ଜୀବନର ମନ୍ତ୍ର ମୋହିତ କରୁଛି ମୋତେ
ସେ ପାରିରେ ରହି ଡାକେ ବାର ବାର କିଏ
ଘନ ଅନ୍ଧକାର ଭେଦି
କାହିଁକି ଯିବି ମୁଁ ସତେ…..!!
ସାଧୁ ବେଶେ ଆଜି ସଇତାନ ମାଳ ମାଳ
ମିଛେ ଗଡାଏ କେ ରାମ ନାମ କଣ୍ଠି ମାଳ
ବାଣୀଟା ମଧୁର ସିନା
ଅନ୍ତରଟା ହଳାହଳ….!!
ଚିହ୍ନା ମୁହଁ ଯେତେ ପ୍ରତ୍ୟହ ଦିଅନ୍ତି ଦେଖା
ପ୍ରତି ମୁହୂର୍ତ୍ତରେ କାଟନ୍ତି ଜୀବନ ରେଖା
କାହାକୁ ମଣିବା ସଚ୍ଚା
କିଏ ଶତ୍ରୁ କିଏ ସଖା….!!
ହସ ହସ ଖାଲି ବଦନ ପଙ୍କଜ ଦେଖି
ଭ୍ରମରେ ପକାଇ ତଇଳ ଦିଅନ୍ତି ମାଖି
ଚାଟୁ ବଚନରେ ମୋହି
ସ୍ବାର୍ଥକୁ ଦିଅନ୍ତି ଯୋଖି….!!
ଜୀବନର ଚଲା ପଥେ ଆସେ ନିତି ଝଡ଼
ଧୈର୍ଯ୍ୟ ଧରିଣ ମନ ସଦା କର ଦୃଢ
ସଂଗ୍ରାମ ଜାରି ରଖ
ଦିନେ ନିଶ୍ଚେ ହେବ ବଡ଼….!!
ନିଜ ବିବେକରେ ନିଷ୍ପତ୍ତି ନିଅ ସଦା
ପର ପାଠ ପର କଥା ଚିନ୍ତା ଅସୁବିଧା
ନିଜେ ଜୀଇଁବାର ଶିଖ
ତେଜି ମନୁ ଯେତେ ଦ୍ବିଧା…..!!
ନିଜ ଆତ୍ମା ଚିହ୍ନି ନିଜକୁ ପାଆ ତୁ ଭଲ
ବୁଝିବୁ ଜୀବନ ଠାରୁ ନାହିଁ କିଛି ମୂଲ୍ୟ
ପଥେ ପଥେ କଣ୍ଟା ଯେତେ
ଆଡେଇ ଆଡେଇ ଚାଲ….!!
କବି କେଶବ ଚନ୍ଦ୍ର ନାୟକ(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