ଚିକିତ୍ସା ପାଇଁ ଅର୍ଥ ଅଭାବ ।

0 155

ଭଦ୍ରକ,୦୧/୦୪: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରଇପୁର ପଞ୍ଚାୟତ କଣ୍ଟିକା ଗ୍ରାମର ଭାବଗ୍ରାହୀ ରାଉତ (୪୫) ଗତ ୯ ବର୍ଷ ଧରି ଗୁରୁତର ଅଜଣା ରୋଗରେ ପୀଡ଼ିତ ହୋଇ ଅସହ୍ୟ ଯନ୍ତ୍ରଣାରେ ଜୀବନ କାଟୁଛନ୍ତି। ଚିକିତ୍ସା ପାଇଁ ଅର୍ଥାଭାବ ତାଙ୍କ ପରିବାର ପାଇଁ ବଡ଼ ବାଧା ସାବ୍ୟସ୍ତ ହୋଇଛି।
ସୂଚନାଯୋଗ୍ୟ, ୨୦୧୭ ମସିହାରେ ଭାବଗ୍ରାହୀଙ୍କ ବିବାହ ରୀନାରାଣୀ ରାଉତଙ୍କ ସହ ହୋଇଥିଲା। କିନ୍ତୁ ବିବାହର ମାତ୍ର ଦୁଇ ମାସ ପରେ ତାଙ୍କ ଦେହହାତ ଥରିବା ଲକ୍ଷଣ ଦେଖାଦେଇଥିଲା। ପରେ ହତାଗୋଡ଼ କାମ ନକରିବା ଓ ଶେଷରେ କଥା କହିବା ଶକ୍ତି ହରାଇବା ବସିଥିଲେ। ଏହା ପରେ ସ୍ତ୍ରୀ ତାଙ୍କୁ ଭଦ୍ରକ ଓ କଟକ ସହ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଇଥିଲେ, କିନ୍ତୁ ରୋଗର ସଠିକ୍ ଚିହ୍ନଟ ହୋଇପାରିଲା ନାହିଁ। କେବଳ ବିଛଣାରେ ପଡି ସ୍ବାମୀ ଜଳ ଜଳ କରି ଉପରକୁ ଅନାଉଥିବା ଦେଖିବାକୁ ମିଳିଛି। କଡ ଲେଉଟାଇବା ସମ୍ଭବ ନାହିଁ।

୨୦୧୭ ରୁ ୨୦୨୬ ମସିହା ହୋଇଛି। ଏହାରି ଭିତରେ ଦୀର୍ଘ ୯ ବର୍ଷ ଧରି ରୀନାରାଣୀ ଏକାଏକି ସ୍ୱାମୀଙ୍କ ଚିକିତ୍ସା ପାଇଁ ସଂଘର୍ଷ କରୁଛନ୍ତି। ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ସେ ନିଜର ସମସ୍ତ ସୁନା ଗହଣା ବିକ୍ରି କରିଥିବା ସତ୍ତ୍ୱେ ମଧ୍ୟ କୌଣସି ଉନ୍ନତି ହୋଇନାହିଁ। ସରକାରୀ ସହାୟତା ଭାବେ ସ୍ବାମୀଙ୍କୁ ପ୍ରତିମାସ ମାତ୍ର ୧୦୦୦ ଟଙ୍କା ଭତ୍ତା ଓ ୧୫ କେଜି ଚାଉଳ ମିଳୁଥିବାବେଳେ, ଏହା ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ହେଉନାହିଁ।

ଗତ ମାର୍ଚ୍ଚ ୩୦ ତାରିଖ ସୋମବାର ଧାମନଗର ବ୍ଲକର ଅଭିଯୋଗ ସୁଣାଣି ସମୟରେ ରୀନାରାଣୀ ଚାରିଜଣଙ୍କ ସହଯୋଗରେ ରୋଗାକ୍ରାନ୍ତ ସ୍ୱାମୀଙ୍କୁ ହାତରେ ଟେକି ସେଠାକୁ ନେଇଥିଲେ। ବିବଶ ହୋଇ ସେ ସଭାଗୃହରେ ସ୍ୱାମୀଙ୍କୁ ରଖି ଭଦ୍ରକ ଜିଲ୍ଲାପାଳଙ୍କୁ ନିଜ ଦୁଃଖ କଥା ଜଣାଇଥିଲେ। କାନ୍ଦି କାନ୍ଦି ସ୍ୱାମୀଙ୍କ ଚିକିତ୍ସା ପାଇଁ ଗୋହାରି ଜଣାଇଥିବା ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ଭାବୁକ କରିଦେଇଥିଲା।

ଘଟଣା ପରେ ଜିଲ୍ଲାପାଳ ପକ୍ଷରୁ ଅତିରିକ୍ତ ୫ କେଜି ରାସନ ଚାଉଳ ଯୋଗାଇବାକୁ ନିର୍ଦେଶ ଦିଆଯାଇଥିବାବେଳେ, ରେଡକ୍ରସ ଫଣ୍ଡରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ଦେବାକୁ କୁହାଯାଇଛି। ତଥାପି ଦୀର୍ଘମିଆଦି ଚିକିତ୍ସା ପାଇଁ ଏହା ପ୍ରୟାପ୍ତ ନୁହେଁ ବୋଲି ଜଣାପଡ଼ିଛି।
ଏହି ପରିସ୍ଥିତିରେ କୌଣସି ବଦାନ୍ୟ ବ୍ୟକ୍ତି ଯଦି ଏହି ପୀଡ଼ିତ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦିଅନ୍ତି, ତେବେ ଚିକିତ୍ସାରେ କିଛି ସହାୟତା ମିଳିପାରେ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.