ଜିଲ୍ଲା ମହୋତ୍ସବ- ଯଯାତି ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ ।

0 198

ଯାଜପୁର,୧୨/୦୩(ପିପିଟି): ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମହୋତ୍ସବ “ଯଯାତି” ପାଇଁ ପ୍ରସ୍ତୁତି ସମ୍ବନ୍ଧୀୟ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ପ୍ରେସ ମିଟରେ ଯୋଗ ଦେଇ ଜିଲ୍ଲା ମହୋତ୍ସବ ସମ୍ବନ୍ଧୀୟ ବିବରଣୀ ପ୍ରଦାନ କରିଥିଲେ। ଆସନ୍ତା ମାର୍ଚ୍ଚ ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରଶାସନିକ ଭବନ ପଡ଼ିଆଠାରେ ଜିଲ୍ଲା ମହୋତ୍ସବ ଅତ୍ୟନ୍ତ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସ୍ଥାନୀୟ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲୋକନୃତ୍ୟ ପରିବେଷଣ ହେବ। ରାଜ୍ୟ ବାହାରୁ ମଧ୍ୟ ପ୍ରତିଭାବାନ କଳାକାର ଯଯାତିକୁ ଆସିବା ନେଇ ଯୋଜନା ରହିଛି। ପାଞ୍ଚ ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି। ଇତି ମଧ୍ୟରେ ଅର୍ଥନୀତି,ସାହିତ୍ୟ ଓ ଐତିହ୍ୟକୁ ନେଇ ଆଲୋଚନା ଚକ୍ର ସଫଳତାର ସହ ଆୟୋଜିତ ହୋଇସାରିଛି । ଏହାସହ ମହୋତ୍ସବ ପୂର୍ବରୁ ପୂର୍ବାଭାସ ସ୍ୱରୂପ ମାର୍ଚ୍ଚ ୧୮ ତାରିଖ ସକାଳେ “ପଥ ଉତ୍ସବ” ଆୟୋଜିତ ହେବା ନେଇ ଯୋଜନା ରହିଛି। ରାଜପଥରେ ସ୍ପୋର୍ଟସ,ଜୁମ୍ବା, ନୃତ୍ୟ ସଙ୍ଗୀତ ପରିବେଷଣ,ରଙ୍ଗୋଲି, ପାରମ୍ପରିକ କଳା ଅନୁଷ୍ଠିତ ହେବ। ଯାଜପୁରର ଆଧ୍ୟାତ୍ମିକ ପରିବେଶକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୮ ରୁ ୨୦ ତାରିଖ ଯାଏଁ ପ୍ରତ୍ୟୁଷରେ ଗଙ୍ଗା ଆଳତୀ ଢାଞ୍ଚାରେ ଦଶାଶ୍ବମେଧ ଘାଟରେ ବୈତରଣୀ ଆଳତୀ ଅନୁଷ୍ଠିତ ହେବ। ସ୍ଥାନୀୟ ଉତ୍ପାଦର ପ୍ରସାର ଏବଂ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଆଧାରରେ ମହୋତ୍ସବ ପରିସରରେ ସୁଭଦ୍ରା ଶକ୍ତି ମେଳା ଏବଂ ପଲ୍ଲିଶ୍ରୀ ଓ ହସ୍ତତନ୍ତ ମେଳା ଆୟୋଜିତ ହେବ। ଏଥିରେ ପ୍ରାୟ ୨୫୦ ରୁ ଉର୍ଦ୍ଧ୍ୱ ବିଭିନ୍ନ ଷ୍ଟଲ୍ ରହିବ। ଏହାସହ ପାରମ୍ପରିକ ତଥା ଆଧୁନିକ ଖାଦ୍ୟ ଷ୍ଟଲ୍ ପାଇଁ ଫୁଡ୍ କୋର୍ଟ ମଧ୍ୟ ରହିବ। ଜିଲ୍ଲା ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ମହା ଆଡ଼ମ୍ବରରେ ଆୟୋଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଉପଖଣ୍ଡ ଲୋକସମ୍ପର୍କ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ,ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ସୀତାଂଶୁ ଶେଖର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ ଏବଂ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.