ଜିଲ୍ଲାରେ ଏଲପିଜି ସିଲିଣ୍ଡର ଯୋଗାଣ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ।

0 194

ଯାଜପୁର,୧୬/୦୩(ପିପିଟି): ଜିଲ୍ଲାରେ ଏଲପିଜି ଗ୍ୟାସ ବିତରଣରେ ଥିବା ସମସ୍ୟା ଏବଂ ଏଲପିଜି ସିଲିଣ୍ଡର ସ୍ଥିତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଅମ୍ବର କୁମାର କର। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଯାଜପୁର ଜିଲ୍ଲାରେ ପ୍ରାୟ ୩ ଲକ୍ଷ ୭୭ ହଜାରରୁ ଅଧିକ ଉପଭୋକ୍ତା ଅଛନ୍ତି। ଏଲପିଜି ସିଲିଣ୍ଡର ବିତରଣ ଯେଭଳି ସୁରୁଖୁରୁରେ ହୋଇପାରିବ, ସେ ନେଇ ଜିଲ୍ଲାପାଳ ଶ୍ରୀ କର ବିଭାଗୀୟ ଅଧିକାରୀ ଏବଂ ଗ୍ୟାସ ବିତରକମାନଙ୍କ ସହ ଆଲୋଚନା କରିଥିଲେ। ନିକଟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ତୈଳ ଓ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ଏବଂ ଏଲପିଜି ଗ୍ୟାସ ଅଭାବ ନେଇ ସାମାଜିକ ଗଣମାଧ୍ୟମରେ ପ୍ରସାର ହେବା ପରେ, ଲୋକେ ଭୟଭୀତ ହୋଇ ଆଗୁଆ ଗ୍ୟାସ ସିଲିଣ୍ଡର ବୁକିଙ୍ଗ କଲେ। ଏତେ ସଂଖ୍ୟକ ବୁକିଙ୍ଗ ଯୋଗୁଁ ସିଷ୍ଟମ ସର୍ଭର ଉପରେ ଚାପ ପଡ଼ିବା, ଇ କେୱାଇସି ଏବଂ ଓଟିପି ଡେଲିଭରୀ ବ୍ୟବସ୍ଥା ପାଇଁ ସମସ୍ୟା ଉପୁଜିଥିଲା ବୋଲି ଗ୍ୟାସ ବିତରକ ସଂସ୍ଥାମାନେ ଜଣାଇଥିଲେ। ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି ବୋଲି ସେମାନେ କହିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଅତିରିକ୍ତ ଯୋଗାଣ ଅଧିକାରୀ, ଏମଆଇ, ଓଏଲ୍ କମ୍ପାନୀର ସେଲ୍ସ ଅଫିସର,ଗ୍ୟାସ ରିଟେଲର୍ ଏବଂ ବିତରକମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.