ଚିକିଟି ନିର୍ବାଚନ ମଣ୍ଡଳୀରେ ଶିକ୍ଷା ବ୍ୟବସ୍ଥା,ସ୍ବାସ୍ଥ୍ଯ ସେବା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି – ଫରୱାର୍ଡ ବ୍ଲକ।

0 502

ବ୍ରହ୍ମପୁର,୨୩/୦୨(ପିପିଟି): ଚିକିଟି ନିର୍ବାଚନ ମଣ୍ଡଳୀରେ ଶିକ୍ଷା ବ୍ଯବସ୍ଥା,ସ୍ବାସ୍ଥ୍ୟ ସେବା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଭ୍ରଷ୍ଟାଚାର ଓ ଦୁର୍ନୀତି ବୃଦ୍ଧି ପାଉଥିବା ନେଇ ଫରୱାର୍ଡ ବ୍ଲକ ଅଭିଯୋଗ ଆଣିଛି। ରାଜ୍ୟ ସରକାର ସ୍ମାର୍ଟ ସ୍କୁଲ ନିର୍ମାଣ କରୁଥିବା ବେଳେ ଜାଲ୍ ଶିକ୍ଷକ ନିଯୁକ୍ତି ଦ୍ବାର ଶିକ୍ଷାର ମାନ ହ୍ରାସ ପାଉଛି। ୨୦୨୦ ରୁ ୨୦୨୩ ମଧ୍ଯରେ ଜାଲ୍ ସାର୍ଟିଫିକେଟ ଯାଞ୍ଚ ପାଇଁ ଫରୱାର୍ଡ ବ୍ଲକର ନେତା ସମରଜିତ୍ ମହାନ୍ତି ପାତ୍ରପୁର ବ୍ଲକର ୫୩ ଜଣ ଓ ଚିକିଟି ବ୍ଲକର ୪୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ କରିଛନ୍ତି।ଫରୱାର୍ଡ ବ୍ଲକର ଜିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢୀ ଚିକିଟି ବ୍ଲକର ୮ଜଣ ଏବଂ ଏଆଇୱାଇଏଲ ପକ୍ଷରୁ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ କରାଯାଇଛି। ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ଓ ପଛୁଆବର୍ଗ ଥିବା ବ୍ଯକ୍ତି ମାନେ ଓଡିଶାର ବାସିନ୍ଦା ପ୍ରମାଣପତ୍ର ସହିତ ଏସସି ପ୍ରମାଣପତ୍ର ଦେଇ ଚିକିଟି ନିର୍ବାଚନ ମଣ୍ଡଳୀରେ ଶିକ୍ଷକ ନିଯୁକ୍ତି ପାଇ ଥିବା ନେଇ ଫରୱାର୍ଡ ବ୍ଲକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଉଠାଇଛି।ଫରୱାର୍ଡ ବ୍ଲକ ପକ୍ଷରୁ କୁହାଯାଇଛି ଜାଲ ସାର୍ଟିଫିକେଟ ସୁରକ୍ଷା ପଛରେ ନେତା,ଶିକ୍ଷା ଅଧିକାରୀ ଓ ଶିକ୍ଷକ ନେତା ମାନଙ୍କ ହାତ ରହିଛି।

ଚିକିଟି ଅଞ୍ଚଳର ଅଧିକାଂଶ ମଠ ମନ୍ଦିର ଭୂସମ୍ପତିକୁ ବେଆଇନ ଭାବେ ପ୍ଲଟିଙ୍ଗ୍ କରି ବିକ୍ରି କରାଯାଉଛି। ଯାହା ଫଳରେ ଦେବନୀତି ବିଭ୍ରାଟ ସୃଷ୍ଟି ହେଲାଣି। ଏହି ଘଟଣା ପ୍ରତି ଦେବୋତ୍ତର ବିଭାଗ, ପ୍ରଶାସନ ଓ ସରକାର ଜାଣି ମଧ୍ଯ ନୀରବ ଦ୍ରଷ୍ଟା ସାଜିଛନ୍ତି।

