ଛତ୍ରପୁର,୦୫/୦୯(ପିପିଟି):ପବିତ୍ର ଗୁରୁଦିବସ ଅବସରରେ ଗଞ୍ଜାମ ଜ଼ିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ ଯୋଗ ଦେଇଥିଲେ । ଜ଼ିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜ଼ିଲ୍ଲା ଶିକ୍ଷାଧିକାରୀ ପ୍ରଭାତୀ କୁମାରୀ ମହାପାତ୍ର ଓ ବସନ୍ତ କୁମାର ପଣ୍ଡା, ପ୍ରଧାନ ଶକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ ମଞ୍ଚାସୀନ ଥିଲେ । କୃତ୍ରିମ ବୁଦ୍ଧିମତା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ସତ୍ୱେ ମଧ୍ୟ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ବିଭିନ୍ନ ଆହ୍ୱାନର ଶିକାର ହେଉଛନ୍ତି, ଏଣୁ ପିଲାଙ୍କ ଆବଶ୍ୟକତା ଅନୁସାରେ ଶିକ୍ଷଣ ପ୍ରକ୍ରିୟାରେ ନୂତନ ପ୍ରଯୁକ୍ତି ବିଦ୍ୟାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଆରୋପ କରିବା ପାଇଁ ଶିକ୍ଷକ ମାନଙ୍କୁ ଆହ୍ୱାନ ଦେଇଥିଲେ ଗଞ୍ଜାମ ଜ଼ିଲ୍ଲାପାଳ । ଏହି ଅବସରରେ ଶିକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଜ଼ିଲ୍ଲାର ୩ ଜଣ ସିଆରସିସି,୨୨ ଜଣ ପ୍ରାଥମିକ ଶିକ୍ଷକ ଓ ୪୨ ଜଣ ବିଷୟ ଭିତ୍ତିକ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ସହ ଜ଼ିଲ୍ଲା ସ୍ତରୀୟ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଗଣ ଗୁରୁବନ୍ଦନା ଗାନ କରିଥିଲେ । ଆଜି ଭୁବନେଶ୍ୱରର ଲୋକ ସେବା ଭବନରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଗଞ୍ଜାମ ଜ଼ିଲ୍ଲାର ତତ କାଳୀନ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ୪ ଜଣ ବିଷୟ ଭିତ୍ତିକ ମାଧ୍ୟମିକ ଶିକ୍ଷକ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ, ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷକ ରାମଚନ୍ଦ୍ର ମହାରଣା,ଚାନ୍ଦିନୀ କୁମାରୀ ପଣ୍ଡା, ଅଞ୍ଜଳି କୁମାରୀ ପାତ୍ର, ଶଙ୍କର ନାରାୟଣ ବେଜ,ଗୋକୁଳ କୃଷ୍ଣ ପଣ୍ଡା, ବିଷ୍ଣୁ ପ୍ରସାଦ ତ୍ରିପାଠୀ,ସବିତା ତ୍ରିପାଠୀ, ସରୋଜ କୁମାର ପାଢ଼ୀ,ଶରତ କୁମାର ଓ ବିଦ୍ୟାଳୟର ଏନସିସି ଛାତ୍ର ଗଣ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । ପରିଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଭାତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।