ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ।

0 157

ମାଲକାନଗିରି, ୨୭/୦୧(ପିପିଟି) :ମାଲକାନଗିରି ସଦର ମହକୁମା ସ୍ଥିତ ଡିଏନକେ ପଡିଆ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ର ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।
ଏହି ପବିତ୍ର ଦିବସ ଉପଲକ୍ଷେ ମନ୍ତ୍ରୀ ଶ୍ରୀ ମଲ୍ଲିକ ସମସ୍ତ ଜିଲ୍ଲାବାସୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସମ୍ବିଧାନ ସଭାର ଅଧ୍ୟକ୍ଷ ଏବଂ ସମସ୍ତ ସଦସ୍ୟଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ୭୫ ବର୍ଷ ତଳେ ଏହି ଦିବସରେ ସମ୍ବିଧାନ ପ୍ରଣୟନ ହୋଇଥିଲା। ସମ୍ବିଧାନରେ ଭାରତକୁ ଏକ ଗଣତାନ୍ତ୍ରିକ , ଧର୍ମ ନିରପେକ୍ଷ, ସମାଜବାଦୀ, ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ପ୍ରକାଶ କରିଥିଲେ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆଦିମ ଜନଜାତି ଅଧ୍ୟୁଷିତ ଏହି ମାଲକାନଗିରି ଜିଲ୍ଲା ସମଗ୍ର ଓଡ଼ିଶାରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି। ମାଲକାନଗିରି ହେଉଛି ବୀରଙ୍କ ମାଟି। ଏହି ପବିତ୍ର ମାଟିରେ ଲକ୍ଷ୍ମଣ ନାୟକଙ୍କ ସମେତ ଅନେକ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ଗ୍ରହଣ କରିଛନ୍ତି । ଯେଉଁମାନେ କି ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ଦେଶ ମାତୃକାର ଟେକ ରଖିଛନ୍ତି । ସେହିଭଳି ମନ୍ତ୍ରୀ ଶ୍ରୀ ମଲ୍ଲିକ ପାରମ୍ପରିକ ଆବାସ ସ୍ଥଳୀ ଉପରେ ଗୋଷ୍ଠୀଗତ ଅଧିକାରରେ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ବଣ୍ଡା ସମ୍ପ୍ରଦାୟର ବିଶେଷ ଭାବରେ ଆଦିମ ଜନଜାତି ସମୁଦାୟ ( ପିଭିଟିଜି) ଙ୍କୁ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ
ଗ୍ରାମସଭା ମାଧ୍ୟମରେ ସମୁଦାୟ ୯୫୮ ଟି ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇଛି। ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅଧିନରେ ମାଲକାନଗିରି ଜିଲ୍ଲାର ୩୭୧୦୨ ଜଣଙ୍କୁ ବ୍ୟକ୍ତିଗତ ଏଫଆରଏ ପଟ୍ଟା, ୧୯୨ ଜଣଙ୍କୁ ଗୋଷ୍ଠୀ ଅଧିକାର ପଟ୍ଟା ଓ ୧୧୮ ଜଣଙ୍କୁ ଗୋଷ୍ଠୀ ସମ୍ପଦ ଅଧିକାର ପଟ୍ଟା ହସ୍ତାନ୍ତର କରାଯାଇଛି।
ସେହିଭଳି ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଏବଂ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଅର୍ନ୍ତଗତ ବିଭିନ୍ନ ଯୋଜନା ଉପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ଅଭିଭାଷଣ ମାଧ୍ୟମରେ ଆଲୋକପାତ କରିଥିଲେ।
ଏହି ପବିତ୍ର ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ସେହିଭଳି ଜିଲ୍ଲା ସମାଜ ମଙ୍ଗଳ ଓ ଶିଶୁ ସୁରକ୍ଷା, ଜଙ୍ଗଲ ବିଭାଗ ଏବଂ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ଵାରା ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା। ପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଉତ୍କୃଷ୍ଟ ପ୍ୟାରେଡ ପ୍ରଦର୍ଶନ କରିଥିବା ଦଳମାନଙ୍କୁ ପୁରସ୍କୃତ କରାଯାଇଥିଲା।ସେହିଭଳି ପରିବର୍ତ୍ତନ ଶିଶୁ ଗୃହ ଏବଂ ଜିଲ୍ଲା କାରାଗାରର ଅନ୍ତେବାସୀମାନଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ମଲ୍ଲିକ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ମଞ୍ଚରେ ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ନରେଶ ଚନ୍ଦ୍ର ଶବର ଓ ସଦର ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଉପସ୍ଥିତ ଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଓ ସରୋଜ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ୟାରେଡରେ ସମୁଦାୟ ୩୦ ଗୋଟି ଦଳ ଭାଗ ନେଇଥିଲେ। ପ୍ୟାରେଡକୁ ପୋଲିସ ଆରଆଇ ସତ୍ୟପ୍ରିୟ ବିଶ୍ଵାଳ ନେତୃତ୍ୱ ନେଇଥିବା ବେଳେ ସେକେଣ୍ଡ ଇନ୍ କମାଣ୍ଡ ଭାବେ ଏସଆଇ ତ୍ରିଲୋଚନ ସେଠୀ ଥିଲେ। ପ୍ୟାରେଡରେ ବିଚାରକ ଭାବେ ସହାୟକ ଜିଲ୍ଲାପାଳ ତଥା ଅବସପ୍ରାପ୍ତ ନୌସେନା କର୍ମଚାରୀ ଅଜୟ ମାଣ୍ଡାଙ୍ଗି, ଡିଏସପି ଓନମ ଲାକ୍ରା ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହେମନ୍ତ କୁମାର ଦାସ ଯୋଗ ଦେଇଥିଲେ। ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରଭାତରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯାଇଥିଲା। ସେହିଭଳି ସହର ମଧ୍ୟରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ , ମାଲକାନଗିରି)

Leave A Reply

Your email address will not be published.