ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।

0 281

ଛତ୍ରପୁର,୦୮/୦୧(ପିପିଟି): ଓଡିଶା ସରକାରଙ୍କ ବାଣିଜ୍ଯ ଓ ପରିବହନ, ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଚଳିତ ଜାନୁଆରୀ ମାସ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ଠାରେ ଆୟୋଜିତ ହେବାକୁ ଥିବା ପ୍ରସିଦ୍ଧ ବେଳାଭୂମି ମହୋତ୍ସବକୁ ସରସସୁନ୍ଦର ଭାବରେ ଆୟୋଜିତ କରିବା ପାଇଁ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗଞ୍ଜାମ କଳା,ସାହିତ୍ଯ,ସଂସ୍କୃତି ଓ ପରମ୍ପରାର ଏକ ସମୃଦ୍ଧ ଜିଲ୍ଲା । ତେଣୁ ଏହି ମହୋତ୍ସବରେ ସ୍ଥାନୀୟ ପ୍ରତିଭା ମାନଙ୍କୁ ସବୁ କ୍ଷେତ୍ରରେ ପ୍ରାଧାନ୍ଯ ଦିଆଯିବ । ସ୍ଥାନୀୟ କଳାକାର ଓ ସାଂସ୍କୃତିକ ଦଳର ଚୟନ ପାଇଁ ଅଳ୍ପ ଦିନ ମଧ୍ଯରେ ଅଡିସନ୍ କରାଯିବ । ଅଡିସନ୍ ରେ ଯେଉଁମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ ସେମାନଙ୍କୁ ଏହି ମହୋତ୍ସବରେ ତାଙ୍କର ପ୍ରତିଥର ପ୍ରଦର୍ଶନ ପାଇଁ ସୁଯୋଗ ମିଳିବ । କବାଡି,କରାଟେ, ଭଲିବଲ୍ ,ଗୁଡିଉଡା ପ୍ରତିଯୋଗିତା ସହିତ ନୌଚାଳନା ଓ ଅନ୍ୟାନ୍ଯ ଲୋକାଦୃତ ପ୍ରତିଯୋଗିତା ଆୟୋଜନ ପାଇଁ ପରିକଳ୍ପନା କରାଯାଉଛି ।

ମହୋତ୍ସବରେ ପଲ୍ଲିଶ୍ରୀ ମେଳା, ଖାଦ୍ଯମେଳା,ବାଲୁକାକଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ କୀର୍ତ୍ତି ଓ୍ବାସନ୍ ସୂଚନା ଦେଇଛନ୍ତି । ଯିଏ ଏହି ମହୋତ୍ସବକୁ ପ୍ରଥମ ଥର ପାଇଁ ଆସିବ ସେ ଯେମିତି ପ୍ରତିବର୍ଷ ଏହି ମହୋତ୍ସବକୁ ଆସିବାକୁ ଇଚ୍ଛା ପ୍ରକାଶ କରିବ ତାହା ଆମର ଆଭିମୁଖ୍ଯ ହେବା ଉଚିତ୍ ବୋଲି ଜିଲ୍ଲାପାଳ କହିଛନ୍ତି ।

ମହୋତ୍ସବକୁ ତ୍ରୁଟିଶୂନ୍ୟ ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ଯ ସାରିବା ପାଇଁ କ୍ରୀଡା,ବାଲୁକାକଳା, ଆଇନ୍ ଶୃଙ୍ଖଳା,ବଜେଟ,ସ୍ମରଣିକା, ଟ୍ରାଫିକ ଓ ପାର୍କିଂ,ସ୍ବାସ୍ଥ୍ଯ, ଖାଦ୍ଯ ଓ ପରିମଳ, ପରିବହନ ଆଦି ବିଭିନ୍ନ କମିଟି ଗଠନ କରାଯାଇଛି ।

ବରିଷ୍ଠ ଅଧିକାରୀ ମାନେ ଏହି କମିଟି ଗୁଡିକର ନେତୃତ୍ବ ନେବେ । କମିଟି ଗୁଡିକ ଦୁଇ ତିନି ଦିନ ମଧ୍ଯରେ ତାଙ୍କ ଉପରେ ନ୍ୟସ୍ତ ଦାୟିତ୍ବକୁ କିପରି ତୃଟିଶୂନ୍ୟ ଭାବରେ କରିବେ ତାହାର ସବିଶେଷ ରୂପରେଖ ପ୍ରସ୍ତୁତ କରିବା ସହିତ ଆବଶ୍ୟକୀୟ ଅର୍ଥ ସମ୍ବନ୍ଧରେ ବଜେଟ କମିଟିକୁ ଜଣାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ମହୋତ୍ସବର ସ୍ମରଣିକା “ଶାମୁକା”ରେ ଜିଲ୍ଲାର କଳା,ସାହିତ୍ଯ,ସଂସ୍କୃତି, ପରଂପରା, ଇତିହାସ ସମ୍ପର୍କିତ ଆଲେଖ୍ୟ ପ୍ରକାଶ ପାଇବ । ସାହିତ୍ୟିକ ଓ ଲେଖକ ମାନଙ୍କୁ ନୂତନ ଗବେଷଣା ଧର୍ମୀ ଆଲେଖ୍ୟ ଏକ ସପ୍ତାହ ମଧ୍ଯରେ ଜିଲ୍ଲାପାଳ କିମ୍ବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟକୁ ପ୍ରେରଣ କରିବା ପାଇଁ ଅନୁରୋଧ କରାଯାଇଛି ।

ମହୋତ୍ସବରେ ଓରମାସ୍ ପକ୍ଷରୁ କପଡା ଓ କାଗଜ ବ୍ୟାଗ୍ ଉପଲବ୍ଧ ହେବ । ତଣୁ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ଯବହାରରୁ ବିରତ ରହିବାପାଇଁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ବୈଠକରେ ବିଗତ ବର୍ଷମାନଙ୍କରେ ଦେଖାଯାଇଥିବା ସମସ୍ୟା ଏ ବର୍ଷ ଯେପରି ପୁନରାବୃତ୍ତି ନହେବ ସେ ସମ୍ପର୍କରେ ବିଶଦ୍ ଆଲୋଚନା ହୋଇଥିଲା ।

ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ଦେବଦତ୍ତ ପଣ୍ଡା, ସୁନୀଲ କୁମାର କେର୍କେଟା, ଉପଜିଲ୍ଲାପାଳ ବ୍ରହ୍ମପୁର ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ,ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ,ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.