ଘାଟିପଲ୍ଲୀ ପରି ଜନବସତି ଅଂଚଳରେ ଘାତକ ବିସ୍ଫୋରକ ଦ୍ରବ୍ୟ କାରଖାନ ପ୍ରକଳ୍ପକୁ ବାତିଲ କରାଯାଉ ।

0 333

ବ୍ରହ୍ମପୁର,୦୭/୦୩(ପିପିଟି) :ମହାରାଷ୍ଟ୍ରର ବିଷ୍ଫୋରକ ଉତ୍ପାଦନକାରୀ ଫରୋଇ କମ୍ପାନୀ ସିଡ଼ିଇଟିକୁ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ତହସିଲ ଅର୍ନ୍ତଗତ କୁଡ଼ୁତେଇ ଓ ପ୍ରତାପୁର ଗ୍ରାମ ପଞ୍ଚାୟତର ଘାଟିପଲୀ ଓ ଲଣ୍ଡେଇ ହିଲସ୍‌ର ମଧ୍ୟବର୍ତି ସ୍ଥାନରେ ଏକ ବିଷ୍ଫୋରକ ଓ ବିଷ୍ଫୋଟକ କାରଖାନା ସ୍ଥାପନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଖଣି ଖନନରେ ବ୍ୟବହୃତ ହେଉଥିବା ଉଚ୍ଚ ଶ୍ରେଣୀର ବିଷ୍ଫୋରକ ଓ ବିଷ୍ଫୋଟକ ସାମଗ୍ରୀ ଉତ୍ପାଦନ ପାଇଁ ପ୍ରସ୍ତାବିତ କାରଖାନା ଯୋଗୁଁ ନିଜର ଜମି,ଜୀବିକା,ପାଣି ଏବଂ ସର୍ବୋପରି ଜୀବନ ଗୁରୁତର ଭାବେ ପ୍ରଭାବିତ ହେବାକୁ ଯାଉଥିବାରୁ ସ୍ଥାନୀୟ ଆଠଟି ପଞ୍ଚାୟତର ୭୦ରୁ ଉର୍ଦ୍ଧ୍ୱ ଗ୍ରାମର ଲୋକେ ଏହାକୁ ବିରୋଧ କରିବା ସହିତ ସରକାର ତୁରନ୍ତ ଏହି ପ୍ରସ୍ତାବକୁ ବାତିଲ କରିବାକୁ ଦାବୀ କରିଛନ୍ତି। ଇତି ମଧ୍ୟରେ ସରକାର ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ୱେ ଏହି ପ୍ରକଳ୍ପ କାମକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ଗତ ମାର୍ଚ୍ଚ ୪ ତାରିଖରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଏଥିପାଇଁ ଜନଶୁଣାଣୀ ହେବାକୁ ଥିବା ବେଳେ ଲୋକଙ୍କର ସଙ୍ଗଠିତ ବିରୋଧକୁ ରଖି ଶେଷ ମୂହୂର୍ତରେ ସ୍ଥଗିତ ରଖାଯାଇଛି ।

