ମାଲକାନଗିରି, ୧୧/୧୧(ପିପିଟି):ମାଲକାନଗିରି ଜିଲ୍ଲା କାରାଗାର ପରିସରରେ ଏକ ସାମାଜିକ ଚେତନା କେନ୍ଦ୍ର ଶୁଭାରମ୍ଭ କରାଯାଇଛି । ଜାତୀୟ ଶିକ୍ଷା ଦିବସ- ୨୦୨୫ ଅବସରରେ ଜିଲ୍ଲପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା କାରାଗାରରେ ଥିବା ନିରକ୍ଷର ଅନ୍ତେବାସୀ ମାନଙ୍କୁ ଏହି କେନ୍ଦ୍ର ମାଧ୍ୟମରେ ସାକ୍ଷର କରାଯିବ। ପୁନଶ୍ଚ ଯେଉଁ ବ୍ୟକ୍ତିମାନେ ସାକ୍ଷର ଓ ଶିକ୍ଷିତ ଥିବେ ସେମାନଙ୍କୁ କୌଶଳ ବିକାଶର ତାଲିମ ମଧ୍ୟ ପ୍ରଦାନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ମୁଖ୍ୟ ବକ୍ତା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ,ଭାଗିରଥି ବେହେରା ଓ କାରାଗାର ଅଧିକ୍ଷକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ମମତା ସୋଏ ଓ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଏହି କେନ୍ଦ୍ର ମାଧ୍ୟମରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ନିରକ୍ଷର ଅନ୍ତେବାସୀମାନଙ୍କୁ ସାକ୍ଷର କରାଯିବ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ସମସ୍ତ ଯୋଗ୍ୟ ଅନ୍ତେବାସୀମାନଙ୍କୁ ଉଲ୍ଲାସ ପୁସ୍ତକ ଓ ପାଠ୍ୟ ପୁସ୍ତକ ଯୋଗାଇ ଦିଆ ଯାଇଥିଲା।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)