ଜୀବନ, ଜୀବିକା ଓ ପରିବେଶର ସୁରକ୍ଷା ପାଇଁ ଲଢେଇକୁ ଜୋରଦାର କରିବାକୁ ଡାକରା ।

0 180

ବ୍ରହ୍ମପୁର,୦୬/୦୬(ପିପିଟି): ଜୀବନ, ଜୀବିକା ଓ ପରିବେଶର ସୁରକ୍ଷା ଦାବିରେ ଆଜି ଅଖିଳ ଭାରତ କିଶାନ୍ ମଜଦୂର ସଭା (AIKMS)ର ସୋରଡା ବ୍ଲକ୍ ଶାଖା ପକ୍ଷରୁ ଏକଲପୁର ପଞ୍ଚାୟତର ଲୋକାମାରି ଠାରେ ଏକ ଗଣ ସମାବେଶ ଆୟୋଜିତ ହୋଇଯାଇଛି । ଭିଟାମାଟିର ସୁରକ୍ଷା ପାଇଁ ସଂଗଠନର ବ୍ଳକ୍ ସଭାପତି କାଳୀଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ଏହି ସମାବେଶରେ ବ୍ଳକର ବିଭିନ୍ନ ଗ୍ରାମରୁ ଶହ ଶହ ଲୋକ ଯୋଗ ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ଲୋକାମାରୀ ଠାରେ ଗ୍ରାନାଇଟ୍ ଖଣିକୁ ଏକ ଘରୋଇ କମ୍ପାନୀକୁ ସ୍ଥାନୀୟ ଗ୍ରାମବାସୀମାନଙ୍କ ବିରୋଧ ସତ୍ତ୍ଵେ ଲିଜ ଦେଇଛନ୍ତି । ସମ୍ପୃକ୍ତ କମ୍ପାନୀ ଖଣି ଖନନ ପାଇଁ କରୁଥିବା ବିସ୍ଫୋରଣ ଫଳରେ ଗାଁ ଲୋକଙ୍କ ଘରଦ୍ୱାର ଭାଙ୍ଗିଯିବା ସହ ସେମାନଙ୍କ ଚାଷ ନଷ୍ଟ ହେବାରେ ଲାଗିଛି । ଖଣି ଖନନ ଯୋଗୁଁ ଲୋକଙ୍କ ଧନ ଜୀବନ ପ୍ରତି ସୃଷ୍ଟି ହୋଇଥିବା ଏହି ବିପଦ ସମ୍ପର୍କରେ ଅତିତରେ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ଦେଖିବାକୁ ମିଳିନି । ବରଂ ଲୋକଙ୍କ ଅଭିଯୋଗ ପରେ ସ୍ଥାନୀୟ ତହସିଲଦାର ଓ ଖଣି ଅଧିକାରୀଙ୍କୁ ନେଇ ଗଠିତ ମିଳିତ ତଦନ୍ତ ଦଳ କମ୍ପାନୀର ବେଆଇନ କାର୍ଯ୍ୟକୁ ଚିହ୍ନଟ କରିବା ବଦଳରେ ତାକୁ କ୍ଳିନ୍ ଚିଟ୍ ପ୍ରଦାନ କରିଛି । ଏହି ପରିପ୍ରେକ୍ଷୀରେ ନିଜର ଭିଟାମାଟି, ଘରଦ୍ୱାର ଓ ପରିବେଶର ସୁରକ୍ଷା ପାଇଁ ଗାଁଲୋକେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଲୋକଙ୍କ ଶାନ୍ତିପୂର୍ଣ୍ଣ ବିରୋଧ ଫଳରେ ବର୍ତମାନ କମ୍ପାନୀ ତରଫରୁ ସେଠାରେ ଖଣିଖନନ ସ୍ଥଗିତ ରହିଛି ।ଆଜିର ଗଣ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ବ୍ଳକ୍ ସମ୍ପାଦକ ସଂଗ୍ରାମ ନାୟକ, ରାଜ୍ୟ କମିଟି ସଦସ୍ୟ ତଥା ଆଦିବାସୀ ନେତା କୁଶନାଥ ପ୍ରଧାନ, ପୀତବାସ ପ୍ରଧାନ, ସର୍ବିନ ଗମାଙ୍ଗ,ଗାଁ କମିଟିର ସମ୍ପାଦକ ପଞ୍ଚାନନ ନାୟକ,ଡ୍ରାଇଭର ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ସଗ୍ରାମୀ ସ୍ଳୋଗାନ ଦେଇ ଲୋକଙ୍କ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା ।

Leave A Reply

Your email address will not be published.