ଚିକିତ୍ସାରେ ବିଳମ୍ବ ଯୋଗୁଁ ରୋଗୀଙ୍କ ମୃତ୍ୟୁ ।

0 187

ମାଲକାନଗିରି ,୦୯/୧୧(ପିପିଟି): ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି- ୭୨ ଗ୍ରାମର ତପନ ରାୟ ନାମକ ୫୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତପନ କିଡନୀ ରୋଗରେ ଗତ ୨ ମାସ ଧରି ଆକ୍ରାନ୍ତ ହୋଇଥିବା ବେଳେ ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ପରିବାର ଲୋକେ ତାଙ୍କର ଚିକିତ୍ସା କରାଇଥିଲେ। ଏପରିକି ସେଠାରେ ୪ ଥର ତପନକୁ ଡାଇଲାସିସ୍ କରାଇଥିଲେ ଏବଂ ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ତେବେ ତାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ତାଙ୍କର ସ୍ବାମୀଙ୍କୁ ଯେତେବେଳେ ଡାଇଲାସିସ୍ ପାଇଁ ନେଇଥିଲେ, ସେଠାରେ ଉପସ୍ଥିତ ଥିବା ଟେକ୍ନିସିୟାନ ସୁଜୟ ଗିରି ନାମକ ବ୍ୟକ୍ତି ତପନଙ୍କ ସ୍ତ୍ରୀଙ୍କ ଠାରୁ ଟଙ୍କା ମାଗିଥିଲେ। ଏପରିକି ଆଗେ ଟଙ୍କା ଦେଲେ ତାହାପରେ ଡାଇଲାସିସ୍ କରିବି ବୋଲି ଯିଦ୍‌‌ ଧରିଥିଲେ । କିଛି ଉପାୟ ନପାଇ ସ୍ତ୍ରୀ ବାସନ୍ତୀ ଟେକ୍ନିସିୟାନ ସୁଜୟ ଗିରିଙ୍କ ମୋବାଇଲକୁ ଫୋନ ପେ ମାଧ୍ୟମରେ ୫ହଜାର ଟଙ୍କା ପଠାଇଥିଲେ। ତେବେ ଟଙ୍କା ଦେବାକୁ ବିଳମ୍ବ ହେବାରୁ ଡାଇଲାସିସ୍ କରିବାରେ ଅବହେଳା କରିଥିବା କାରଣରୁ ତାଙ୍କ ସ୍ବାମୀ ପ୍ରାଣ ହରାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଟେକ୍ନିସିୟାନ ସୁଜୟ ଗିରି ଦାୟୀ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ଓ ପରିବାର ଲୋକେ। ସ୍ବାମୀଙ୍କ ମୃତ୍ୟୁରେ ଦାୟୀ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ପରିବାରର ଏକମାତ୍ର ରୋଜଗାରିଆ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ, ପୁଅ , ଝିଅ ସମସ୍ତେ ଭାଙ୍ଗି ପଡିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.