ଜିଲ୍ଲାର ସାମୁଦ୍ରିକ ଚିଙ୍ଗୁଡ଼ି ଯାଆଁଳ ଉତ୍ପାଦନ କେନ୍ଦ୍ର ଓ ବ୍ରାକିଶ୍ ଜଳ ଚାଷରେ ଅନୁସରିତ ମାନଦଣ୍ଡର ଉଚ୍ଚ ପ୍ରଶଂସା କଲେ ୟୁଏସଏଫଡିଏ ଟିମ ।

0 213

ବ୍ରହ୍ମପୁର,୨୫/୦୨(ପିପିଟି): ଯୁକ୍ତରାଷ୍ଟ୍ର ଆମେରିକାର ୟୁଏସଏଫଡିଏର ଏକ ପ୍ରତିନିଧି ମଣ୍ଡଳୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସାମୁଦ୍ରିକ ଚିଙ୍ଗୁଡ଼ି ଯାଆଁଳ ଉତ୍ପାଦନ କେନ୍ଦ୍ର ଓ ବ୍ରାକିଶ୍ ଜଳ ଚାଷରେ ଅନୁସରିତ ମାନଦଣ୍ଡର ମୂଲ୍ୟାଙ୍କନ କରିବା ସହିତ ସଠିକ ମାନଦଣ୍ଡ ଅନୁସରଣ କରିଥିବା ହେତୁ ଏହାର ଉଚ୍ଚ ପ୍ରଶଂସା କରିଛନ୍ତି ।

ପ୍ରତିନିଧି ମଣ୍ଡଳୀ ପ୍ରଥମେ ଗୋପାଳପୁର ସ୍ଥିତ ଓସିଆନିଡ୍ ଚିଙ୍ଗୁଡ଼ି ଯାଆଁଳ ଉତ୍ପାଦନ କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ସିଏଏ, ଏମପିଇଡିଏ, ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅଧିକାରୀ ଓ ଉପଖଣ୍ଡସ୍ତରୀୟ କମିଟି (ଏସଡିଏଲସି) ର ସଦସ୍ୟମାନେ ଉପସ୍ଥିତ ଥିଲେ ।
ଯୁଏସଏଫଡିଏର ପ୍ରତିନିଧିମାନେ ଖାଦ୍ୟ ପରିଚାଳନା, ଉତ୍ପାଦନ ଓ ବିକ୍ରୟ ସମ୍ବନ୍ଧୀୟ ରେକର୍ଡ ସହିତ ଅନ୍ୟାନ୍ୟ ଦସ୍ତାବିଜର ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିଥିଲେ । ଯାଆଁଳ ଉତ୍ପାଦନ କେନ୍ଦ୍ରର ବିଭିନ୍ନ ଉପକେନ୍ଦ୍ର ପରିଦର୍ଶନ କରି ସମୁଦ୍ରଜଳ ଆରୋହଣ ପ୍ରଣାଳୀ, ୟୁଭି ଓ ଓଜୋନ୍ ଫିଲ୍ଟ୍ରେସନ୍ ପ୍ରକ୍ରିୟା, ପରୀକ୍ଷାଗାର କଲ୍ଚର ପ୍ରଣାଳୀ ଓ ଚିକିତ୍ସା ପ୍ରୋଟୋକଲ୍ ସମ୍ପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ସିଏଏର ପ୍ରତିନିଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ନୀତିନିୟମ ଅନୁସରଣ, ଜଳବାୟୁ ଓ ପରିବେଶ ସୁରକ୍ଷା ବ୍ୟବସ୍ଥା ଓ ଗୁଣବତ୍ତା ନିଶ୍ଚିତକରଣ ମାନଦଣ୍ଡ ଆଦି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ଏହାପରେ ସେମାନେ ସିଏଏ ଓ ଏମପିଇଡିଏ ପଞ୍ଜିକୃତ ଉତ୍ପାଦକ ପ୍ରିୟତୋଷ ପ୍ରଧାନଙ୍କ ଦୁଇ ହେକ୍ଟର ଜମିରେ ପରିବ୍ୟାପ୍ତ ବ୍ରାକିଶ୍ ଜଳ ଚିଙ୍ଗୁଡ଼ି ଚାଷ କେନ୍ଦ୍ରର ପରିଦର୍ଶନ କରିଥିଲେ । ସେମାନେ ଯାଆଁଳ କ୍ରୟ, ଇନପୁଟ୍ ସବ୍ସିଡି ଓ ପଞ୍ଜିକରଣ ସମ୍ବନ୍ଧୀୟ ଦସ୍ତାବିଜ ଅନୁଧ୍ୟାନ କରିବା ସହିତ ସ୍ୟାମ୍ପଲିଙ୍ଗ୍,ରପ୍ତାନି ପ୍ରକ୍ରିୟା ଓ ଟ୍ରେସେବିଲିଟି ପ୍ରଣାଳୀ ସମ୍ପର୍କରେ ଚାଷୀ ଓ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ଅବଗତ ହୋଇଥିଲେ ।
ଯୁଏସଏଫଡିଏ ପ୍ରତିନିଧିମଣ୍ଡଳୀ ଉପଖଣ୍ଡସ୍ତରୀୟ କମିଟିର ସଦସ୍ୟମାନଙ୍କ ସହ ଅନୁଷ୍ଠିତ ବୈଠକରେ ବ୍ରାକିଶ୍ ଜଳ ଚାଷର ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରିବା ସହିତ କୋଷ୍ଟାଲ୍ ଆକ୍ୱାକଲଚର ଅଥରିଟିଙ୍କୁ ସୁପାରିଶ କରିବାରେ ଏସଡିଏଲସିର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

