ବ୍ରହ୍ମପୁର,୦୬/୧୨(ପିପିଟି): ଭାରତର ମହାନ୍ ସମାଜ ସଂସ୍କାରକ ତଥା ସମ୍ବିଧାନର ପ୍ରଣେତା ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ପକ୍ଷରୁ ଆଜି ସ୍ଥାନୀୟ ଗେଟ୍ ବଜାର ସ୍ଥିତ ଏନଜିଓ ହଲ ଠାରେ ଜାତିମୁକ୍ତି ସମାବେଶର ଆୟୋଜିତ ହୋଇଯାଇଛି । ସମାବେଶର ଆରମ୍ଭରେ ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଦଳିତ ମହାସଭାର ଆବାହକ ସଂଗ୍ରାମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ଅନେକ ଦଳିତ ନେତା ଓ ବୁଦ୍ଧିଜୀବି ଯୋଗଦେଇ ଅମାନବୀୟ ଜାତି ବ୍ୟବସ୍ଥା ବିରୁଦ୍ଧରେ ସଂଗ୍ରାମ କରି ଏକ ଜାତିମୁକ୍ତ ସମାଜ ଗଠନ କରିବାକୁ ଆହ୍ବାନ ଦେଇଥିଲି । ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ଜାତି ନିର୍ଯାତନାର ଶିକାର ଶତାଧିକ ଦଳିତ ବ୍ୟକ୍ତି ଜାତି ନେଇ ନିଜ ନିଜର ଅନୁଭୂତିକୁ ବର୍ଣ୍ଣନା କରିଥିଲେ ।
ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଗତିଶୀଳ ବୁଦ୍ଧିଜୀବି ପ୍ରଫେସର ବିଜୟ ବହିଦାର ଜାତି ବ୍ୟବସ୍ଥାର ସମାପ୍ତି ପାଇଁ ଜାତି ବିରୁଦ୍ଧରେ ବୌଦ୍ଧିକ ଲଢେଇ ସହିତ ଜାତିଗତ ଶୋଷଣର ଶିକାର ଲୋକଙ୍କ ଅର୍ଥନୈତିକ ସମାନତାର ଲଢେଇକୁ ଯୋଡିବାକୁ ପଡିବ ବୋଲି କହିଥିଲେ । ଜାତି ବିରୁଦ୍ଧରେ ଲଢେଇକୁ ପୁଞ୍ଜିବାଦ, ପୁରୁଷବାଦ ଓ ସାମ୍ପ୍ରଦାୟିକତାବାଦ ବିରୁଦ୍ଧରେ ଲଢେଇକୁ ଏକାଠି କଲେ ଯାଇ ହିଁ ଜାତିବାଦର ସମାପ୍ତି କରାଯାଇପାରିବ ବୋଲି କହିଥିଲେ । ଜାତିବାଦର ସମାପ୍ତି ପାଇଁ ବହୁ ଜାତିରେ ବିଭକ୍ତ ଦଳିତମାନେ ରାଜନୈତିକ ଭାବେ ନିଜ ନିଜ ମଧ୍ୟରେ ଏକାଠି ହେବା ସହ ସାମାଜିକ ସମ୍ପର୍କ ବିଶେଷ କରି ବୈବାହିକ ସମ୍ପର୍କ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ କରିବାକୁ ହେବ । ସାମାଜିକ ସ୍ତରରେ ବ୍ରାହ୍ମଣବାଦୀ ରୀତିନୀତିକୁ ପରିତ୍ୟାଗ କରିବା ବିନା ଜାତିବାଦକୁ ସମାପ୍ତ କରାଯାଇ ନପାରେ ବୋଲି ସେ କହିଥିଲେ । ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଅଧ୍ୟାପିକା ରଞ୍ଜିତା ବେହେରା ଜାତି ନେଇ ନିଜର ବ୍ୟକ୍ତିଗତ ଅନୁଭୂତିକୁ ବର୍ଣ୍ଣନା କରିବା ସହ ଜାତି ପରି ଏକ ଅମାନବୀୟ ବ୍ୟବସ୍ଥାର ସମାପ୍ତି ପାଇଁ ସମସ୍ତେ ନିଜର ବ୍ୟକ୍ତିଗତ ଜୀବନରେ ଓ ସାମାଜିକ ଜୀବନରେ ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ । ପ୍ରଗତିଶୀଳ ଲେଖିକା ଡଃ ବିଧୂପ୍ରଭା ରଥ ନିଜର ବକ୍ତବ୍ୟରେ ନିଜ ନିଜ ଜୀବନରେ ଜାତିକୁ ମାନ୍ୟତା ଦେଉଥିବା ସମସ୍ତ କାର୍ଯ୍ୟକୁ ବର୍ଜନ କରିବାକୁ ତଥା ଜାତିଗତ ବିଦ୍ୱେଷକୁ ଯଥାର୍ଥ କହୁଥିବା ସମସ୍ତ ବ୍ରାହ୍ମଣବାଦୀ ରୀତିନୀତି ବିରୁଦ୍ଧରେ ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ,ପ୍ରଦୀପ କୁମାର ସେଠୀ, ସନ୍ତୋଷ ନାୟକ,ରୀତା ଦାସ, ଗଣପତି ନାୟକ, ଧବଳେଶ୍ଵର ନାହାକ, ଦଳିତ ନେତ୍ରୀ ନୀଳାଦ୍ରି ପ୍ରଧାନ,ରୋହିତ ନାୟକ,ସମାଜସେବୀ ସୁବାଷ ରାଉତ, ଲକ୍ଷ୍ମୀ ନୃସିଂହ ରଥ, ଜିଲ୍ଲା ସଫେଇ କର୍ମଚାରୀ ସଂଘର ସଭାପତି ଉତ୍ତମ ନାୟକ ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ ।