ପୋଲସରା ,୧୩/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଉଚ୍ଚ ବିଦ୍ୟାଳୟରେ ବି .ପଙ୍କଳବାଡି କ୍ଳଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ବୁଲୁ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ପୂର୍ବତନ ସରପଞ୍ଚ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ଦଣ୍ଡପାଣି ସାହୁଙ୍କ ପୁତ୍ର ସତ୍ୟନାରାୟଣ ସାହୁ,ସମ୍ମାନିତ ଅତିଥି ଭାବେ ଏସ୍ ଏମ୍ ସି ସଭାପତି ସନ୍ତୋଷ କୁମାର ବିଷୋୟୀ, ଶଶିକଳା କଲେଜ ପ୍ରାଧ୍ୟାପକ ଇନ୍ଦ୍ରଜିତ ବିଷୋୟୀ ମଞ୍ଚାସିନ ହୋଇ ଉଚ୍ଚଶିକ୍ଷିତ ହେବା ପାଇଁ ପାଠର ଗୁରୁତ୍ଵ ପ୍ରତି ମାର୍ଗଦର୍ଶନ କରାଇବା ସହିତ ଶିଶୁଙ୍କ ସର୍ବାଙ୍ଗୀନ ବିକାଶରେ ‘ସୁରଭି’ର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସିଆର୍ସିସି ଜିତେନ୍ଦ୍ର କୁମାର ପାଢ଼ୀ ସଂଯୋଜକ ଭାବେ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ୨୦୩୬ ମସିହାରେ ହେବାକୁ ଥିବା ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତିକୁ ନେଇ “ମୋ ସ୍ଵପ୍ନର ଓଡିଶା ୨୦୩୬” ମସିହାକୁ ନେଇ ବକ୍ତବ୍ୟ ରଖିଥିଲେ।ସହକାରୀ ଶିକ୍ଷକ ରବିନ୍ଦ୍ର କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ୧୧ଟି ବିଦ୍ୟାଳୟର ୬୩ ଜଣ ଛାତ୍ରଛାତ୍ରୀ ୨୧ ଗୋଟି ବିଭାଗରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିଲେ । କୃତିତ୍ବ ହାସଲ କରିଥିବା ୬୩ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଜୁନିଅର ରେଡକ୍ରସ ସ୍କାଉଡ ଏଣ୍ଡ ଗାଇଡ ଛାତ୍ରଛାତ୍ରୀ ଓ ଏସ୍ ଏମ୍ ସି ସଭ୍ୟ/ସଭ୍ୟା ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଏହାସହିତ ଜେ ଡେଙ୍ଗାପଦର ହାଇସ୍କୁଲ ଠାରେ ମଥୁରା କ୍ଳଷ୍ଟର ସ୍ତରୀୟ, ପୋଲସରା ଏକ୍ସବୋର୍ଡ ବାଳକ ଓ ବାଳିକା ବିଦ୍ୟାଳୟ ଠାରେ ପୋଲସରା କ୍ଳଷ୍ଟର ସ୍ତରୀୟ,ବର୍ତ୍ତିନୀ ହାଇସ୍କୁଲ ଠାରେ ବର୍ତ୍ତିନୀ କ୍ଳଷ୍ଟର ସ୍ତରୀୟ,ମାଳତେନ୍ତୁଳିଆ ହାଇସ୍କୁଲ ଠାରେ ଭାବରଡା କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ଳଷ୍ଟର ସ୍ତରୀୟ ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ମନୋନୀତ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ ୧୭/୧୦/୨୫ ତାରିଖରେ ହେବାକୁ ଥିବା ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନଇପାରିବେ ବୋଲି ଜଣାପଡ଼ିଛି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା