ଭଞ୍ଜନଗର,୨୫/୦୧(ପିପିଟି): ଉପଖଣ୍ଡସ୍ତରୀୟ ୧୫ ତମ ଜାତୀୟ ମତଦାତା ଦିବସ ଶନିବାର ସ୍ଥାନୀୟ ଆର.ଏମ.ସି.ମାର୍କେଟ ପ୍ରାଙ୍ଗଣ ଠାରେ ପାଳିତ ହୋଇଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ଗଠନରେ ଭୋଟର(ମତଦାତା) ମାନଙ୍କ କର୍ତ୍ତବ୍ୟ ଓ ଭୁମିକା ବାବଦରେ ବକ୍ତବ୍ୟ ରଖିଥିଲେ।ଦେଶର ଗଣତାନ୍ତ୍ରିକ ପରମ୍ପରା ର ମର୍ଯ୍ୟାଦା ବଜାୟ ରଖିବା ତଥା ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମା କୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ,ବର୍ଣ୍ଣ,ଗୋଷ୍ଠୀ ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସମସ୍ତେ ସଂକଳ୍ପ ନେଇଥଲେ । ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା,ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁର୍ଣଚନ୍ଦ୍ର ପାଢ଼ୀ,ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମିତ ରଞ୍ଜନ ହୋତା,ଆସ୍କା ତହସିଲଦାର ସଂଗୀତା ସେନ,ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ କଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ଆଜିର ମତ ଦାତା ଦିବସ ଉପଲକ୍ଷେ ଏକ ଶୋଭାଯାତ୍ରା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ଆର.ଏମ.ସି. ମାର୍କେଟ ସଭା ସ୍ଥଳରେ ପହଁଚିଥିଲା,ଏହି ଅବସରରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ୧୨ ଜଣ ଶ୍ରେଷ୍ଠ ବିଏଲଓ ଓ ସୁପରଭାଇଜଙ୍କୁ ପୁରସ୍କୃତ କରାଯାଇଥିଲା।କଲେଜ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା,ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସମେତ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ନିର୍ବାଚନ ବିଭାଗର ବରିଷ୍ଠ କର୍ମଚାରୀ ମୁକ୍ତିକାନ୍ତ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ- ଜେ କେ ପଟ୍ଟନାୟକ