ଛାତ୍ରଙ୍କ ମୃତ୍ୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ।

0 231

ମାଲକାନଗିରି,୨୦/୦୮(ପିପିଟି) :ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ଗ୍ରାମ ପଂଚାୟତ ଧରମପାଲ୍ଲୀ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟର ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରଙ୍କ ମୃତ ଦେହକୁ ରଖି ଘେରାଉ କରିବା ସହ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସୁଷମା ପଇବା ଉତ୍ତ୍ୟକ୍ତ ଲୋକଙ୍କୁ ଦେଖି ବିଦ୍ୟାଳୟର ଫାଟକରେ ତାଲା ପକାଇ ନିଜ ବିଦ୍ୟାଳୟରେ ଦୀର୍ଘ ଘଣ୍ଟା ଧରି ରହିଥିଲେ। ସୂଚନା ପାଇ ପଡିଆ ପୋଲିସ, ପଡିଆ ବ୍ଲକ ବିଡିଓ, ଜିଲ୍ଲା ମଙ୍ଗଳ ଅଧିକାରୀ, ମାଲକାନଗିରି ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିବା ସହ ଘଟଣା ସମ୍ବନ୍ଧରେ ପ୍ରାରମ୍ଭିକ ତଦନ୍ତ କରିଥିଲେ।
ପ୍ରାପ୍ତ ଅନୁଯାୟୀ ନନ୍ଦିଗୁଡା ଗ୍ରାମର ଇଙ୍ଗା ମାଡିଙ୍କ ୧୨ ବର୍ଷର ପୁଅ ସୁକା ମାଡି ଧରମପାଲ୍ଲୀ ଆଶ୍ରମ ଆବାସିକ ବିଦ୍ୟାଳୟରେ ରହି ୫ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ଗତ ୧ ତାରିଖ ଦିନ ତା ଦେହ ଅସୁସ୍ଥ ହେବା ସହ ଗୋଡ ଫୁଲି ଯିବାରୁ ଧରମପାଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଚିକିତ୍ସା କରା ଯାଇଥିଲା। ୩ ଦିନ ପରେ ପୁନର୍ବାର ଡାକ୍ତରଖାନାକୁ ଆଣିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ୩ ଦିନ ମଧ୍ୟରେ ଜ୍ୱର ଓ ଗୋଡ ଫୁଲା ଭଲ ହୋଇ ନଥିବା ବେଳେ ପିଲାଟିକୁ ଆଉ ଡାକ୍ତରଖାନାକୁ ନିଆ ଯାଇନଥିଲା। ଏ ଖବର ପାଇ ପିଲାର ବାପା ଇଙ୍ଗା ବିଦ୍ୟାଳୟକୁ ଆସି ପୁଅକୁ ଘରକୁ ନେଇ ଚିକିତ୍ସା କରିବେ ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିବେଦନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ କିନ୍ତୁ ସମ୍ପୃକ୍ତ ଛାତ୍ରକୁ ଛାଡି ନଥିଲେ। ବହୁବାର ଇଙ୍ଗା ଶିକ୍ଷୟିତ୍ରୀଙ୍କୁ ନିଜ ପୁଅକୁ ଘରକୁ ନେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଶିକ୍ଷୟିତ୍ରୀ ଛାଡି ନଥିବା ଇଙ୍ଗା ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଅନ୍ୟ ଛାତ୍ରମାନଙ୍କ କହିବାନୁଯାୟୀ ଛାତ୍ର ସୁକା ଦେହ ଅସୁସ୍ଥ ଏବଂ ଗୋଡ ବେଶି ଫୁଲି ଯିବାରୁ ସେ କ୍ଲାସ କରି ନପାରି ଖଟିଆରେ ଶୋଇ ରହୁଥିଲେ। ଗତକାଲି ଗୋଡ ଫୁଲା ଓ ଭୀଷଣ ଅସୁସ୍ଥ କାରଣରୁ ସୁକା ବିଦ୍ୟାଳୟରୁ ସକାଳ ୮ ଘଟିକା ସମୟରେ ବାହାରି ଯାଇ ୨ କିଲୋମିଟର ଦୂରରେ ଥିବା ନିଜ ଗ୍ରାମ ନନ୍ଦିଗୁଡା ପହଞ୍ଚିବାରେ ସନ୍ଧ୍ୟା ହୋଇ ଯାଇଥିଲା। କିନ୍ତୁ ସେ ଚାଲି ପାରୁ ନଥିବାରୁ ରାସ୍ତାରେ ବସି ବସି ଯାଉଥିବା ଅନେକ ଲୋକ ଦେଖିଥିଲେ। ସୋମବାର ସକାଳେ ଛାତ୍ର ସୁକାର ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁରେ ଗ୍ରାମବାସୀ ଓ ପରିବାର ବର୍ଗ ଉତ୍ତେଜିତ ହୋଇ ଏକ ଅଟୋରେ ଶବକୁ ଧରି ବିଦ୍ୟାଳୟ ଫାଟକ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରିଥିଲେ। ତେବେ ପୋଲିସ ଓ ବିଭାଗୀୟ ଅଧିକାରୀ ତହସିଲଦାର, ଜିଲ୍ଲା ମଙ୍ଗଳ ଅଧିକାରୀ ଲୋକଙ୍କୁ ବୁଝାମଣା କଲା ପରେ ଏହାର ଏକ ଆପୋଶ ସମାଧାନ ହୋଇଥିବା ଜଣାପଡିଛିା ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ମାଲକାନଗିରି ଚିକିତ୍ସାଳୟକୁ ପଠାଇଥିଲେ। ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରା ଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ଜିଲ୍ଲା ମଙ୍ଗଳ ଅଧିକାରୀ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତିା

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.