସା ଦହିରେ କି ମଜା….!!
ଆରିସା କାକରା ମଣ୍ଡା ଯେ ଚକୁଳି
ପୋଡ ପିଠା କ୍ଷୀରି ଗଇଣ୍ଠା…
କମଳା ମାଆଙ୍କ ରନ୍ଧଣା ପରିକା
ପାଟିକୁ ଲାଗଇ ମିଠା…!!
ଏ କୁଡିଆ ଘର ବୈଶାଖ ଗ୍ରୀଷମେ
ଆହା କି ଶୀତଳ ଛୁଆଁ…
ଶୀତରେ ଉଷୁମ ଦିଅଇ ଆନନ୍ଦ
ବର୍ଷାରେ ଦୁର୍ଦ୍ଦଶା ଯାହା….!!
ଭାରି ଡର ମାଡ଼େ ବାଆ ବତାସକୁ
ଉଈ କାଟୁଥିଲେ ଗଣ୍ଠି…
ମୂଷା ଖୋଳୁଥିଲେ କାନ୍ଥ ବାଡ ଯେତେ
ଉପୁଡ଼ି ପଡିଲେ ଖୁଣ୍ଟିଆ…!!
ଗରିବ ଘରରେ ଜନମ ମୋହର
କାହାକୁ କହିବି ଦୁଃଖ….
ନୟନରୁ ଅଶ୍ରୁ ଗଡ଼ାଇ କାନ୍ଦିଲେ
କିଏ ବା ଶୁଣିବ ଡାକ…!!

(କବି କେଶବ ଚନ୍ଦ୍ର ନାୟକ)

(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.