ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଦଶହରାରେ ଶକ୍ତି ପୀଠରେ ପୂଜା ପାଇଥାନ୍ତି ମା’ଉଗ୍ରତାରା।

0 212

ଖୋର୍ଦ୍ଧା:୨୬/୦୯ (ପିପିଟି): ଆମ ଓଡିଶା ସଂସ୍କୃତିରେ ଶକ୍ତି ଉପାସନା ଅତି ପ୍ରାଚୀନ ଏବଂ ଓଡିଶା ତନ୍ତ୍ର ପୀଠରେ ପରିପୂର୍ଣ୍ଣ । କେଉଁଠି ଦୁଇଭୁଜା ତ କେଉଁଠି ଚତୁର୍ଭୁଜା, କେଉଁଠି ଷଡର୍ଭୁଜା, ଅଷ୍ଟର୍ଭୁଜା ଓ ଦଶର୍ଭୁଜା ରେ ପୂଜା ପାଉଛନ୍ତି ଶକ୍ତି ମୟି ମା। ଓଡ଼ିଶା ରେ ଥିବା ୫୧ଟି ଶକ୍ତି ପୀଠ ମଧ୍ୟରୁ ମା ଉଗ୍ରତାରା ଶକ୍ତି ପୀଠ ହେଉଛି ଅନ୍ୟତମ। ପ୍ରସିଦ୍ଧ ତନ୍ତ୍ର ପୀଠ ଉଗ୍ରତାରା ପୀଠର ଅନେକ ଐତିହାସିକ ତଥ୍ୟ ଥିବା ଗବେଷକ କହିଛନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଦଶମହାବିଦ୍ୟା ମଧ୍ୟରୁ ଉଗ୍ରତାରା ହେଉଛନ୍ତି ଦ୍ୱିତୀୟ ମହାବିଦ୍ୟା।ଉଗ୍ରତାରାଙ୍କ ପ୍ରତିଷ୍ଠା ଓ ପୂଜା ମହାଜନ ପନ୍ଥୀ ବୌଦ୍ଧ ମାନଙ୍କ ଦ୍ଵାରା ପ୍ରଚଳିତ ହୋଇଥିଲା। ଆକ୍ଷାଭ ନାମକ ମହର୍ଷି ତାରା ମନ୍ତ୍ର ଉପରେ ଉଗ୍ରତାରା ପ୍ରତିମା ସ୍ଥାପନ ପୂର୍ବକ ତନ୍ତ୍ର ଅନୁଯାୟୀ ପୂଜା କରୁଥିଲେ। ଯାହାକି ପ୍ରସିଦ୍ଧ ତନ୍ତ୍ର ପୀଠ ଭାବରେ ପରିଚିତ।

ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ମୁଲିଝର ଗଡରେ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶ ଭିତରେ ଅବସ୍ଥିତ ମା’ଉଗ୍ରତାରାଙ୍କ ଶକ୍ତିପୀଠ। ମା’ ଉଗ୍ରତାରା ହେଉଛନ୍ତି ଚତୁର୍ଭୁଜା।
ତତ୍କାଳୀନ ଗଜପତି କପିଳେନ୍ଦ୍ର ଦେବ ପ୍ରତିଷ୍ଠା କରିଥିବା ଦୁର୍ଗ ମାନଙ୍କ ମଧ୍ୟରୁ ଏହି ମୁଲିଝର ଗଡ଼ ଅନ୍ୟତମ ଅଟେ। ଏହି ପୀଠରେ ଅଶ୍ୱିନ ମାସରେ ଶୁକ୍ଲପକ୍ଷରେ ମୂଳାଷ୍ଟମୀ ଠାରୁ ସହସ୍ର କୁମ୍ଭ ବରଣ କରାଯାଇ ଷୋଳପୂଜା ଆରମ୍ଭ ହୋଇଥାଏ। ମୁଖ୍ୟତଃ ନବରାତ୍ର ପୂଜା ଷଷ୍ଠୀ ଠାରୁ ଆରମ୍ଭ ହୋଇ ଦଶହରା ରେ ସମାପ୍ତ ହୋଇଥାଏ।ଏହି ସମୟରେ ମାଙ୍କ ଅନେକ ବେଶ ମଧ୍ୟ ହୋଇଥାଏ । ସପ୍ତମୀରେ ମାତଙ୍ଗୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମା’ ଉଗ୍ରତାରା । ଏଠାରେ ମୁଖ୍ୟ ଭୋଗ ମାଛ ପୋଡାବଳୀ। ଏତଦ ବ୍ୟତୀତ ମହାସପ୍ତମୀ, ଅଷ୍ଟମୀ, ନବମୀ ରେ ଏଠାରେ ଗୁପ୍ତ ପୂଜା ହେଉଥିବା ସେବାୟତ କହିଛନ୍ତି । ମା’ଉଗ୍ରତାରା ଆଉ ଦୁଇଟି ନାମ ହେଉଛି ଏକଜଟ୍ଟା ଓ ନୀଳ ସରସ୍ୱତୀ। ମୋଟାମୋଟି କହିବାକୁ ଗଲେ ମା’ହେଉଛନ୍ତି ପାଇକ ମାନଙ୍କର ଇଷ୍ଟ ଦେବୀ। ଜାତି, ବର୍ଣ୍ଣ ,ଧର୍ମ ନିର୍ବିଶେଷରେ ପ୍ରତି ବର୍ଷ ଦଶହରା ଦିନ କୁସୁମିରାଉତ ଗଡ଼ର ମୁସଲିମ ମାନେ ଆସି ମାଙ୍କ ପାଖରେ ସମର କଳା ପଦର୍ଶନ କରିଥାନ୍ତି। କିମ୍ୱଦନ୍ତୀ ଭରା ଏହି ଉଗ୍ରତାରାଙ୍କ ପୀଠକୁ କେବଳ ଦୁର୍ଗାପୂଜାରେ ବରଂ ସାଧାରଣ ଦିନ ଗୁଡିକରେ ମଧ୍ୟ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥାଏ।ବିଶ୍ୱାସ କରାଯାଏ ମା’ଙ୍କ ପାଖରୁ ଖାଲି ହାତରେ କେହି ଫେରି ନାହାଁନ୍ତି। ମା’ସମସ୍ତ ଙ୍କର ମନସ୍କାମନା ପୂର୍ଣ୍ଣ କରିଥାନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.