ବ୍ରହ୍ମପୁର,୩୧/୦୮(ପିପିଟି):ଶେଷରେ ଭିଜିଲାନ୍ସ ଜାଲରେ ପଡ଼ିଲେ ବିବାଦୀୟ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର। ଦୁଇ ବର୍ଷ ହେଲା ବିଇଓଙ୍କୁ ନେଇ ବିବାଦ ଲାଗି ରହିଥିଲା। ବେଆଇନ ଭାବେ ଓଡ଼ିଶାରେ ଚାକିରି କରୁଥିବା ୧୨ ଜଣ ଆନ୍ଧ୍ର ଶିକ୍ଷକଙ୍କୁ ସୁରକ୍ଷା ଦେବା ସହ ସରକାରୀ ଅର୍ଥ ହେରଫେର ଓ ବିନା ଅନୁମତିରେ ବିଏଡ୍ ପଢ଼ିଥିବା ଅଭିଯୋଗ କରିଥିଲେ ସାମାଜିକ କର୍ମୀ ସମରଜିତ୍ ମହାନ୍ତି। ଫରୱାର୍ଡ ବ୍ଲକ ପକ୍ଷରୁ ତା-୧୭/୦୯/୨୦୨୩ରେ ୫ଜଣ ବିଇଓଙ୍କ ସମେତ ବିଇଓ ସୀତାରାମ ପାତ୍ରଙ୍କ ବେଆଇନ କାର୍ଯ୍ଯ ସମ୍ପର୍କରେ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଥିଲେ । ତା-୦୫/୦୮/୨୦୨୩ରେ ବିଇଓ ସୀତାରାମ ପାତ୍ରଙ୍କ ଆୟବହିର୍ଭୂତ ସମ୍ପତ୍ତିର ତଦନ୍ତ ପାଇଁ ଭିଜିଲାନ୍ସ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ଫରୱାର୍ଡ ବ୍ଲକର କର୍ମକର୍ତ୍ତା କରିଥିଲେ । ୧୨ ଜଣ ଆନ୍ଧ୍ରପ୍ରଦେଶର ଶିକ୍ଷକ ଜାତିଗତ ପ୍ରମାଣପତ୍ର ଓ ବାସିନ୍ଦା ପ୍ରମାଣପତ୍ର ବଦଳାଇ ନିଯୁକ୍ତି ପାଇଥିବା ଓ ସେମାନଙ୍କୁ ବିଇଓ ଅର୍ଥ ନେଇ ସୁରକ୍ଷା ଦେଉଥିବା ଘଟଣାର ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ପାଇଁ ସାମାଜିକ କର୍ମୀ ଶ୍ରୀ ମହାନ୍ତି ତା-୦୯/୧୧/୨୦୨୩ରେ ଲିଖିତ ଅଭିଯୋଗ କରିଥିଲେ। ସେହିଭଳି ୩ଜଣ ଶିକ୍ଷକ କୌଣସି ସୂଚନା ନଦେଇ ବିଦ୍ୟାଳୟରେ ଅନୁପସ୍ଥିତ ରହିବା ସତ୍ତ୍ବେ ତାଙ୍କୁ ସୁରକ୍ଷା ଦେଇ ଦରମା କରିବା ଘଟଣାର ତଦନ୍ତ ପାଇଁ ସାମାଜିକ କର୍ମୀ ଶ୍ରୀ ମହାନ୍ତି ତା-୦୮/୧୧/୨୦୨୩ ରେ ଲିଖିତ ଅଭିଯୋଗ କରିଥିଲେ । ଏସବୁର ତଦନ୍ତ ଚାଲିଥିବା ବେଳେ ଆଜି ଭୋର୍ ସମୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମକୃଷ୍ଣନଗର,ସରଦ୍ଧାବାଲି ସ୍ଥିତ ବିଜୟ ଟାୱାର ଫ୍ଲାଟ ନଂ ୩୦୪ ଓ ପୋଲସରା ଠାରେ ଥିବା ଦୁଇଟି ବାସଭବନରେ ଚଢ଼ାଉ ଚାଲିଛି। ଏହି ଚଢାଉରେ ୫ଜଣ ଡିଏସପି, ୪ ଇନ୍ସପେକ୍ଟର, ୫ ଏସ.ଆଇ ସମେତ ଅନ୍ଯ କର୍ମଚାରୀମାନେ ସାମିଲ ଅଛନ୍ତି। ଚଢାଉ ଶେଷ ହେବାପରେ ସବିଶେଷ ତଥ୍ଯ ଆସିବ।