ବାଲି ଟେଣ୍ଡର ନାଁରେ ବାହୁଦା ନଦୀ ଗର୍ଭକୁ ବେଆଇନ ଭାବେ ଜେସିବି ଲଗାଇ ଶ୍ରୀହୀନ କରାଯାଇଛି। ଫଳରେ ଚିକିଟି ଓ ପାତ୍ରପୁର ବ୍ଲକ୍ ବାହୁଦା ନଦୀ କୂଳେ କରାଯାଇଥିବା ଉଠା ଜଳସେଚନ ପ୍ରକଳ୍ପ ଉପରେ ପ୍ରଭାବ ପକାଇଛି। ଖରିଫ ଚାଷ ପାଇଁ ବାହୁଦା ଏବଂ ଉଠା ଜଳସେଚନ ପ୍ରକଳ୍ପ ମୁକ ସାକ୍ଷୀ ଭାବେ ଦଣ୍ଡାୟମାନ। ବେଆଇନ ବାଲି ଚାଲଣ ଆନ୍ଧ୍ରପ୍ରଦେଶକୁ ହେଉଥିଲେ ମଧ୍ଯ ପ୍ରଶାସନ ନୀରବ ଦ୍ରଷ୍ଟା। ଚିକିଟି ଓ ପାତ୍ରପୁର ଅଞ୍ଚଳରେ ବ୍ଯାପକ ଜଳସେଚନ ନାହିଁ। ବାଘଲଟା ଜଳଭଣ୍ଡାର ଥିଲେ ମଧ୍ଯ ଆବଶ୍ୟକତା ଅନୁଯାଇ ଚାଷ ଜମିକୁ ଜଳସେଚିତ ହୋଇ ପାରୁନାହିଁ। ଚିକିଟି ଓ ପାତ୍ରପୁର ଚାଷୀ ଏବର୍ଷ ମରୁଡିର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ସରକାର ଚିକିଟି ଓ ପାତ୍ରପୁର ବ୍ଲକକୁ ମରୁଡି ଘୋଷଣା କରୁ ନାହାଁନ୍ତି।

ଚିକିଟି ଓ ପାତ୍ରପୁର ମେଡିକାଲରେ ବିଶେଷଜ୍ଞ ଡାକ୍ତର ଅଭାବ। ୧୫ ବର୍ଷ ତଳେ ଏ ମେଡିକାଲରେ ଅପରେସନ ସୁବିଧା ଥିଲା। ବର୍ତ୍ତମାନ ସାମାନ୍ଯ ରୋଗକୁ ବ୍ରହ୍ମପୁର ବଡ ମେଡିକାଲକୁ ରେଫେର କରାଯାଉଛି।

ଚିକିଟି ନିର୍ବାଚନ ମଣ୍ଡଳୀରେ ମନରେଗା କାର୍ଯ୍ଯରେ ଦୁର୍ନୀତି । ଅଧିକାଂଶ ଗ୍ରାମାଞ୍ଚଳକୁ ଆବଶ୍ୟକ ପାନୀୟଜଳ ମିଳୁ ନାହିଁ। ସ୍ବଚ୍ଛ ଭାରତ ମିଶନ ଦ୍ବାର ସାଧାରଣ ଲୋକଙ୍କ ପାଇଁ ଲେଟିନ୍ ନିର୍ମାଣରେ ଦୁର୍ନୀତି ହୋଇଛି। ପ୍ରକୃତ ହିତାଧିକାରୀ ମାନଙ୍କୁ ଆବାସ ଗୃହ ଓ ଭତ୍ତା ମିଳୁ ନାହିଁ। ପରିବାର ବାଦ ରାଜନୀତିରେ ଚିକିଟି ନିର୍ବାଚନ ମଣ୍ଡଳୀ କବଳିତ ହୋଇ ରହିଛି। ଅଞ୍ଚଳରେ ପରିବର୍ତ୍ତନର ଆବଶ୍ଯକତା ରହିଛି।ଭ୍ରଷ୍ଟାଚାର ବିରୁଦ୍ଧରେ ଲୋକଙ୍କ ପାଇଁ ଫରୱାର୍ଡ ବ୍ଲକ ଲଢେଇ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଫରୱାର୍ଡ ବ୍ଲକର ଜିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢୀ,ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ସପ୍ନେଶ୍ବର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.