ଟିଟିଲାଗଡ,୧୪/୦୮:ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁରସୁଡ଼ ପଞ୍ଚାୟତ କଣ୍ଡରା ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା ଘଟଣା ନେଇ ଆଜି ଭବାନୀପାଟଣା ଖରିଆର ରାଜ୍ୟ ରାଜପଥରେ କଣ୍ଡରା ଗ୍ରାମ ନିକଟରେ ପରିବାର ତଥା ଗ୍ରାମବାସୀ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ କରିଛନ୍ତି । ସୂଚନା ଯେ ଗତକାଲି ଗ୍ରାମର ପରମେଶ୍ୱର ଭୋଇଙ୍କ ପୁଅ ଦୁର୍ଗାଚରଣ ଭୋଇ ଫସଲରେ ଦିଆଯାଉଥିବା କୀଟ ନାଶକ ପିଇ ଦେଇଥିଲେ । ତାଙ୍କୁ ସିନ୍ଧେକେଲା,ଟିଟିଲାଗଡ଼, ଭବାନୀପାଟଣା ଆଦି ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ଶେଷରେ ଗତକାଲି ସନ୍ଧ୍ୟାରେ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ବରଣ ହୋଇଥିଲା । ଆଜି ଅପରାହ୍ନ ପ୍ରାୟ ୨ଟାରେ ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିଥିବା ବେଳେ ଆକ୍ରୋଶ ପ୍ରକାଶ ପାଇ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଖବର ପାଇ ବଲାଙ୍ଗୀର ଜିଲା ବିଜେଡି ସଭାପତି ସରୋଜ ମେହେର,ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ରାସ୍ତାରୋକ ସ୍ଥଳରେ ପହଞ୍ଚିଛନ୍ତି । ଏନେଇ ମଧ୍ୟ ଟିଟିଲାଗଡ଼ ତହସିଲଦାର ଶୁଭଶିଷ ଶତପଥି,ଜିଲ୍ଲା କୃଷି ଅଧିକାରୀ ଧବଳେଶ୍ୱର ପ୍ରଧାନ ଚାଷୀଙ୍କ କ୍ଷତିଗ୍ରସ୍ତ ଫସଲ ଦେଖିଛନ୍ତି । ରିପୋର୍ଟ ଲେଖିବା ସୁଦ୍ଧା ରାସ୍ତାରୋକ ଜାରୀ ରହିଥିବା ନେଇ ରାୟପୁରରୁ ଭବାନୀପାଟଣା,ପଡୋଶୀ ରାଜ୍ୟ ବିଶାଖାପାଟଣାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଶହ ଶହ ଯାନବାହାନ ଅଟକି ରହିଛି ।