ଯାଜପୁର,୦୪/୧୨(ପିପିଟି): ଲିଙ୍ଗ ଭିତ୍ତିକ ହିଂସାକୁ ରୋକିବା ଉଦ୍ଦେଶ୍ୟ ନେଇ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଏକ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଛି। ନଭେମ୍ବର ୨୫ ରୁ ଡିସେମ୍ବର ୧୦ ଯାଏଁ ହେଉଥିବା ଜିଲ୍ଲାସ୍ତରୀୟ ଲିଙ୍ଗ ଭିତ୍ତିକ ହିଂସା ନିରାକରଣ ସଚେତନତା ପକ୍ଷ -୨୦୨୫ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଟିର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ମିଶ୍ର ସ୍ଵାଗତ ସୂଚନା ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯାଜପୁର ଜିଲ୍ଲାରେ ମହିଳା ହିଂସା ରୋକିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଏ ଦିଗରେ ଥିବା ଆହ୍ଵାନ ଏବଂ ସମାଧାନକୁ ବୈଠକରେ ଉପସ୍ଥାପନ କରିଥିଲେ। ଲିଙ୍ଗଗତ ହିଂସାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ଗ୍ରହଣ କରାଯାଉଛି, ଯେଉଁଥିରେ ମିଶନ ଶକ୍ତି, ଶକ୍ତି – ୱାନ ଷ୍ଟପ ସେଣ୍ଟର, ମହିଳା ସହାୟତା ନମ୍ବର ୧୮୧ ଓ ୧୦୯୧ ଭଳି ପଦକ୍ଷେପ ଅନ୍ତର୍ଭୁକ୍ତ। ଲିଙ୍ଗ ଅନୁପାତକୁ ଉନ୍ନତ କରିବା ପାଇଁ ପ୍ରୟାସ କରାଯାଉଛି ଏବଂ ଆଶା ଅଙ୍ଗନୱାଡ଼ି କର୍ମୀଙ୍କ ମାଧ୍ୟମରେ ତଥ୍ୟ ସଂଗ୍ରହ ସହ ସଚେତନତା ସୃଷ୍ଟି କରାଯାଉଛି। ଲିଙ୍ଗଗତ ହିଂସାର ଶିକାର ହୋଇଥିବା ମହିଳାଙ୍କୁ କାଉନସେଲିଂ କରାଯାଉଛି। କର୍ମକ୍ଷେତ୍ରରେ ଲିଙ୍ଗଗତ ହିଂସାକୁ ବନ୍ଦ କରିବା ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବିଭାଗରେ ଅନ୍ତରୀଣ କମିଟି କରିଛନ୍ତି। ସେହିଭଳି ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ପରୀ କାର୍ଯ୍ୟକ୍ରମ, ଶକ୍ତି ଟିମ୍ ଓ ପିଙ୍କ୍ ପୋଲିସ ପ୍ୟାଟ୍ରୋଲ ଏହି ଦିଗରେ ବିଶେଷ ସହାୟକ ହେଉଅଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ମହିଳାମାନଙ୍କୁ ମାଗଣା ଆଇନ ସେବା ଯୋଗାଇବା ସହ ଲିଙ୍ଗ ଭିତ୍ତିକ ହିଂସା ସମ୍ପର୍କିତ ଆଇନ କାନୁନ୍ ଉପରେ ସଚେତନତା ସୃଷ୍ଟି କରୁଅଛି। ସମ୍ମାନର ସହ ବଞ୍ଚିବା ସମସ୍ତ ମହିଳା ଓ ଝିଅମାନଙ୍କର ମୌଳିକ ଅଧିକାର ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଏବଂ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀମାନେ ଉପସ୍ଥିତ ଥିଲେ ।