ଗ୍ରୀଷ୍ମ ପ୍ରବାହ ପରିଚାଳନା ସମ୍ପର୍କିତ ଜ଼ିଲ୍ଲାସ୍ତରୀୟ ପ୍ରାକ-ପ୍ରସ୍ତୁତି କର୍ମଶାଳା ।

0 275

ଛତ୍ରପୁର,୧୮/୦୨(ପିପିଟି): ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କ୍ରମେ ଚଳିତବର୍ଷ ଗଂଜାମ ଜିଲ୍ଲାରେ ତୀବ୍ର ଗ୍ରୀଷ୍ମ ପ୍ରବାହ ପରିଲିକ୍ଷିତ ହେବାର ଆଶଙ୍କା ରହିଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ପ୍ରତି ଅଂଶୁଘାତ ଜନିତ ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି, ତେଣୁ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି । ଜରୁରୀ କାମରେ ଜନସାଧାରଣ ବାହାରକୁ ଯିବା ସମୟରେ ସାଥିରେ ପାଣି ବୋତଲ, ଛତା,ଟୋପି, ଓଦା କପଡା ମୁଣ୍ଡରେ ପକାଇ ଯାତାୟତ କରିବା ଓ ମଧ୍ୟାହ୍ନ ସମୟରେ କୌଣସି ଜରୁରୀ କାମ ନଥିଲେ ଟାଣ ଖରାରେ ଘରୁ ନ ବାହାରିବାକୁ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ ଜ଼ିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ତା ସହିତ ବିଭାଗୀୟ ଅଧିକାରୀମାନେ ଗ୍ରୀଷ୍ମ ପ୍ରବାହ ପରିଚାଳନାଙ୍କୁ ଏକ ନିୟମିତ କାର୍ଯ୍ୟ ଭାବରେ ଗ୍ରହଣ ନ କରି ଆନ୍ତରିକତା ଓ ସମ୍ବେଦନଶୀଳ ଭାବରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ପ୍ରବାହ ପରିଚାଳନା ସମ୍ପର୍କିତ ଜ଼ିଲ୍ଲାସ୍ତରୀୟ ପ୍ରାକ-ପ୍ରସ୍ତୁତି କର୍ମଶାଳାରେ ସେ ପରାମର୍ଶ ଦେଇଛନ୍ତି ।

ଗ୍ରୀଷ୍ମ ଋତୁରେ ପାନୀୟ ଜଳ କଷ୍ଟ ଠାରୁ ଆଉ ବଡ କଷ୍ଟ ନାହିଁ ତେଣୁ ଖରାପ ଥିବା ନଳ କୂଅକୁ ତୁରନ୍ତ ମରାମତି, ସମସ୍ତ ବ୍ଲକରେ ଆବଶ୍ୟକତା ଅନୁଯାଇ ଚଳିତ ମାସ ଶେଷ ସୁଦ୍ଧା ପାନୀୟ ଜଳ ବଣ୍ଟନକାରୀ ମୋବାଇଲ ଭ୍ୟାନ ଯୋଗାଇବା,ଭଞ୍ଜନଗର,ସୁନାପୁର ଓ ଅନ୍ୟାନ୍ୟ ଜଳକିଷ୍ଟ ଅଞ୍ଚଳର ପାନୀୟ ଜଳ ସମସ୍ୟାକୁ ପ୍ରାଥମିକତା, ନିରବଛିନ୍ନ ବିଦ୍ୟୁତ ପ୍ରବାହ,ବ୍ୟାପକ ସୁବ୍ୟବସ୍ଥିତ ଜଳଛତ୍ର, ପଶୁପକ୍ଷୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା, ଅସହାୟ ଲୋକଙ୍କ ପାଇଁ ଦିବସ ଆଶ୍ରୟ କେନ୍ଦ୍ର, ଜିଲ୍ଲା ଓ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ସମେତ ମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥା, ଛାତ୍ରଛାତ୍ରୀମାନଙ୍କୁ ନିୟମିତ ବ୍ୟବଧାନରେ ପାନୀୟ ଜଳ ପିଇବାକୁ ମାର୍ଗଦର୍ଶନ,ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ବିଦ୍ୟୁତ ପ୍ରବାହ,ଜଙ୍ଗଲ ନିଆଁକୁ ୨୪ ଘଣ୍ଟା ମଧ୍ୟରେ ପ୍ରଶମିତ କରିବା ସହିତ ଓ ବନ୍ୟ ଜୀବଜନ୍ତୁଙ୍କ ପାଇଁ ପିଇବା ପାଣି, ସମସ୍ତ କାର୍ଯ୍ୟରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସଂଶ୍ଲିଷ୍ଟ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ତାସହିତ ସମସ୍ୟା ଓ ସମାଧାନ ସମ୍ପର୍କିତ ଗୁଗୁଲ ସିଟର ନିୟମିତ ପରିଚାଳନା,ସ୍ୱାସ୍ଥ୍ୟ ବିଭାଗକୁ ପକ୍ଷରୁ ବ୍ୟାପକ ଓଆରଏସ ଯୋଗାଣ ସହିତ ଆବଶ୍ୟକୀୟ ଔଷଧ ମହଜୁଦ ରଖିବା,ସରକାରଙ୍କ ସମୟ ସାରଣୀ ଅନୁଯାୟୀ ଶ୍ରମିକମାନଙ୍କ କାର୍ଯ୍ୟ କରିବା ସୁନିଶ୍ଚିତ କରିବା ଆଦି ସମସ୍ତ ବିଷୟରେ ଯତ୍ନଶୀଳ ହେବା ସହ ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜ଼ିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଚଳିତ ଗ୍ରୀଷ୍ମ ଋତୁରେ ଯେମିତି ଗୋଟିଏ ବି ଜୀବନ ହାନି ନ ଘଟେ, ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟକୁ ମନ୍ତ୍ର ଭାବରେ ଗ୍ରହଣ କରିବାକୁ ସେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି କର୍ମଶାଳାରେ ଅତିରିକ୍ତ ଜ଼ିଲ୍ଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡା, ବ୍ରହ୍ମପୁର ଉପଜ଼ିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ବିଜୟ କୁମାର ବେହେରା,ଛତ୍ରପୁର ଉପଜ଼ିଲ୍ଲାପାଳ ଶୁଭାଶିଷ ବରାଳ, ଭଞ୍ଜନଗର ଉପଜ଼ିଲ୍ଲାପାଳ ଉମାଶଙ୍କର ବେହେରା,ଜ଼ିଲ୍ଲା ଆପାତକାଳୀନ ଅଧିକାରୀ,ପାନୀୟ ଜଳ,ସ୍ୱାସ୍ଥ୍ୟ, ବିଦ୍ୟୁତ,ପରିବହନ,ଶ୍ରମ,ଶିକ୍ଷା,ସମାଜ ମଙ୍ଗଳ ଆଦି ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.