ଜାତୀୟ ପୁରସ୍କାର ପାଇବ ଗଞ୍ଜାମ ଜିଲ୍ଲାର ପୋଟଲାମପୁର ଓ ମନ୍ଦାର ଗ୍ରାମପଞ୍ଚାୟତ ।

0 44

ଛତ୍ରପୁର,୩୧/୦୩(ପିପିଟି): ଗଞ୍ଜାମ ଜିଲ୍ଲାର ୨ଟି ପଞ୍ଚାୟତକୁ ଜାତୀୟ ପୁରସ୍କାର ମିଳିବାକୁ ଯାଉଛି। ଛତ୍ରପୁର, ପୋଲସରା ବ୍ଲକ୍‌ ଏହି ଗୌରବ ଆଣିଛନ୍ତି। ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଯୋଜନାରେ ୨ଟି ଛତ୍ରପୁର ବ୍ଲକର ପୋଟାଲାମପୁର ଓ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତ କୃତିତ୍ବ ଲାଭ କରିଛନ୍ତି। ସେହିପରି ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାରରେ ଗଞ୍ଜାମ ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ଗୌରବ ଅର୍ଜନ କରିଛି। ଏନେଇ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟର ଆର୍ଥିକ ପରାମର୍ଶଦାତା ବିଜୟ କୁମାର ବେହେରା ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ସମଗ୍ର ରାଜ୍ୟର ୫ଟି ପଞ୍ଚାୟତ ଏଥିରେ ପୁରସ୍କୃତ ହେବେ। ସେଥିରୁ ୨ଟି ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି। ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଯୋଜନାରେ ଛତ୍ରପୁର ବ୍ଲକ୍‌ର ପୋଟଲାମ୍‌ପୁର ଦେଶର ସୁସ୍ଥ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି। ଏଥିଲାଗି ୯ଟି ପାରାମିଟରକୁ ନେଇ ସର୍ଭେ କରାଯାଇଥିଲା। ସେଥିରେ ପୋଟଲାମପୁର ଦ୍ଵିତୀୟ ସ୍ଥାନ ଅଧିକାର କରିଛି। ସେହିପରି ୫୩ଟି ପାରାମିଟରକୁ ନେଇ ହୋଇଥିବା ସର୍ଭେରେ ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ବର୍ଗରେ ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ତୃତୀୟ ସ୍ଥାନ ଅଧିକାର କରିଛି। ସେହିପରି ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ପୁରସ୍କୃତ କରାଯିବ।

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ଏହି ସଫଳତା ଲାଗି ଗଞ୍ଜାମବାସୀ, ଦୁଇ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ପୁରସ୍କାର ଆଗାମୀ ଦିନରେ କାର୍ଯ୍ୟ କ୍ଷେତ୍ରରେ ଅଧିକ ଉତ୍ସାହିତ କରିବ ଓ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.