ଯାଜପୁର,୦୬/୦୯(ପିପିଟି): ଆଜି ସକାଳେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଅତର୍କିତ ଭାବରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସେ ମେଡିକାଲ ସ୍ଥିତ ବହିର୍ବିଭାଗକୁ ସର୍ବ ପ୍ରଥମେ ଯାଇ ମେଡିକାଲରେ ରୋଗୀ ମାନେ ନିଜ ଚିକିତ୍ସା ପାଇଁ ଏଣେ ତେଣେ ବୁଲିବା ଦେଖି ବିରକ୍ତି ଭାବ ପ୍ରକାଶ କରିଥିଲେ। ମେଡିକାଲ ପରିଚାଳକଙ୍କୁ ଏହା ସବୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ରୋଗୀ ମାନେ କିପରି ସୁବିଧା ରେ ଧାଡି ବାନ୍ଧି ଆସି ନିଜ ଡାକ୍ତରଙ୍କ ପରାମର୍ଶ ନେଇ ଯିବେ ତାହା କହିଥିଲେ । ପରେ ଶ୍ରୀ କର ସେଠାରେ ଉପସ୍ଥିତ ଥିବା କିଛି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଅଡିଓଲୋଜି ବିଭାଗରେ କିଛି ଯନ୍ତ୍ରାଂଶର ଅଭାବ ଏବଂ ଏ.ସି ର ଅଭାବ ବିଷୟରେ ସେଠାରେ ଉପସ୍ଥିତ ଡାକ୍ତର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଏହାର କିପରି ସମାଧାନ ହୋଇପାରିବ ସେଥିପାଇଁ ଜିଲ୍ଲାପାଳ ମେଡିକାଲ ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତତ୍ପରେ ଜିଲ୍ଲାପାଳ ମେଡିକାଲରେ ଉପସ୍ଥିତ ଥିବା କିଛି ରୋଗୀ ଏବଂ ସେମାନଙ୍କ ସାଙ୍ଗରେ ଆସିଥିବା ଆଟେଣ୍ଡାଣ୍ଟ ମାନଙ୍କର ଭଲ ମନ୍ଦ ଅବସ୍ଥା ପଚାରି ବୁଝିଥିଲେ ଏବଂ ମାଗଣା ଔଷଧ,ଖାଦ୍ୟ ଆଦି ମିଳୁଛି କି ନାହିଁ ପଚାରି ବୁଝିଥିଲେ । ଜିଲ୍ଲାପାଳ ମେଡିକାଲ ର ମୁଖ୍ୟ ପ୍ରବେଶ ଦ୍ୱାରକୁ ଯାଇଥିଲେ ଏବଂ ମୁଖ୍ୟ ପ୍ରବେଶ ଫାଟକ ରେ ଅତିମାତ୍ରା ରେ ଗାଡି,ଅଟୋ,ଆଦି ରହୁଥିବାରୁ ମେଡିକାଲର ପ୍ରବେଶ ପଥ ଟି ସଂକୀର୍ଣ୍ଣ ହୋଇଯାଉଥିବାରୁ ସେଠୁ ସମସ୍ତ ପରିବହନ ଯାନକୁ ଉଠେଇବା ପାଈଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତତ୍ପରେ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟ ରେ ଏକ ସମୀକ୍ଷା ବୈଠକ କରିଥିଲେ ଏବଂ ସବୁଦିନ କିପରି ମେଡିକାଲର ବର୍ଜ୍ୟ ବସ୍ତୁ ଗୁଡିକୁ କିପରି ମେଡିକାଲ ଭିତରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ସେଥି ପାଇଁ ଯାଜପୁର ମୁନିସିପାଲଟି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ମେଡ଼ିକାଲରେ କାର୍ଯ୍ୟରତ ଥିବା ଆଉଟଷୋର୍ସିଂ ଏଜେନ୍ସି ଏବଂ ମୁନିସିପାଲିଟିରେ ନିୟୋଜିତ ହୋଇଥବା ଆଉଟଷୋର୍ସିଂ ଏଜେନ୍ସିକୁ ଏଥିପାଇଁ ୫ ଦିନ ସମୟ ଦେଇଥିଲେ ଏବଂ ଯଦି ୫ ଦିନ ମଧ୍ୟ ରେ ସଠିକ ରୂପରେ ବର୍ଜ୍ୟବସ୍ତୁର ପରିଚାଳନା ନ ହୁଏ ତାହାଲେ ଏଜେନ୍ସି ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ ନିର୍ଦେଶ ଦେଇଥିଲେ ଓ କାରଣ ଦର୍ଶାଅ ନୋଟିସ ର ଉତ୍ତର ଯଦି ଯୁକ୍ତି ସଂଗତ ନହୁଏ ତାହାଲେ ଏଜେନ୍ସି ମାନଙ୍କ ଉପରେ ତତ୍କ୍ଷଣାତ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମିକ୍ଷା ବୈଠକରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ,ତହସିଲଦାର,ସବ କଲେକ୍ଟର, ଲ୍ୟାଣ୍ଡ ଆକୁଇଜିସନ ଅଫିସର,ଯାଜପୁର ମୁନିସିପାଲଟିର କର୍ମକର୍ତ୍ତା,ହସ୍ପିଟାଲ ମ୍ୟାନେଜେର ଓ ଡି.ପି.ଏମ ଉପସ୍ଥିତ ଥିଲେ ।