ଛତ୍ରପୁର,୦୭/୦୩(ପିପିଟି): ଜିଲ୍ଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକ ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଦିଶା କମିଟିର ଅଧ୍ୟକ୍ଷା ତଥା ଆସିକା ସାଂସଦ ଅନୀତା ଶୁଭଦର୍ଶନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ,ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ସଭାପତି ଅଞ୍ଜଳି ସ୍ୱାଇଁ, ଉପସଭାପତି ଏସ. ରାଜେଶ୍ୱରୀ ଦୋରା,ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳାଇ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ, ବ୍ରହ୍ମପୁର ମହାନଗର ନିଗମର କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ସୁନୀଲ କୁମାର କେର୍କେଟା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ସରପଞ୍ଚ ଓ କମିଟିର ସଦସ୍ୟଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।
ଗଞ୍ଜାମ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ଗ୍ରାମୀଣ ବିକାଶ, ମନେରେଗା, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ ଓ ଡିଜିଟାଲ୍ ସେବା ଆଦି ସମସ୍ତ କ୍ଷେତ୍ରରେ ଜିଲ୍ଲାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି।
ଗ୍ରାମୀଣ ବିକାଶ କ୍ଷେତ୍ରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧,୩୮,୫୦,୦୦୦ ଶ୍ରମ ଦିବସ ଲକ୍ଷ୍ୟ ଧାର୍ଯ୍ୟ ମଧ୍ୟରୁ ୧,୦୦,୪୩,୧୪୬ ଶ୍ରମ ଦିବସ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ଗ୍ରାମୀଣ ଅଧୀନରେ ମଞ୍ଜୁର ହୋଇଥିବା ୩୬,୦୫୦ଟି ଘର ମଧ୍ୟରୁ ୩୨,୨୧୨ଟି ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ୧୧୧ଟି ପ୍ରକଳ୍ପ ମଧ୍ୟରୁ ୮୨ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇସାରିଛି ଏବଂ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସମସ୍ତ ୧୩୦ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇସାରିଛି।
କୃଷି ଓ କୃଷକ କଲ୍ୟାଣ ବିଭାଗ ଅଧୀନରେ ସଏଲ୍ ହେଲ୍ଥ କାର୍ଡ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଆତ୍ମା, ପ୍ରଧାନମନ୍ତ୍ରୀ କିସାନ ଓ ଇ-ନାମ୍ ପରି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୨୪ ଖରିଫ ରେ ୧,୪୭,୦୯୨ ଜଣ ଏବଂ ୨୦୨୪-୨୫ ରବି ଋତୁରେ ୪,୦୯୨ ଜଣ ଚାଷୀ ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ୧,୧୮୧ ଜଣ ହିତାଧିକାରୀ ଲାଭାନ୍ବିତ ହୋଇଛନ୍ତି।
ପଞ୍ଚାୟତିରାଜ ବିଭାଗ ଅଧୀନରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା, ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଓ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଗ୍ରାମୀଣ ଭିତ୍ତିଭୂମି ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଜଳ ଜୀବନ ମିଶନ ମାଧ୍ୟମରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଛି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଅମୃତ ୨.୦ ମାଧ୍ୟମରେ ସହରାଞ୍ଚଳରେ ଜଳ ଯୋଗାଣ ଓ ଜଳ ପୁନଃଚକ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହର ଓ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ସହରୀ ଗରିବ ଓ ଉଠାଦୋକାନୀମାନଙ୍କୁ ଘର ଓ ଋଣ ସହାୟତା ମିଳୁଛି।
ଶିକ୍ଷା କ୍ଷେତ୍ରରେ ସମଗ୍ର ଶିକ୍ଷା ଯୋଜନା ଅଧୀନରେ ମୋଟ ୨,୨୦୬ଟି ଶ୍ରେଣୀଗୃହ ମଞ୍ଜୁର ହୋଇଥିବା ବେଳେ ୨,୦୪୮ଟି ସମ୍ପୂର୍ଣ୍ଣ ହୋଇଛି ଓ ୧୫୮ଟି କାମ ଚାଲୁରହିଛି। ୧,୧୯୪ଟି ମଞ୍ଜୁର ବାଳିକା ଶୌଚାଳୟ ମଧ୍ୟରୁ ୧,୧୬୯ଟି ସମ୍ପୂର୍ଣ୍ଣ ଓ ୨୫ଟି କାର୍ଯ୍ୟ ଚାଲୁ ରହିଛି। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ୩,୮୦୧ଟି ବିଦ୍ୟାଳୟର ୩,୭୯,୦୫୮ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି।
ଡିଜିଟାଲ୍ ଇଣ୍ଡିଆ ଅଧୀନରେ ଗଞ୍ଜାମ ଜିଲ୍ଲାର ୫୦୩ଟି ଗ୍ରାମ ପଞ୍ଚାୟତରେ ୫୦୩ଟି ଜନସେବା କେନ୍ଦ୍ର କାର୍ଯ୍ୟରତ ଅଛି।
ମୋଟାମୋଟି ଭାବେ କହିବାକୁ ଗଲେ, ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକରିତା ମାଧ୍ୟମରେ ଗ୍ରାମୀଣ ଓ ସହରାଞ୍ଚଳର ଉନ୍ନତି ସହ ଲୋକମାନଙ୍କ ଜୀବନମାନରେ ଉନ୍ନତି ଅଣାଯାଇପାରିଛି।
ଗଞ୍ଜାମ ଜିଲ୍ଲାପାଳ ସ୍ୱାଗତଭାଷଣ ପ୍ରଦାନ କରିବା ସହିତ ଜିଲ୍ଲାରେ ଚାଲିଥିବା ଉନ୍ନୟନ କାମ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବେହେରା ସଂଯୋଜନା କରିଥିଲେ।