ଘୁମୁସର ଜିଲ୍ଲା ଆନ୍ଦୋଳନର ଇତିହାସ ପୁସ୍ତିକା ଉନ୍ମୋଚିତ ।

0 139

ଭଞ୍ଜନଗର,୦୪/୦୯(ପିପିଟି): ଭଞ୍ଜନଗର ଉପଖଣ୍ଡରେ ସମସ୍ତ ଭିତ୍ତିଭୂମି ଥିବା ବେଳେ ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୀର୍ଘବର୍ଷ ହେଲା ଘୁମୁସର ଜିଲ୍ଲା ଗଠନ ଦାବି ହୋଇ ଆସୁଛି। ଗତ ୧୯୯୩ମସିହା ଠାରୁ ୨୦୧୦ପର୍ଯ୍ୟନ୍ତ ଘୁମୁସର ଜିଲ୍ଲା ଘୋଷଣା ପାଇଁ କିଭଳି ରଣନୀତି ପ୍ରସ୍ତୁତ ହୋଇ ପଦକ୍ଷେପ ଗ୍ରହଣ କରି ଯେଉଁ ଆନ୍ଦୋଳନ ଚାଲିଥିଲା ତାହାକୁ ଲୋକ ଲୋଚନକୁ ଆଣିବା ପାଇଁ ଏକ ସଂକ୍ଷିପ୍ତ ଇତିହାସ ପୁସ୍ତିକା ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ଦ୍ୱାରା ସୋମବାର ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଉନ୍ମୋଚିତ ହୋଇଯାଇଛି।ଏଥିରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସମ୍ମାନ୍ୱିତ ଅତିଥି ଭାବେ ଯୋଗ ଦେଇଥିଲେ।ଉକ୍ତ ବହିର ସଂକଳକ ବରିଷ୍ଠ ଆଇନଜୀବୀ ତଥା ସାମ୍ପ୍ରତିକ ଜିଲ୍ଲା ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟିର ସଭାପତି ସୋମନାଥ ନାୟକ ଓ ବରିଷ୍ଠ ନାଗରିକ ମଞ୍ଚର ବିଶିଷ୍ଟ ସଦସ୍ୟ ମାନେ ଏହି ଉନ୍ମୋଚନ ଉତ୍ସବ ର ଆୟୋଜନ କରିଥିଲେ।ଏହି ପୁସ୍ତିକାରେ ମାତ୍ର ୩୬ପୃଷ୍ଠା ରହିଥିଲେ ମଧ୍ୟ ବହୁ ଐତିହାସିକ ତଥ୍ୟ ବହନ କରି ଇତିହାସ ପ୍ରେମୀ ତଥା ଘୁମୁସର ଜିଲ୍ଲା ଆନ୍ଦୋଳନ ଦାବୀ ନେଇ ଆଗ୍ରହୀ ଥିବା ବ୍ୟକ୍ତିଙ୍କ ପାଇଁ ବେଶ ଉପାଦେୟ ହୋଇ ପାରିଛି।ବର୍ତ୍ତମାନର ୫-ଟି ସଚିବ ଭି. କେ. ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାରଙ୍କୁ ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ମାନ୍ୟତା ଦେବା ପାଇଁ ଲେଖିଥିବା ଚିଠି ଏଥିରେ ପ୍ରକାଶିତ ହୋଇଛି। ଘୁମୁସରର ଐତିହ୍ୟ ବହନ କରି କବି ପ୍ରଶାନ୍ତ ମହାନ୍ତି, ଅଶୋକ ସାହୁ ଓ ସୋମନାଥ ନାୟକଙ୍କ ଦ୍ୱାରା ରଚିତ ତିନୋଟି କବିତା ଏଥିରେ ସ୍ଥାନ ପାଇଥିବାରୁ ଏହା ସାହିତ୍ୟିକ ମୂଲ୍ୟ ମଧ୍ୟ ବଢ଼ାଇ ଦେଇଛି।ତେଣୁ ଘୁମୁସର ଜିଲ୍ଲାର ଯଥାର୍ଥତାକୁ ନେଇ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ପୁସ୍ତିକା ପ୍ରକାଶ ପାଇଥିବା ଜଣାପଡିଛି।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.