ବେଗୁନିଆପଡା,୦୮/୦୧(ପିପିଟି):ଘର ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଆଖପାଖକୁ ଯିବାକୁ ଡର ମାଡୁଛି। କେତେବେଳେ ଅଘଟଣ ଘଟିବ ତାହା କହିବା ମୁସ୍କିଲ। ହାଇ ଭୋଲଟେଜ୍ ବିଜୁଳି ତାର ଘର ଉପରେ ଯାଇଥିବାରୁ ଅର୍ଦ୍ଧ ନିର୍ମିତ ଘର କାମ ଆଉ ଆଗକୁ ଯାଇ ପାରୁନି। ଏ ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତୋଟାପଡା ଗ୍ରାମର ଲଷ୍ମୀ ଦାସଙ୍କ ଘର। ଦୀର୍ଘ ବର୍ଷ ଧରି ଏଠାରେ ବସବାସ କରନ୍ତି ଏହି ପରିବାର। ବାହାରକୁ ଦାଦନ ଖଟିବାକୁ ଯାଇ କିଛି ଅର୍ଥ ରୋଜଗାର କରି ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ କରିବାକୁ ଗଲାବଳେ ବିଦ୍ୟୁତ ତାର ଯୋଗୁଁ ଘର କାନ୍ଥ ଆଉ ଆଗକୁ ବଢି ପାରୁନି। ଅଧାରୁ ବନ୍ଦ ହୋଇ ଯାଇଛି। କାରଣ ଆଉ ଅଧିକ କାନ୍ଥ ଉଠାଇଲେ ବିଦ୍ୟୁତ ତାରର ଡର। ଏଠାରୁ ଯାଇଥିବା ବିଦ୍ୟୁତ ତାରକୁ ହଟାଇ ଅନ୍ଯ ପଟେ ନେବାକୁ ଦାବି କରିଛନ୍ତି ପରିବାର ଲୋକେ। ସ୍ଥାନୀୟ ଟାଟା ପାୱାର ବିଭାଗୀୟ ଯନ୍ତ୍ରୀ ଘଟଣା ସ୍ଥଳକୁ ଯାଇ ଏହି ତାରକୁ କିପରି ଅନ୍ଯତ୍ର ପଟେ ନିଆଯିବ ସେ ନେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡ)