ମାଲକାନଗିରି, ୨୫/୦୧ (ପିପିଟି):ଆଜି ମାଲକାନଗିରି ଜିଲ୍ଲାରେ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି । ଏହି ଅବସରରେ ଏକ ମତଦାତା ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସଂସ୍କୃତି ଭବନ ଠାରେ ସମପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଦର ମହକୁମାର ଆଠ ଗୋଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସମେତ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ତ୍ରିନାଥ ମାଝି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ୱାକାଥନରେ ଯୋଗ ଦେଇଥିଲେ । ଶୋଭାଯାତ୍ରା ଆରମ୍ଭରେ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପତାକା ଦେଖାଇ ଶୋଭା ଯାତ୍ରାଟିକୁ ଆରମ୍ଭ କରିଥିଲେ । ସଂସ୍କୃତି ଭବନରେ ପହଞ୍ଚିବା ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀପ୍ରଧାନ ଜାତୀୟ ମତଦାତା ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଆଗାମି ଦିନରେ ସମସ୍ତ ଭୋଟ ଦାତା ଭୋଟ ଦାନ କରି ନିଜର ଅଧିକାର ସାବ୍ୟସ୍ତ କରିବା ସହିତ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶାଲ ସିଂ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ମାଲକାନଗିରି ସଭାରେ ଉପସ୍ଥିତ ରହି ୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ, ସର୍ବଶ୍ରେଷ୍ଠ ପାଠାଗାର କ୍ଲବ , ସର୍ବଶ୍ରେଷ୍ଠ କ୍ୟାମ୍ପସ ଆମ୍ବାସଡ଼ାର
୧୪ ତମ ଜାତୀୟ ମତଦାତା ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏଥି ସହିତ ନୂତନ ଯୁବ ଭୋଟରମାନଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହାକାରୀ ଜିଲ୍ଲାପାଳ (ନିର୍ବାଚନ) ଅଶୋକ ଚକ୍ରବର୍ତ୍ତୀ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହାକାରୀ ଜିଲ୍ଲାପାଳ (ନିର୍ବାଚନ) ଅଜୟ କୁମାର ମାଣ୍ଡାଙ୍ଗି କାର୍ଯ୍ୟାକ୍ରମକୁ ତଦାରଖ କରିବା ସହିତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ସହ ସଂପୃକ୍ତ ସମସ୍ତ କର୍ମଚାରୀ କାର୍ଯ୍ୟାକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)