ମାଲକାନାଗିରି ,୨୬/୦୫(ପିପିଟି) : ଓଡ଼ିଶା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନରେ ବରିଷ୍ଠ କ୍ୟାଡର ନକ୍ସଲଙ୍କ କ୍ରମାଗତ ଏନକାଉଣ୍ଟରରେ ନକ୍ସଲ ସଂଗଠନ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଫଳ ସ୍ୱରୂପ, ଶନିବାର ଦିନ ୨ଜଣ ମହିଳା ନକ୍ସଲଙ୍କ ସମେତ ୩୩ ଜଣ ନକ୍ସଲ ସିଆରପି ଏଫ୍ ଡିଜି ଏସ.କେ ମିଶ୍ର, ବିଜାପୁର ଏସପି ଡକ୍ଟର ଜିତେନ୍ଦ୍ର କୁମାର ଯାଦବ ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ। ଆତ୍ମସମର୍ପଣ କରିଥିବା ନକ୍ସଲ ମାନଙ୍କ ମଧ୍ୟରୁ ୨ ଜଣଙ୍କ ଉପରେ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ଏବଂ ଆଉ ଜଣେ ନକ୍ସଲଙ୍କ ଉପରେ ୧ ଲକ୍ଷ ଟଙ୍କା ରାଶି ଘୋଷଣା କରାଯାଇଥିଲା।
ବିଜାପୁର ଏସପି ଡକ୍ଟର ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି କି ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ ରାଜୁ ହେମଲା ଏବଂ ସାମୋ କରିସ୍ମା ନକ୍ସଲମାନଙ୍କ ପିଏଲଜିଏ ସଦସ୍ୟ ଥିଲେ। ଉଭୟଙ୍କ ଉପରେ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇ ଥିଲା । ସୁଦ୍ରୁ ପୁଣେମ ଜନ୍ତାନା ସରକାରର ସଭାପତି ଥିଲେ, ଯାହାଙ୍କ ଉପରେ ଏକ ଲକ୍ଷ ପୁରସ୍କାର ଘୋଷଣା କରାଯାଇଛି। ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅନୁଯାୟୀ ସୁବିଧା ଯୋଗାଇ ଦିଆଯିବ। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୪ ମସିହାରେ ପୋଲିସ ଜିଲ୍ଲାର ୧୮୯ ଜଣ ନକ୍ସଲଙ୍କୁ ଗିରଫ କରିଥିବାବେଳେ ୧୦୯ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)