ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ।

0 229

ମାଲକାନଗିରି, ୧୭/୦୫(ପିପିଟି) :ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସତର୍କ ରୁହ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଯେପରି ଉଦ୍ଧାର ଏବଂ ସହାୟତାରେ କୌଣସି ଅବହେଳା ନହୁଏ‌, ସେପ୍ରତି ଯତ୍ନବାନ ହେବା ଉଚିତ୍‌। ଶନିବାର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ସମସ୍ତ ଅଧିକାରୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ।
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ନରରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦାସ ମଞ୍ଚାସୀନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ , ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଏବଂ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଲାଇନ ଅଧିକାରୀ ଯୋଗଦେଇଥିଲେ। ବୈଠକରେ ବଣ୍ଡାଘାଟି, ଯନ୍ତ୍ରୀ, ଚିତ୍ରକୋଣ୍ଡା ଓ ତୁଳସୀ ପାହାଡ ଅଞ୍ଚଳରେ ବର୍ଷା ପୂର୍ବରୁ କଲଭର୍ଟ ଓ ରାସ୍ତା ମରାମତି କାର୍ଯ୍ଯ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଋତୁରେ ବିଏସଏଫ୍ କ୍ୟାମ୍ପ ଗୁଡ଼ିକ ଯେଭଳି ଯୋଗାଯୋଗରୁ ବିଚ୍ଛିନ୍ନ ନହୁଏ ସେଥିପ୍ରତି ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି । ତହସିଲଦାର ମାନଙ୍କୁ ବନ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରିବା ପାଇଁ କୁହାଯାଇଛି। ନୂତନ ବନ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ନିମନ୍ତେ ପ୍ରସ୍ତାବ ପଠାଯିବ ବୋଲି ଜିଲ୍ଲାପାଳ ବୈଠକରେ ସୂଚନା ଦେଇଛନ୍ତି।
ଆଗାମୀ ବର୍ଷା ଋତୁରେ ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବନ୍ୟାପ୍ଲାବିତ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ, ଜରୁରୀକାଳୀନ ସୂଚନା ନିମନ୍ତେ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯିବା, ସମସ୍ତ ସହରାଞ୍ଚଳରେ ବର୍ଷା ପୂର୍ବରୁ ଜଳ ନିଷ୍କାସନ ନିମନ୍ତେ ନାଳ ନର୍ଦ୍ଦମା ସଫା, ନିୟମିତ ବୃଷ୍ଟିପାତ ମାପିବା, ବହୁମୁଖୀ ଆଶ୍ରୟସ୍ଥଳ ଗୁଡିକରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ, ପାନୀୟଜଳ ମହଜୁଦ, ଆବଶ୍ୟକ ଜରୁରୀକାଳୀନ ସମସ୍ତ ଔଷଧ ଏବଂ ସାପ କାମୁଡା ଓ କୁକୁର କାମୁଡା ଔଷଧ ଯୋଗାଣ, ଅତ୍ୟାବଶ୍ୟକ ସେବା ସୁବିଧା ପାଇଁ ଜେନେରେଟର ବ୍ୟବସ୍ଥା, ପଶୁ ସଂପଦମାନଙ୍କର ସୁରକ୍ଷା, ନଳକୂଅ-କୂଅରେ ବ୍ଲିଚିଂ ଦ୍ୱାରା ବିଶୋଧନ, ବନ୍ୟା ପରେ ଚାଷ ଜନିତ କ୍ଷୟକ୍ଷତିର ଆକଳନ, ଉଦ୍ୟାନ କୃଷି କାର୍ଯ୍ୟ, ଓଡ୍ରାଫର ପ୍ରସ୍ତୁତି, ବାତ୍ୟା ପରେ ପୁନଃ ବିଦ୍ୟୁତ୍ ସରବରାହ କାର୍ଯ୍ୟ, ତଳିଆ ଅଞ୍ଚଳରୁ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା, ବନ୍ୟା ଜଳରେ ବୁଡି ରହିଥିବା ରାସ୍ତା ଓ ପୋଲକୁ ବାରିକେଡିଂ କରି ଯାତାୟାତକୁ ବନ୍ଦ ରଖିବା ଓ ଟ୍ରାଫିକ୍ ପରିଚାଳନା ସଂପର୍କରେ ଆଲୋଚନା କରାଯାଇଥିଲା । ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଜିଲ୍ଲାବାସୀଙ୍କ ଧନ ଜୀବନ ସୁରକ୍ଷା ନିମନ୍ତେ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବୈଠକରେ ସାଂସଦ ଇଂ ମାଝୀ କହିଥିଲେ । ବୈଠକ ଆୟୋଜନ କରିବାରେ ଜରୁରୀ କାଳୀନ ବିଭାଗ ପକ୍ଷରୁ କୁନା ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.