ଭଞ୍ଜନଗର, ୧୫/୧୧(ପିପିଟି):ପୁରାତନ ମନ୍ଦିର ଗୁଡିକୁ ଟାର୍ଗେଟ କରିଛନ୍ତି ଲୁଟେରା। ନିଛାଟିଆ ସ୍ଥାନରେ ଅସୁରକ୍ଷିତ ଅବସ୍ଥାରେ ଥିବା ମନ୍ଦିର ଗୁଡିକ ଚୋରଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ତାରସିଙ୍ଗି ଥାନା ଅନ୍ତର୍ଗତ କୁଲାଡ଼ ନିକଟସ୍ଥ ନାରାୟଣପାଟଣା ନାରାୟଣ ମନ୍ଦିରରୁ କୋଟିଏରୁ ଉର୍ଦ୍ଧ୍ବ ମୂଲ୍ୟର ୧୦ଟି ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ। ପ୍ରତିଦିନ ଭଳି ମନ୍ଦିର ପୂଜକ ଗତକାଲି ରାତି ୮ଟା ରେ ପୂଜା ସାରି ସମସ୍ତ ଦ୍ଵାର ବନ୍ଦ କରିବା ସହ ତାଲା ପକାଇ ଘରକୁ ଯାଇଥିଲେ।ଆଜି ସକାଳୁ ମନ୍ଦିରକୁ ଆସି ଦେଖିବା ବେଳକୁ ସବୁ ଫାଟକ ଖୋଲା ଅଛି ଏବଂ ମୂର୍ତ୍ତି ସବୁ ଗାୟବ ହୋଇଯାଇଛି। ଏହା ଦେଖି ସେ ତୁରନ୍ତ ଗ୍ରାମବାସୀ ଓ ପୋଲିସ କୁ ଖବର ଦେଇଥିଲେ । ତାରସିଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ରିପୋର୍ଟ୍ -ଜେ କେ ପଟ୍ଟନାୟକ
ପ୍ରକାଶ ଥାଉ କି ଯେ ଏହା ପୂର୍ବରୁ ଗଞ୍ଜାମରେ ଗତ ଏକ ବର୍ଷ ଭିତରେ ବହୁ ଥର ମନ୍ଦିର ଭିତରୁ ଚୋରି ହୋଇଛି । ପ୍ରସିଦ୍ଧ ତାରାତାରିଣୀ ପୀଠ ଏବଂ କୁଲାଡ଼ ତଳ ବ୍ୟାଘ୍ରଦେବୀ ପୀଠରୁ ଚୋରି ର ପର୍ଦ୍ଧାଫାଶ ହୋଇ ଦୁର୍ବୃତ୍ତ ଧରା ପଡ଼ିଥିବା ବେଳେ ଆଉ କେତେକ ସ୍ଥାନରେ ଚୋରି ସାମଗ୍ରୀ ଉଦ୍ଧାର ହୋଇ ପାରିନାହିଁ । ଏପରି ସ୍ଥଳେ ପୁଣି ଏକ ମନ୍ଦିରରୁ କୋଟିଏ ରୁ ଉର୍ଦ୍ଧ୍ବ ମୂଲ୍ୟର ଚୋରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
(ଜେ.କେ ପଟ୍ଟନାୟକ)