ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ପାଳିତ ।

0 193

ଯାଜପୁର,୧୨/୧୨(ପିପିଟି): ଜିଲ୍ଲା ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ ଗୃହରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ୨୦୨୫ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷେଧକ ଓ ପ୍ରତିକାରାତ୍ମକ ସ୍ବାସ୍ଥ୍ୟସେବା ସହଜରେ ଉପଲବ୍ଧ କରାଇବା ବିଷୟକୁ ନେଇ ଆଲୋଚନା ହୋଇଥିଲା। ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ ମଧ୍ୟ କିଭଳି ଉତ୍ତମ ମାନର ତଥା ସୁଲଭ ସ୍ବାସ୍ଥ୍ୟ ସେବା ପହଞ୍ଚିବ, ସେହି ଦିଗରେ ଚେଷ୍ଟିତ ହେବା ଦରକାର ବୋଲି ଡାକ୍ତର ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ। ଏହାସହ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଲୋକଙ୍କ ପାଖରେ କେତେ ମାତ୍ରାରେ ପହଞ୍ଚିପାରିଛି, ସେ ସମ୍ପର୍କରେ ସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଡିଏମଓ ଡାକ୍ତର ମନୋଜ କୁମାର ସେନାପତି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଗୋପାଳ ଚନ୍ଦ୍ର ମଲ୍ଲିକ,ଡାକ୍ତର ରମେଶ ଚନ୍ଦ୍ର ମଲ୍ଲିକ, ଡାକ୍ତର ଜଗତଜ୍ୟୋତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ,ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ,ଡିପିଏଚସିଓ,ଡିପିଏମ, ବିପିଏମ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.