ଟିଟିଲାଗଡ,୨୩/୦୫: ଟିଟିଲାଗଡ଼ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୯ର ବାଇପାସ ରାସ୍ତା ନିର୍ମାଣ ନେଇ ଗ୍ରାମାଞ୍ଚଳର ଚାଷୀଙ୍କ ଜମି ଅଧିଗ୍ରହଣ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଚାଷୀଙ୍କ ଭାତ ହାଣ୍ଡି ଉର୍ବର ଚାଷ ଜମିକୁ ଶାଗ ମାଛ ଦରରେ ନେଇ ଆମକୁ ସର୍ବହରା କରାଯାଉଛି ବୋଲି ଚାଷୀ ଅଭିଯୋଗ କରି ଆସୁଛନ୍ତି । ପୁର୍ବରୁ ପୋଲିସ ଲଗାଇ ଜମି ଅଧିଗ୍ରହଣ ପାଇଁ ଜାତୀୟ ରାଜପଥ ବିଭାଗ ଉଦ୍ୟମ ଫସର ପାଲଟିଥିଲା । ଆଜି ପୁଣି ୪ ପ୍ଲାଟୁନ ପୋଲିସ ସହ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ସନ୍ଦୀପ ଚନ୍ଦ୍ରକାର, ଟିଟିଲାଗଡ଼ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ ତଥା ଜାତୀୟ ବିଭାଗ ଯନ୍ତ୍ରୀ, ଠିକାଦାର ବଳପୂର୍ବକ ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି । ଚାଷୀ ପରିବାରର ମହିଲା, ଶିଶୁ ରାସ୍ତା ନିର୍ମାଣରେ ନିୟୋଜିତ ଜେସିବି ମେସିନ ସମ୍ମୁଖରେ ଶୋଇ ପଡ଼ିଥିଲେ । ଏନେଇ କାମ ବନ୍ଦ ହୋଇଯାଇଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।