ଯାଜପୁର, ୦୧/୦୪(ପିପିଟି): ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ଦିବସ ୨୦୨୬ ଏବଂ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ ଡ. ମହାପାତ୍ର ଯାଜପୁର ସହରର ବିଭିନ୍ନ ସ୍ଥାନ ଗସ୍ତ କରି ମେଡିକାଲ କଲେଜ୍ ଛକ, ଗାନ୍ଧୀ ଛକ ଏବଂ ଜିଲ୍ଲା ସ୍କୁଲରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉତ୍କଳ ବାଳାଶ୍ରମ ଏବଂ ଉପକାରାଗାର ପରିଦର୍ଶନ କରି ରୋଗୀ ଓ ଅନ୍ତେବାସୀମାନଙ୍କୁ ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ମନ୍ତ୍ରୀ ଡ. ମହାପାତ୍ର ଉତ୍କଳ ବାଳାଶ୍ରମରେ ପହଞ୍ଚିବା ପରେ ସେଠାରେ କୁନି କୁନି ଶିଶୁମାନଙ୍କ ଗହଣରେ ବସି କଥାବାର୍ତ୍ତା ହୋଇଥିଲେ ଏବଂ ଚକୋଲେଟ୍ ବାଣ୍ଟିଥିଲେ। ଏହା ପରେ ସଂସ୍କୃତି ଭବନ ପରିସରରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ମନ୍ତ୍ରୀ ଡ଼.କୃଷ୍ଣଚନ୍ଦ୍ର ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ମହାରାଜ ଯଯାତି କେଶରୀଙ୍କ ନାମରେ ନାମିତ ଯାଜପୁର ଜିଲ୍ଲାରେ ଏକ ସମୃଦ୍ଧ ଇତିହାସ ରହିଛି। ଯାଜପୁରର ଅନେକ ବିଦଗ୍ଧ କବି, ସନ୍ଥ, ସାହିତ୍ୟିକ ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି ଏବଂ ଉତ୍କଳୀୟ ସଂସ୍କୃତିକୁ ସମୃଦ୍ଧ କରିଛନ୍ତି। ଓଡ଼ିଆ ଜାତୀୟ ଜାଗରଣର ଅଗ୍ରଣୀ ନେତୃତ୍ୱ ବିଚିତ୍ରାନନ୍ଦ ଦାସଙ୍କ ଜନ୍ମଭୂମି ହେଉଛି ଯାଜପୁର। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଆଙ୍କ ପ୍ରମୁଖ ସ୍ୱର ସାଜିଥିବା “ଉତ୍କଳ ଦୀପିକା”ର ପ୍ରକାଶନରେ ବିଚିତ୍ରାନନ୍ଦ ଦାସଙ୍କ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ସେ କହିଥିଲେ। ଏହାସହ ଯାଜପୁର ସହରରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଦ୍ଵାରା ହୋଇଥିବା ବିକାଶମୂଳକ ପଦକ୍ଷେପ ଏବଂ ପୌର ପରିଷଦ ପକ୍ଷରୁ ବାରୁଣୀ ମେଳାର ସଫଳ ଆୟୋଜନ ସମ୍ପର୍କରେ ମନ୍ତ୍ରୀ ଆଲୋକପାତ କରିଥିଲେ।
ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପଛରେ ମହାପୁରୁଷଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗ ଦେଇ ଓଡ଼ିଆ ଜାତିର ସଂସ୍କୃତି, ଐତିହ୍ୟ, ମହାନତା ସମ୍ପର୍କରେ ବକ୍ତବ୍ୟ ଦେବା ସହ ଉତ୍କଳ ଭଳି ମହାନ୍ ରାଜ୍ୟ ଏ ଧରା ପୃଷ୍ଠରେ ନାହିଁ ବୋଲି ଶାସ୍ତ୍ର ଉକ୍ତିକୁ ଉଲ୍ଲେଖ କରିଥିଲେ। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଆଜି ୯୦ ବର୍ଷରେ ପଦାର୍ପଣ କରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଓଡ଼ିଶୀ ନୃତ୍ୟ, ଓଡ଼ିଆ ଭାଷା ସାହିତ୍ୟ, ବିସ୍ତୃତ ବେଳାଭୂମି, ଖଣିଜ ସମ୍ପଦ, ଗୋପବନ୍ଧୁଙ୍କ ଭଳି ବରପୁତ୍ର ମାନଙ୍କ ଆଦର୍ଶକୁ ନେଇ ଆମର ଏକ ସ୍ୱତନ୍ତ୍ର ପରିଚୟ ଅଛି। ସେହି ପରିଚୟକୁ ଆମେ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଏବଂ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ଆବଶ୍ୟକ। ସ୍ୱାଭିମାନୀ ଓଡ଼ିଆ ଭାବେ ଆମେ ଏକତା ସୂତ୍ରରେ ବାନ୍ଧି ରହିଲେ ହିଁ ଜାତିର ଉନ୍ନତି ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ। ମଞ୍ଚାସୀନ ଅତିଥି ଭାବେ ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀପ୍ରସାଦ ମହାନ୍ତି ଏବଂ ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ଜିଲ୍ଲାର ଅଗ୍ରଣୀ କୃଷକମାନଙ୍କୁ ଏବଂ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ସଭା ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନର ଅଧିକାରୀମାନେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶେଷରେ ଉପଖଣ୍ଡ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟବ୍ରତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାରୋହରେ ପ୍ରଶାସନର ବରିଷ୍ଠ ଅଧିକାରୀଗଣ, ଜିଲ୍ଲାର ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।