ନୀତିନିୟମର ଅନୁପାଳନ,ପାରଦର୍ଶିତା ଓ ବ୍ୟବସ୍ଥାଗତ ପ୍ରଗତି ନେଇ ପ୍ରତିନିଧିମଣ୍ଡଳୀ ସନ୍ତୋଷ ବ୍ୟକ୍ତ କରିବା ସହିତ ଗଞ୍ଜାମ ଜିଲ୍ଲାରେ ବ୍ରାକିଶ୍ ଜଳ ଚାଷରେ ହୋଇଥିବା ସମୟୋଚିତ ଉନ୍ନତିର ଉଚ୍ଚପ୍ରଶଂସା କରିଥିଲେ । ଭାରତ ସରକାରଙ୍କ ପାଖରେ ଯୁଏସଏଫଡିଏଙ୍କ ସକାରାତ୍ମକ ରିପୋର୍ଟ ଗଂଜାମର ବ୍ୟବସାୟ ଓ ରପ୍ତାନି ସୁଯୋଗ ବୃଦ୍ଧି କରିବା ସହିତ ଜିଲ୍ଲାର ଜଳଚାଷ ଆହୁରି ସୁଦୃଢ଼ କରିବ ବୋଲି ସ୍ଥାନୀୟ ଅଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି ।

ଏହି ପରିଦର୍ଶନ ସମୟରେ ଲିଲିଆନ୍ ହ୍ସୁ, ଜାକେରି ମିଲର୍, ଆନ୍ଥୋନି ରିଜ୍କଲା, କାରେନ୍ ସ୍ୱାଜନ୍, ପଙ୍କଜା ପଣ୍ଡା, ଡା. ଶଙ୍କର ରାଓ, ଏ. ରମେଶ ଓ ଏ. ଆନନ୍ଦ ରାଜାଙ୍କ ସମେତ ଡିଏଫଓ, ଗଞ୍ଜାମ ଭରତ ଭୂଷଣ ସାହୁ,ଛତ୍ରପୁର ଉପଜ଼ିଲ୍ଲାପାଳ ଶିବାଶିଷ ବରାଳ, ଗଞ୍ଜାମ ତହସିଲଦାର ସୁକାନ୍ତ କୁମାର ମିଶ୍ର,ଏସିଏଫ, ବ୍ରହ୍ମପୁର, ଜ଼ିଲ୍ଲା କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.