ବିଷ୍ଫୋରକ ଆଇନ – ୨୦୦୮ ଅନୁଯାୟୀ ବିଷ୍ଫୋରକ କାରଖାନାର ଦଶ କି.ମି ବ୍ୟାସାର୍ଦ୍ଧ ମଧ୍ୟରେ କୌଣସି ଜନବସତି ରହିବ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଥିଲେ ମଧ୍ୟ ଘାଟୀପଲ୍ଲୀର ପ୍ରସ୍ତାବିତ କାରଖାନାର ଦଶ କି.ମି ବ୍ୟାସାର୍ଦ୍ଧ ମଧ୍ୟରେ ସାତୋଟି ପଞ୍ଚାୟତର ଶତାଧିକ ଗ୍ରାମ,ଭଂଜନଗର,ବେଲଗୁଣ୍ଠା ଓ ଜଗନ୍ନାଥ ପ୍ରସାଦ ସହର ଓ ସେସବୁରେ ବସବାସ କରୁଥିବା ଲକ୍ଷାଧିକ ଜନତା ଆସୁଛନ୍ତି। ଅତଏବ ଏଭଳି ଏକ ଘଞ୍ଚ ଜନବସତି ଥିବା ଅଞ୍ଚଳରେ ବିଷ୍ପୋରକ କାରଖାନାକୁ ଅନୁମତି ଦେବା କେବଳ ଜନବିରୋଧି ନିଷ୍ପତି ହିଁ ନୁହେଁ ବରଂ ଏପରି କରି ସରକାର ଲକ୍ଷାଧିକ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବୋଲି କୁହାଯିବ।
ଏହି ଅଞ୍ଚଳ ଏକ ଜଳକ୍ଳିଷ୍ଟ ଅଞ୍ଚଳ ରୂପେ ପରିଚିତ। ଏଠାକାର ଅଧିକାଂଶ ଜମି ସ୍ୱର୍ଗଆଶ୍ରା ଅଟେ। ବର୍ତ୍ତମାନ ସେସବୁ ଅଞ୍ଚଳରେ ଭୂଗର୍ଭର ଜଳ ଅନେକ ତଳେ ଥିବାରୁ କମ୍ପାନୀ ନିଜର ଆବଶ୍ୟକତା ପାଇଁ ବିପୁଳ ପରିମାଣର ଜଳ ଗଭୀର ନଳକୂପ ଜରିଆରେ ଭୂତଳରୁ ସଂଗ୍ରହ କରିବ। ଏହାଫଳରେ ସମ୍ପୃକ୍ତ ଅଞ୍ଚଳରେ ଭୂତଳର ଜଳସ୍ତର ଆହୁରି ନିମ୍ନଗାମୀ ହୋଇ ଲୋକଙ୍କ ପାଇଁ ଭୟଙ୍କର ଜଳସଙ୍କଟ ସୃଷ୍ଟି କରିବ।
ଏହା ଏକ ଉଚ୍ଚ ଶ୍ରେଣୀର ଅର୍ଥାତ୍ ଜେଡ଼୍ ଜେଡ଼୍ ଶ୍ରେଣୀର ବିଷ୍ଫୋରକ କାରଖାନା ହୋଇଥିବାରୁ ବିଷ୍ଫୋରଣ ଜନିତ ଦୁର୍ଘଟଣାର ଭୟ ସବୁବେଳେ ରହିବ। ପ୍ରକଳ୍ପ ପାଇଁ ପଅସ୍ତୁତ ସାମାଜିକ ଆକଳନ ରିପୋର୍ଟରେ ସ୍ୱୀକାର କରାଯାଇଛି ଯେ ବିସ୍ଫୋରଣ ଆଶଙ୍କା ବା ସମସ୍ୟା ରହିଛି ଏବଂ ଯଦି ଅଚାନକ ବିସ୍ଫୋରଣ ହୁଏ ତାହେଲେ ପୂର୍ବ ପାଶ୍ୱର୍ରେ ରହିଥିବା ଲଣ୍ଡେଇ ପାହାଡ଼ ଲୋକଙ୍କୁ ରକ୍ଷା କରିଦେବ ବୋଲି କୁହାଯାଇଛି। ଏଭଳି ଯୁକ୍ତି ହାସ୍ୟାସ୍ପଦ ମନେହୁଏ। କାରଣ ବିଷ୍ଫୋରଣ ହେଲେ ପାହାଡ଼ ହୁଏତ ପ୍ରକଳ୍ପର ପୂର୍ବଦିଗରେ ରହିଥିବା ଗାଁମାନଙ୍କର କ୍ଷୟକ୍ଷତିକୁ କିଛି ପରିମାଣରେ ରୋକିଦେବ କିନ୍ତୁ ଆଉ ତିନି ପାଖରେ ଥିବା ଗ୍ରାମବାସୀ ବା ଜନବସତି ନିଶ୍ଚିତ ଭାବେ ଦୁର୍ଘଟଣାର ଶିକାର ହେବେ।

ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତ ସାମାଜିକ ପ୍ରଭାବର ଆକଳନ ରିପୋର୍ଟରେ ଏହା ଏକ ଜନବସତି ପୂର୍ଣ୍ଣ ଅଞ୍ଚଳ ନୁହେଁ ବୋଲି ଯାହା କୁହାଯାଇଛି, ତାହା ଭୂଲ ଅଟେ। ଏହାଛଡ଼ା ପ୍ରଥମତଃ ଜମି ଅଧିଗ୍ରହଣ ପ୍ରକ୍ରିୟା ତଥା ଏହି ପ୍ରକଳ୍ପ ପାଇଁ ସ୍ଥାନ ନିରୂପଣ ପୂର୍ବରୁ ଏପରି ସାଂଘାତିକ ବିସ୍ଫୋରକ ଦ୍ରବ୍ୟ ଉତ୍ପାଦନ ଜନିତ କାରଖାନା ଦ୍ୱାରା ଜନଜୀବନ ପ୍ରତି ଘାତକ ବିପଦ ସମ୍ଭାବନା ପ୍ରତି ଦୃଷ୍ଟି ଦେବା ଏକ କର୍ତବ୍ୟ ଥିଲା। ଜନବସତି ଅଂଚଳରେ ଏପରି ବିସ୍ଫୋରକ ଓ ବିସ୍ଫୋରଣ ସାମଗ୍ରୀ ଉତ୍ପାଦନ ପ୍ରକ୍ରିୟା ବେଳେ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟର ମିଶ୍ରଣ ହୋଇଥାଏ ଏବଂ ଏଥିପାଇଁ ଆବଶ୍ୟକ ମୁଖ୍ୟ କଂଚାମାଲ ଆମୋନିୟମ ନାଇଟ୍ରେଟ୍‌କୁ ବାହାରୁ ଆଣି ବ୍ୟବହାର କରାଯିବ। ସେଭଳି ଏକ ବିଷାକ୍ତ ରାସାୟନିକର ପରିବହନ ବେଳେ ଓ ଏହାକୁ ଖରଖାନାରେ ବ୍ୟବହୃତ ହେଲା ବେଳେ ତଥା ତା’ର ଅବର୍ଜନା ସେଠାକାର ମାଟି ଓ ଭୂଗର୍ଭ ଜଳକୁ ସଂକ୍ରମିତ କରିବାର ବିପଦ ରହିଛି। ଏହାର ପ୍ରଭାବରେ ସ୍ଥାନୀୟ ଲୋକଙ୍କ ଚର୍ମ,ଚକ୍ଷୁ,କିଡ଼ନି, ଶ୍ୱାସ-ପ୍ରଶ୍ୱାସ ଉପରେ ଭୟଙ୍କର ପ୍ରଭାବ ପକାଇବ। ଅତଏବ ଏପରି ଏକ ‘ମଣିଷ ମରା’ କାରଖାନାକୁ ଡାକି ଆଣିବା ପଛରେ ପ୍ରଶାସନର କିମ୍ବା ସରକାରର ଜନ ବିରୋଧୀ ଦୃଷ୍ଟିଭଙ୍ଗି ରହିଥିବା ମନେହୁଏ। ଏପରି କାରଖାନ ସମ୍ପୂର୍ଣ୍ଣ ଭାବେ ଜନବସତି ବିହୀନ ଟାଙ୍ଗରା ମରୁଭୂମିରେ କରାଯାଇପାରେ। କିନ୍ତୁ ଏକ ଚାଷବାସ ଓ ଜନବସତି ଘେରା ସବୁଜ ଅଂଚଳରେ କଦାପି କରାଯାଇ ନପାରେ। ପ୍ରକଳ୍ପ ପାଇଁ ପ୍ରସ୍ତୁତ ସାମାଜିକ ପ୍ରଭାବ ଆକଳନ ରିପୋର୍ଟରେ କୁହାଯାଇଛି ଦୁଇଟି ଗ୍ରାମର ୧୪୧ଟି ପରିବାର ମଧ୍ୟରୁ ଅଧିକାଂଶ ଅର୍ଥାତ୍ ୭୫ଟି ପରିବାରର ସର୍ଭେ ହୋଇ ପାରିନାହିଁ। ଏଥିପାଇଁ ସେମାନେ ଏକ ମିଥ୍ୟା କାରଣ ଦେଖାଇଛନ୍ତି ଯେ, ସେହି ସବୁ ପରିବାରର ସମସ୍ତ ସଦସ୍ୟ ମୃତ୍ୟୁ ବରଣ କରିଛନ୍ତି କିମ୍ବା ରାଜ୍ୟ ବାହାରେ ବାସ କରୁଛନ୍ତି। କିନ୍ତୁ ସତ ହେଉଛି ସେମାନେ ସମସ୍ତେ ଗ୍ରାମରେ ହିଁ ରହୁଛନ୍ତି। ଅର୍ଥାତ୍ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ମିଥ୍ୟା ତଥ୍ୟ ଆଧାରରେ କିମ୍ବା ପ୍ରକଳ୍ପ ସପକ୍ଷରେ ରିପୋର୍ଟ ପ୍ରସ୍ତୁତ କରିବାକୁ ପ୍ରଭାବିତ ହୋଇଛନ୍ତି ପ୍ରସ୍ତୁତକାରୀ ସଦସ୍ୟମାନେ।

ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଗ୍ରାମବାସୀମାନେ ନିଜର ଜମି ହରାଇବା ସହ ଜୀବିକା ହରାଇବେ। କାରଣ ବର୍ତମାନ ସେସବୁ ଜମିରେ ଧାନ, ମାଣ୍ଡିଆ, ମକା ଆଦି ଫସଲ ସହିତ ସହ କାଜୁ, ଆମ୍ବ, ନଡ଼ିଆ ଆଦି ଉଦ୍ୟାନ କୃଷି ମଧ୍ୟ ହେଉଛି। କାରଖାନା ଫଳରେ ଉପରୋକ୍ତ ଚାଷ ନଷ୍ଟ ହେବା ସହ ଲୋକଙ୍କ ଚଳନ୍ତି ଜୀବିକା ସବୁଦିନ ପାଇଁ ଶେଷ ହୋଇଯିବ।

ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରୁଥିବା ସ୍ଥାନୀୟ ଆନ୍ଦୋଳନର ପ୍ରତିନିଧି ଅବସରପ୍ରାପ୍ତ ଅଧ୍ୟାପକ ଖଦାଳ ସାହୁ, ଲକ୍ଷ୍ମୀକାନ୍ତ ରାଉତରାୟ, ଭାଗିରଥି ସାହୁ, ଡା. ରାଜେନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ପ୍ରଧାନ, ଚିତ୍ରସେନ ପଲେଇ ଓ ପ୍ରଦୀପ ନାୟକଙ୍କ ଉପସ୍ଥିତିରେ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ଓ ଅଖିଳ ଭାରତ କିସାନ-ମଜୁଦୁର ସଭାର ଜାତୀୟ ସଂପାଦକ ଭାଲଚନ୍ଦ୍ର ଷଡଙ୍ଗୀ ଏହି ପ୍ରକଳ୍ପକୁ ଜନବିରୋଧି ବୋଲି କହିବା ସହିତ ତା’ର ତୁରନ୍ତ ବାତିଲ ଦାବି କରିଛନ୍ତି। ଚାଷ, ପରିବେଶ ଜୀବିକା ଓ ଜନଗଣ ପ୍ରତି ବିପଦ ସୃଷ୍ଟି କରୁଥିବା ଏପରି ବିସ୍ଫୋରକ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଓ ବିଶେଷ କରି ଜିଲ୍ଲା ପ୍ରଶାସନ କାହିଁକି ଅନୁମତି ଦେଇଛି ବୋଲି ପ୍ରଶ୍ନ କରାଯାଇଛି। ଏହାଛଡ଼ା ଜିଲ୍ଲାର ଚାଷୀ- ମୂଲିଆଙ୍କ ଜୀବନ ବିପନ୍ନ କରି ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଏକ କଂପାନୀ ପାଇଁ କାହିଁକି ଅବିଚାରିତ ଅନୁଗ୍ରହ ପଛରେ କାରଣ କ’ଣ ଜାଣିବାକୁ ଚାହୁଁଛୁ ବୋଲି କହିଛନ୍ତି।

ଶେଷରେ କୃଷି ଓ ଜଙ୍ଗଲ ଥିବା ଏହି ଅଂଚଳର ହଜାର ହଜାର ସାଧାରଣ ମଣିଷ,ପଶୁପକ୍ଷୀ ଓ ପରିବେଶର ପ୍ରତି ଘାତକ ରୂପେ ପରିଚିତ ଗୋଳା ବାରୁଦ-ବିସ୍ଫୋରକ କାରଖାନ ସ୍ଥାପନକୁ ଅଗଣତାନ୍ତ୍ରିକ ଓ ଅମାନବୀୟ ବୋଲି କହିବା ସହ ସେଥିପାଇଁ ଜମି ଅଧିଗ୍ରହଣ ଆଦେଶକୁ ତୁରନ୍ତ ପ୍ରତ୍ୟାହର କରା ନଗଲେ ବ୍ୟାପକ ପ୍ରତିରୋଧ ଆନ୍ଦୋଳନ ହେବ ବୋଲି ଉପସ୍ଥିତ ସ୍ଥାନୀୟ ଆନ୍ଦୋଳନ ନେତାମାନେ ପ୍ରକାଶ କରିଛନ୍ତି ।

ତେଣୁ ଯଥାଶୀଘ୍ର ଜମି ଅଧିଗ୍ରହଣ ଆଦେଶ ପ୍ରତ୍ୟାହାର କରାଯାଉ। ନଚେତ୍ କଂପାନୀର କର୍ମଚାରୀ କିମ୍ବା କଂପନୀ ପାଇଁ ପ୍ରଶାସନିକ ଅଫିସରମାନଙ୍କୁ ଗ୍ରାମମାନଙ୍କରେ ପୁରାଇ ଦିଆଯିବ ନାହିଁ ବୋଲି “ଘାଟିପଲ୍ଲୀ-ଗୋଛାବାଡ଼ି ପାହାଡ଼ ପରିବେଶ-ଭୂମି ସୁରକ୍ଷା ସମିତିର ପ୍ରତିନିଧିମାନେ ସତର୍କ କରାଇଛନ୍ତି।

Leave A Reply

Your email address will not be published.