***ଚାରୁ ଚିତ୍ରପଟ***

0 47

ଭଲ ଲାଗେ ଯେବେ ଶୀତୁଆ ରଜନୀ
ସଜନୀ ପାଶରେ ଥିଲେ ରହି….
ଆକାଶରେ ଯଦି ହସୁଥିବ ଜହ୍ନ
ଫୁଟିଥିବ ଜଳେ ନୀଳ କଇଁ….!!
ନଈ କୂଳେ କୁଳ ବଧୂ ଧାଡି ଧାଡି
ସକାଳ ସିନା କରୁଥିଲେ….
ଓଦା ବସନରୁ ସୁନେଲୀ ମୁହଁଟା
ଗୋରା ଗୋରା ତନୁ ଦିଶୁଥିଲେ…..!!
ଭଲ ଲାଗେ ନୀଳ ଗଗନେ ସବିତା
ନୀଳ ଶଇଳରେ ବୁଡୁଥିଲେ….
ନୀଳ ଅମ୍ବରରେ ଡେଣା ଝାଡି ଝାଡି
ପକ୍ଷୀ ଦଳ ଯେବେ ଉଡୁଥିଲେ….!!
କର୍ଣ୍ଣକୁ ଆହ୍ଲାଦ ବସନ୍ତେ କୋକିଳ
ଚ୍ଯୁତ ଡାଳେ ଗୀତ ଗାଉଥିଲେ….
ବୃକ୍ଷ ତଳେ ବସି ଗଉଡ ପୁଅଟା
ବଇଁଶୀ ବାଦନ କରୁଥିଲେ….!!
ଅନନ୍ତ ଗଗନେ ଫୁଟିଥିଲେ ତାରା
ଅମାବାସ୍ୟା ରାତି କି ସୁନ୍ଦର….
ଭଲ ଲାଗେ ସୁଲୁ ସୁଲିଆ ପବନ
ପାହାଡି ନିର୍ଝର ଝର ଝର….!!
ଫୁଟି ଥିଲେ ଆମ୍ବ ବୃକ୍ଷ ଡାଳେ ଡାଳେ
ବକୁଳ ପେନ୍ଥାର ସମାହାର….
ଭୁରୁ ଭୁରୁ ବାସ୍ନା ପ୍ରସରି ମଳୟ
ବିଷାଦକୁ କରୁ ଥିଲେ ଦୂର…..!!
ଭଲ ଲାଗେ ଏହି ଆଶ୍ଵିନ ମାସର
ଦଶହରା ବୁଲା ପାର୍ବଣ….
ନବ ଉନ୍ମାଦନା ଆଣିଛି ମନରେ
ହୃଦୟରେ ପ୍ରୀତି ବର୍ଷଣ……!!
ସବୁଜୀମା କ୍ଷେତ୍ର ଅବନୀ ର ଗାତ୍ର
ମେଘର ସଂଗୀତ ମନଲୋଭା…..
ଗଗନ ବଳୟେ ସପ୍ତ ରଙ୍ଗ ଟାଣି
ଇନ୍ଦ୍ରଧନୁଟା ପାଏ ଶୋଭା…..!!
ଋତୁ ପରେ ଋତୁ ଯାଉଛି ବଦଳି
ବୟସ ଆୟୂଷ ଯାଏ ସରି…..
ସୁନ୍ଦର ପ୍ରକୃତି ଚାରୁ ଚିତ୍ର ଛବି
ମନୁ ଯାଏ ନାହିଁ ଅପସରି….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.